You are currently viewing ମୃତ୍ୟୁ ଅପେକ୍ଷାରେ
Odia Poem Mrutyu Apekshare (ମୃତ୍ୟୁ ଅପେକ୍ଷାରେ) by Sai Prava Sutar

ମୃତ୍ୟୁ ଅପେକ୍ଷାରେ

ମୃତ୍ୟୁର ଦ୍ୱାରଦେଶରେ ଅପେକ୍ଷାରତ
ମୁଁ, ମୋ ଶୁଖିଲା ଶରୀରକୁ ନେଇ ।
ଅସ୍ତବ୍ୟସ୍ତ ମନକୁ ଚକୋଲେଟ୍ ଦେଇ ମନେଇ ଦେଇଛି ।
ତା’ ଚୁଲବୁଲି ପଣକୁ କବାଟ କଣରେ ଜାକିଦେଇ,
ମୁଣ୍ଡରେ ନାଲି ଗାମୁଛାଟେ ବାନ୍ଧିଦେଇ,
ଚାଲିଆସିଛି ॥
ଭେଟିବା ପାଇଁ,
ମୋ ଭୟ ସହ
ଛାତିରେ ଛେପ ପକାଇବାର କାରଣ ସହ ॥

ମୃତ୍ୟୁର ହିଂସ୍ରପଣ ତ କାଇଁ ଦିଶୁନାହିଁ ମୋତେ,
ତା’ ତୀକ୍ଷ୍ମ ଚାବୁକ ବି ଏଯାଏଁ ସ୍ପର୍ଶ କରିନାହିଁ ମୋ ପଥୁରିଆ ପିଠିକୁ ॥
ମୋ ସାମ୍ନାରେ ତ ଅଛି
ବିଶାଳ ଗାଲିଚା ।
ଯାହା ଖାଲି ଶୋଇବାଟା ବାକିଅଛି ।

ଲୁହରେ ବାରମ୍ବାର ଭିଜୁଥିବା ସନ୍ତସନ୍ତିଆ ଜୀବନଠାରୁ
ମୃତ୍ୟୁ ବେଶ୍ ସତେଜ ।
ନାଁ ଅଛି ସ୍ୱାର୍ଥର କଉଡ଼ି,
ନାଁ ଅଛି, ଚେନାଏ ଦୁଃଖର ପୋଥିଏ କାହାଣୀ ।
ଏଠି ମୁଣ୍ଡ ନୁଆଁଇବାକୁ ପଡ଼େନି
ବାବୁମାନଙ୍କ ଦୁଆର ଆଗରେ ।
ସିଲେଇ କରିବାକୁ ପଡ଼େନି
ଚିରାଫଟା ମନକୁ ।
ନା ଦେବାକୁ ପଡ଼େ କୈଫାତ୍,
ନାଁ କରିବାକୁ ପଡ଼େ ସଂଘର୍ଷ,
ଗଣଦୌଡ଼ରେ ପଦକ ଜିତିବା ପାଇଁ ।

ଏଠି ତ ଖାଲି ଶୋଇବାକୁ ପଡ଼େ
ସୁଖ ନିଦ୍ରାରେ,
ଥକିଯାଇଥିବା ଆଖିକୁ ଆରାମ ଦେବା ପାଇଁ ।
ଭାଙ୍ଗିଯାଇଥିବା କଙ୍କାଳକୁ ଆଉଥରେ ଯୋଡ଼ିଦେବା ପାଇଁ ।
ନୂଆ ସ୍ୱପ୍ନକୁ ପାଣି ଛିଞ୍ଚି
ସତେଜ କରିବା ପାଇଁ,
ମୃତ୍ୟୁକୁ ଆପଣେଇବାକୁ ପଡ଼େ ॥

– ସାଇପ୍ରଭା ସୂତାର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାଇପ୍ରଭା ସୂତାର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।