You are currently viewing ମୌସୁମୀ
ମୌସୁମୀ

ମୌସୁମୀ

ତୁମେ ଆସିଛ ବୋଲି… ସୁନ୍ଦର ଲାଗୁଛି
ମୁଗ୍ଧ ପ୍ରତୀକ୍ଷାର ଅନ୍ତ ଘଟାଇ
ଆସିଛ ତୁମେ ସାଗର ବକ୍ଷ ଡେଇଁ
କେରଳ ତାମିଲନାଡ଼ୁ ସୀମା ଅତିକ୍ରମେ
ମହୋଦଧି କୂଳେ କୂଳେ……
ନିସ୍ତେଜ ଗାଲିଚାକୁ ଛୁଇଁବାକୁ
ଫାଙ୍କାଫାଙ୍କା ମେଘ ସାଥେ
ଜହ୍ନର ଓଢ଼ଣୀ ଟାଣି… ॥

ତୁମେ ପୁଣି ଆସିଥିଲ ଶୀତଭିଜା
ଦାରିଂବାଡ଼ିର ତମାଳ ଲତାରେ
ମିଠା ସ୍ପର୍ଶ ଦେଇ ତତଲା ତାତିକୁ
ଦୂରେଇବା ପାଇଁ ତା’ର
ହେ ପ୍ରିୟତମା ମୌସୁମୀ ତୁମେ କିବା
ଫେରିଛି ଅତନୁ ତନୁ ପ୍ରାପ୍ତ ହୋଇ
ଫିଟାଇ ତୁମ କବରୀ
ଛୁଇଁ ଧୂଳି ସରସର
ମହୁଲ ଆମ୍ବତୋଟାରେ
ଅପୂର୍ବ ପ୍ରେମର୍ଥ ଆଲିଙ୍ଗନ ॥

ତୁମ ସାଥେ ସାଥି ହେବାପାଇଁ
କେତେ ଯେ ହାତ
ଅକ୍ଲେଶରେ ବଢ଼ିଛି ତୁମ ପାଖକୁ
ତୁମେହିଁ ତ ବୁଝିଥିବ
ସେହି ହାତ ପାପୁଲିର ପ୍ରଥମ ସ୍ପର୍ଶ
କେତେ ମିଠାମିଠା ମଧୁର ସତେ ॥

ତୁମ ହସ ଓ ଝରାଲୁହକୁ ନେଇ
କବିତା ସାଉଁଟୁ ଥିବା କବି
ଝରକା ଫାଙ୍କ ଡେଇଁ?
ଆସୁଥିବା ଛିଟା ସହ
ପ୍ରଥମ ବସନ୍ତ ମଳୟ ପରେ
ପ୍ରଥମ କାକର ଟୋପା ସାଥେ
ପୁଣି ଆଜି
ତୁମ ସାଥେ ବସି ଲେଖେ
ଶୀତଳ ଜୀବନର ଗୀତି
କଲମ ମୁନରେ ବୁକୁଚିରି ଆସୁଥିବା
ନିର୍ଝରିଣୀ ଝରଣା ସବୁକୁ ॥

ତୁମେ ଆସିବ ପରେ
ସୁନ୍ଦର ସୁନ୍ଦର ଏହି ପୃଥିବିର ଛବି
ଏକା ଏକା…
ନିର୍ଜନତାର ନୀରବଛାଇରେ
ଅଳ୍ପଅଳ୍ପ ଶୀତୁଆ ଅନୁଭବ ସାଥେ
ତୁମ ଫେରିବାର ବାସ୍ନାସବୁକୁ
ହାତ ପାପୁଲିରେ ଧରି
ଆକାଶ ଛାତିରେ ଖୋଜିଛି
ତୁମ ତନୁକୁ… ଓଠରେ ଚୁମ୍ବନ ଲାଳସେ
ଖୋଜିଛି ପୁଣି ତୁମ ମିଠାଛୁଆଁଟିଏ
ଦେହ ଓ ଛାତିର ତାତିକୁ
ହାତ ପାପୁଲିରେ-ଶବ୍ଦ ପରିଧି ଭିତରେ
ହେ ମୌସୁମୀ ତୁମେ ଫେରିଛ
ହଁ ଫେରିଛ ପୁଣିଥରେ !!!!!!!

– ତପନ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତପନ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।