You are currently viewing ବରଷା ଆସିଲା ମରତେ
ବରଷା ଆସିଲା ମରତେ

ବରଷା ଆସିଲା ମରତେ

ନିଖିଳ ଚିତ୍ତ ହରଷା ବରଷା
ପହିଲି ଆଷାଢ଼େ ଆସିଲାଣି
ଗ୍ରୀଷ୍ମ ସନ୍ତାପିତ ଧୂସର ଧରଣୀ
ଧୀରେ ଧୀରେ ହସି ଉଠିଲାଣି ॥୧॥

ଆକାଶରେ ଭାସେ କୃଷ୍ଣ ବର୍ଣ୍ଣ ଘନ
ଦିଶେ ଚପଳାର ସୁନା ଝଲକ
ହଳ କର୍ଷିତ ମାଟି ଭିଜିଗଲେ
ସଂଚରିତ ହୁଏ ମଧୁ ମହକ ॥୨॥

ପର୍ଣ୍ଣହୀନ ଆଉ ବର୍ଣ୍ଣହୀନ ତରୁ
ଭରିଯାଏ ପୁଣି ସବୁଜିମା
ସବୁଜ ଘାସରେ ନାଲି ଗୁଲୁଗୁଲୁ
ସାଧବ ବୋହୁର ଉନ୍ମନା ॥୩॥

କଦମ୍ବେ ଭରିଛି ରୋମାଞ୍ଚ କୁସୁମ
ଦୃଶ୍ୟ ତା’ର କେଡ଼େ ମନଲୋଭା
କିଆ, କେତକୀ ଓ ମାଳତୀ ହେନାର
ସୁଗନ୍ଧିତ ତନୁ ବର୍ଣ୍ଣବିଭା ॥୪॥

ଶୂନ୍ୟ ଗର୍ଭା ସର ତଟିନୀ ସାଗର
ହୋଇଯାଏ ପୁଣି ପୂର୍ଣ୍ଣ ଗର୍ଭା
ମୀନ ଭେକ ସଙ୍ଗେ ମରାଳ ବତକ
ସନ୍ତରଣେ ଦୃଶ୍ୟ ଦିଶେ ଶୋଭା ॥୫॥

ବରଷା ଋତୁରେ ଦର୍ଦୁର ରାବରେ
ପିକ ସ୍ଵର ହୋଇଯାଏ ନୀରବ
ଉଦ୍ଭିଦର ମିତ୍ର ହେଲେ ବି ବରଷା
ପଦ୍ମ ତନୁ ହୋଇଯାଏ ନିବୁଜ ॥୬॥

ବରଷକ ପାଇଁ କୃଷି କରିବାକୁ
ସଜ ହୋଇଯାଏ କୃଷକ ଭାଇ
ମନରେ ଆନନ୍ଦ କଣ୍ଠରେ ସଙ୍ଗୀତ
କ୍ଷେତକୁ ଯାଏ ସେ ସହଳ ଧାଇଁ ॥୭॥

ଅଧିକ ବରଷା ପଲ୍ଲୀ ପଥଧାର
କରିଦିଏ ପୁଣି କର୍ଦମାକ୍ତ
ଜଳଗହଳରେ ବନ୍ୟା ଆସିଗଲେ
ପଲ୍ଲୀବାସୀ ହୁଏ ବ୍ୟତିବ୍ୟସ୍ତ ॥୮॥

ପହିଲି ଆଷାଢ଼ ବାରିଦ ଭେଳାରେ
ଗାଆଁକୁ ଆସଇ ପରବ ରଜ
ଅଳତା ରଞ୍ଜିତ କୁମାରୀର ପାଦ
ଶୋଭାର ବର୍ଣ୍ଣନା ନୁହେଁ ସହଜ ॥୯॥

ରଜସ୍ଵଳା ଧରା ଶୁଦ୍ଧ ସ୍ନାନ ପରେ
ସରିଯାଏ ରଜ ପର୍ବ ମଉଜ
ସ୍ନାନ ପରେ ଅଣସର ସରିଯାଏ
ରଥରେ ଠାକୁର ହୁଅନ୍ତି ସଜ ॥୧୦॥

କୋଟି କୃଷକର ଭରସା ବରଷା
ରୌଦ୍ର ଦଗ୍ଧ ଧରା ହୁଅଇ ଶାନ୍ତ
ବୃକ୍ଷ ସବୁଜିମା ଲତା ଶ୍ୟାମଳିମା
ପୁଷ୍ପରେ ଭରଇ ବାସ ଚହଟ ॥୧୧॥

– ସଦାନନ୍ଦ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।