You are currently viewing ମୁଁ ଭୂତ ବିଶ୍ୱାସ କରେ ନା
ମୁଁ ଭୂତ ବିଶ୍ୱାସ କରେ ନା

ମୁଁ ଭୂତ ବିଶ୍ୱାସ କରେ ନା

ମୁଁ ଭୂତ ବିଶ୍ୱାସ କରେ ନା । ଠିକ କରେ ନା ନୁହଁ, ବୁଝି ପାରେ ନା । ହୁଏତ ଥିବେ, ହୁଏତ ନଥିବେ । ମନ କେବେ ଯୁକ୍ତିବାଦୀ ତ ଆଉ କେବେ ଦୋଳାଚଳରେ । ତେବେ ଡର ଟିକେ କମ । ପିଲାବେଳେ କିନ୍ତୁ ଖୁବ ଡରୁଥିଲି । ଅନ୍ଧାର ହେଲେ ଏକା ରହିବା ମୋ ପାଇଁ ଅସମ୍ଭବ ଥିଲା । ସେ ଡର ଦିନେ ଭାଙ୍ଗିଗଲା ।

ମୋ ବଡ଼ ଭଉଣୀ ଖୁବ କଡ଼ା ଅନୁଶାସିକା ଥିଲେ । ପ୍ରତି ସନ୍ଧ୍ୟାରେ ମତେ ପାଠ ପଢ଼ଉଥିଲେ । ଗ୍ରୀଷ୍ମ ଋତୁର ଦିନମାନଙ୍କରେ ପଢ଼େଇ ସାରିବା ପରେ କିଛି ଅଙ୍କ କିମ୍ୱା ଅନ୍ୟ ପାଠ ଲେଖିବାକୁ ଦେଇ ସେ ଛାତକୁ ଚାଲିଯାଉଥିଲେ ମାଆଙ୍କ ସହ । ସେଠି ବସି ସେମାନେ ଟିକେ ଥଣ୍ଡା ପବନର ଆରାମ ମୁହଁରେ ବୋଳନ୍ତି । ସେଇ ସମୟ ଟିକକ ମୋ’ ପାଇଁ କାଳ ଥିଲା । କୌଣସି ମତେ ପାଠ ତକ ସାରି ଦେଇ ମୁଁ ଏକମୁହାଁ ଧାଇଁ ଯାଉଥିଲି ଛାତକୁ ।

ସେଦିନ ବି ଧାଇଁ ଗଲି । ଛାତ ମଝାମଝି ପହଞ୍ଚି ହଠାତ ଆବିଷ୍କାର କଲି ଯେ ଛାତ ଫାଙ୍କା, ସେମାନେ କୌଣସି କାରଣରୁ ଛାତକୁ ଆସି ନାହାଁନ୍ତି । ମୋ ପାଦ ସେଇଠି ଜମିଗଲା । ତଣ୍ଟି ଅଠା ଅଠା । ନିଜ ଛାତି ଶବ୍ଦ ନିଜକୁ ଶୁଭୁଥାଏ । କେତେ ସମୟ ସେଠି ଠିଆ ହେଇଥିଲି କେଜାଣି ! ଧୀରେ ଧୀରେ ଟିକେ ଟିକେ ସାହସ ଫେରିଲା । ଜୀବନକୁ ବାଜି ଲଗେଇ ଚାରି ଆଡ଼କୁ ଚାହିଁଲି । ଭୂତ ନଥିଲେ, କେବଳ ମୁଁ ହିଁ ଥିଲି । ବାସ ଡର ଛାଡ଼ିଗଲା ।

ପରେ ତ ରୀତିମତ ସାହସୀ ବୋଲି ସମସ୍ତଙ୍କ ପାଖରେ ଖ୍ୟାତି ଅର୍ଜିଥିଲି । ତେବେ ହଁ, କିଛି ଅନୁଭୂତି ଅଛି, ଯାହା ଭ୍ରମ, ହାଲୁସିନେଶନ ନା ଅଲଗା କିଛି ତା’ର ବ୍ୟାଖ୍ୟା ମୋ ପାଖରେ ନାହିଁ ।

ଘଟଣା ଏକ:

ସେତେବେଳେ ସ୍କୁଲରେ ପଢ଼େ । ଦିନେ ସଞ୍ଜବେଳୁ ଶୋଇ ପଡ଼ିଥିଲି । ହଠାତ ଯୋଉ କଡ଼ ମାଡ଼ି ଶୋଇଥିଲି ସେଇ କାନ ପାଖରେ ଖେଏଁ କିନା ଗୋଟେ ହସ ଶୁଭିଲା । ଭାରି କୁତ୍ସିତ ହସଟିଏ । ଧଡ଼ କିନା ନିଦ ଭାଙ୍ଗିଗଲା । କେହି କୁଆଡ଼େ ନ ଥିଲେ । ହସଟା କିନ୍ତୁ ଖୁବ ବାସ୍ତବ ଲାଗୁଥିଲା । କଦର୍ଯ୍ୟ ସେ ହସର ଶବ୍ଦ ମୁଁ ଏଯାଏଁ ଭୁଲି ପାରିନି ।

ଘଟଣା ଦୁଇ:

ମୁଁ ସେତେବେଳେ ଯୁକ୍ତ ଦୁଇର ଛାତ୍ରୀ । କଲେଜରେ ଗୋଟେ ନାଟକର ରିହାରସଲ ଚାଲିଥାଏ । ରାତି ନ’ଟା ପାଖାପାଖି ହବ । ରିହାରସଲ ଫାଙ୍କାରେ ଭୂତ ଗପ ଚାଲିଥାଏ । ଜଣେ ବଡ଼ ଭାଇ କହିଲେ, “ଆମ କଲେଜର ତିନି ମହଲା ଉପରେ ତ ଭୂତ ଅଛି । କିଛି ବର୍ଷ ତଳେ ଜଣେ ଝିଅ ଆତ୍ମହତ୍ୟା କରିଥିଲା । ସେ ଏବେବି ତିନି ମହଲା ଉପରେ ଅଛି ।”

ମୁଁ କହିଲି, “ବାଜେ କଥା ।”

ବଡ଼ ଭାଇ ଜଣକ ବିରକ୍ତ ହେଲେ । ମୁଁ ଚୁପ ହେଇଗଲି କିନ୍ତୁ କୌତୁହଳ ଚାପି ପାରିଲିନି । ଗୋଟେ ସାଙ୍ଗକୁ ଚୁପ ଚୁପ କହିଲି, “ମୋ ସାଙ୍ଗରେ ଯିବୁ? ତିନି ମହଲାକୁ?”

କେମିତି କେଜାଣି ସେ ବି ରାଜି ହେଇଗଲା । ନାଟକରେ ବ୍ୟବହୃତ ଗୋଟେ ଟର୍ଚ୍ଚ ଧରି ସମସ୍ତଙ୍କ ଦୃଷ୍ଟି ଏଡ଼େଇ ଆମେ ସିଡ଼ି ଦେଇ ଉଠିଲୁ ତିନି ମହଲାକୁ । ଲମ୍ୱା ଅନ୍ଧାର କରିଡର । ଧାଡ଼ି ଧାଡ଼ି ବନ୍ଦ କ୍ଲାସ ରୁମ୍ । ପ୍ରତି କବାଟରେ ଝୁଲୁଛି ଭାରି ଭାରି ସେ କାଳିଆ ପିତଳ ତାଲା ।

ଆମେ ଆଗେଇ ଚାଲିଲୁ । କିଛି ବାଟ ପରେ କରିଡର ମୋଡ଼ିଯାଇଥାଏ ବାଆଁ ପଟକୁ । ଆମେ ବୁଲାଣି ବୁଲିଲା କ୍ଷଣି ପଛରୁ ଶବ୍ଦ ହେଲା “ଖଟ ଖଟ” । ଆମେ ଧଡ଼ କରି ପଛକୁ ବୁଲି ଟର୍ଚ୍ଚ ଆଲୁଅ ପକେଇଲୁ । ଠିକ୍ ବୁଲାଣି ମୁହଁରେ ଥିବା କ୍ଲାସ ରୁମ୍‌ର ତାଲାଟା ହଲୁଥାଏ । ସତେ ଯେମିତି କିଏ ଗୋଟେ ପରୀକ୍ଷା କରୁଥିଲା ତାଲା ଠିକ ଭାବରେ ପଡ଼ିଛି କି ନା !

ମୁଁ କହିଲି, “ପବନ ରେ ହଲୁଛି ।”
ସେ କହିଲା, “ଏତେ ଭାରି ତାଲା… ପବନରେ… ତା ଛଡ଼ା ପବନ କାହିଁ?”
ଆମେ ପରସ୍ପର ମୁହଁକୁ ଚାହିଁଲୁ । ତାଲା ସେଇମିତି ହଲି ଚାଲିଥାଏ । କଟ କଟ ।
ସେ କହିଲା, “ଯିବା?”
ମୁଁ କହିଲି, “ହଁ”

ଆମେ ଫେରି ଆସିଲୁ ତଳକୁ ।

ଘଟଣା ତିନି:

ମୋ ଝିଅର ବୟସ ସେତେବେଳେ ପନ୍ଦର ଦିନ ବି ନୁହଁ । ବେଶୀ ବୟସର ମାତୃତ୍ୱ ଓ ସିଜରିଆନ ବେବି ଯୋଗୁଁ ମୁଁ ଖୁବ ଦୁର୍ବଳ ହେଇ ପଡ଼ିଥାଏ । ଶାରୀରିକ ଓ ମାନସିକ ଉଭୟତଃ ।

ଦିଦି ମୋ ଯତ୍ନ ନେବା ପାଇଁ ତାଙ୍କ ଭଡ଼ା ଘରକୁ ନେଇ ଯାଇଥାନ୍ତି । ଦୁଇଟି ରୁମରୁ ଗୋଟିଏ ମୋ’ ପାଇଁ ସଫାସୁତୁରା କରି ରଖାଯାଇଥାଏ । ସେ ରୁମ୍‌ କାନ୍ଥ ଆଲମାରୀରେ ଠାକୁରଙ୍କ ଫଟୋ ।

ଦିନେ କଥା ହଉ ହଉ ଦିଦି କହିଲେ, “ଏଇ ଘରେ କେହି ଜଣେ ଅଛି । ମୁଁ ବହୁତ ଥର ତା’ ଉପସ୍ଥିତି ଅନୁଭବ କରିଛି । ମୁଁ ପୂଜା କରୁଥିବା ବେଳେ ସେ କେବେ କେବେ ଏଇ ଖଟରେ ବସିଥାଏ ।”

ମତେ ସେତେବେଳେ କିଛି ଲାଗିଲାନି । କିନ୍ତୁ ଅଧ ରାତିରେ ସବୁଆଡ଼ ନିରବ ହେଲା ପରେ ମୁଁ ଝିଅକୁ ଶୁଆଉ ଥାଏ । କୋଳରେ ଝୁଲେଇ ଶୁଅଉ ଶୁଅଉ ମୁଁ ଏକ ଳୟରେ ଝିଅ ଆଡ଼େ ଅନେଇ ଥାଏ । ସେ ବି ସ୍ଥିର ଦୃଷ୍ଟିରେ ମତେ ଚାହିଁଥାଏ । ମୁଁ ଲକ୍ଷ୍ୟ କଲି ସେ ପଲକ ପକାଉନି । ତା’ ଆଖି ମୋ ଆଖି ସହ ମିଶି ରହିଛି । ଓଠରେ ସତେ ଯେମିତି ଚେନାଏ ହସ । ପନ୍ଦର ଦିନର ଛୁଆ କ’ଣ ହସେ? ଧୀରେ ଧୀରେ ମତେ ସବୁ ଧୂଆଁଳିଆ ଲାଗିଲା । ମତେ ଲାଗିଲା ଇଏ ମୋ ଝିଅ ନୁହେଁ, ଆଉ କିଏ । ମୁଁ ଆସ୍ତେ ଆସ୍ତେ ତାକୁ ଉପରକୁ ଟେକି ଧରିଲି । ମୋ ଭିତରେ କିଏ ଯେମିତି କହୁଥାଏ ଉପରୁ ଫୋପାଡ଼ି ଦେ ତାକୁ । ଗୋଟିଏ ମୁହୂର୍ତ୍ତ… ହଠାତ ମୋ ହୋସ ଫେରିଲା । ମୁଁ ଥରି ଉଠିଲି ଆଉ ମୋ ଶିହରଣରେ ମୋ ଝିଅ ବି ହଲି ଯାଇ କାନ୍ଦି ଉଠିଲା । ମୁଁ ତାକୁ ଛାତିରେ ଜାକି ଆଉ ଥରେ ଶିହରିତ ହେଇ ଭାବିଲି ଯେ କ’ଣ କରିବାକୁ ଯାଉଥିଲି ମୁଁ !

ପର ଦିନ ଦିଦି ଆଉ ଭିଣେଇଙ୍କ ଆଗରେ ଯାଇ କହିଲି, “ଦିଦି, ମତେ ବି କାଲି ଭାରି ଅଡ଼ୁଆ ଲାଗିଲା । ବୋଧହୁଏ ସତରେ କେହି ଅଛି । ପୂଜା ଗୋଟେ କରେଇ ନବା କି?”

ଭିଣେଇ କିଛି ବୁଝି ନପାରି ଆଶ୍ଚର୍ଯ୍ୟ ହେଇ ଅନେଇଲେ । ଦିଦି କଥାଟାକୁ ଚାପି ଦେଇ କହିଲେ, “କେହି ନାହାନ୍ତି । ଏସବୁ ତୋ’ ମନର ଭ୍ରମ । ଅନ୍ଧ ବିଶ୍ୱାସ ଛାଡ଼ ।”

– “ହେଲେ ତମେ ହିଁ ତ ମତେ କହିଥିଲ…”
– “ମୁଁ କେତେବେଳେ କ’ଣ କହିଲି? ଯେତେସବୁ ଫାଲତୁ କଥା ।”

ମୁଁ ହଡ଼ବଡ଼େଇ ଗଲି । ଆରେ ! ବୁଝିପାରିଲି ଯେ ହୁଏତ ସେ ଏସବୁ କଥା ଭିଣେଇଙ୍କୁ ଜଣେଇବାକୁ ଚାହୁଁନାହାନ୍ତି, କିନ୍ତୁ ଏକଥା ବି ବୁଝିପାରିଲି ଯେ ମୋ ଅସୁସ୍ଥ ଶରୀର ମନକୁ ବି ଦୁର୍ବଳ କରୁଛି ତେଣୁ ଏଠି ଆଉ ବେଶିଦିନ ରହିବା ଠିକ ନୁହଁ । ଚାରିମାସ ପାଇଁ ଯାଇଥିଲି ହେଲେ ମାସେ ନ ପୂରୁଣୁ ଜୋର କରି ଫେରି ଆସିଲି ଘରକୁ ।

ଘଟଣା ଚାରି:

ବାବୁଜୀଙ୍କ (ମୋ ବାପା ସ୍ୱର୍ଗତଃ ଅସୀମ ବସୁ) ମୃତ୍ୟୁକୁ ମୁଁ ଗ୍ରହଣ କରି ପାରିନଥିଲି । ତାଙ୍କୁ ଏତେ ମିସ୍ କରୁଥିଲି ଯେ ପ୍ରାୟ ଡିପ୍ରେସନରେ ଚାଲି ଯିବା ଭଳି ଅବସ୍ଥା ହେଇଥିଲା । ସେତେବେଳେ ଗାଡ଼ିରେ ଗଲାବେଳେ ଯଦି ଦୁର୍ଘଟଣାର ସମ୍ଭାବନା ଦଉଥିଲା ତେବେ ମୋ ମନ ଭାରି ଖୁସି ହେଇ ଯାଉଥିଲା ଯେ ଯଦି ମରିଯାଏ ତେବେ ହୁଏତ ତାଙ୍କ ସହ ପୁଣି ଦେଖା ହେଇଯିବ !

ଥରେ ନିସ୍ତବ୍ଧ ରାତିରେ ସମସ୍ତେ ଶୋଇଗଲା ପରେ ମୁଁ ବସି ବାବୁଜୀଙ୍କ ଆତ୍ମଜୀବନୀ ମୂଳକ ବହି “କଥାରେ କଥାରେ” ପଢ଼ୁଥାଏ । ଖୁବ ତନ୍ମୟ ହେଇ ପଢ଼ି ଚାଲିଛି । କିଛି ସମୟ ପରେ ଅନୁଭବ କଲି ମୁଁ ଯୋଉ ଧାଡ଼ି ଗୁଡ଼ିକ ପଢ଼ୁଛି ସେସବୁ ମୁଁ ବାବୁଜୀଙ୍କ ସ୍ୱରରେ ଶୁଣି ପାରୁଛି । ମାନେ ବାବୁଜୀ ବଡ଼ ପାଟିରେ ମୋ ସହିତ ପଢ଼ି ଚାଲିଛନ୍ତି । ଖୁବ ସ୍ପଷ୍ଟ ସ୍ୱର । ସତେ ଯେମିତି ମୋ’ ଦେହକୁ ଲାଗି ବସିଛନ୍ତି ସେ । ମୁଁ ଆଶ୍ଚର୍ଯ୍ୟ ହେଇ ସଚେତନ ହେଲି ଆଉ ସେହି କ୍ଷଣି ସେ ନିରବି ଗଲେ । ପରବର୍ତ୍ତୀ ସମୟରେ ମୁଁ କେବେବି ତାଙ୍କ ସ୍ୱର ଶୁଣିନି ।

ଘଟଣା ପାଞ୍ଚ:

ଥରେ ଝିଅକୁ ନେଇ କିଛି ଦିନ ପାଇଁ ଜଣେ ଆତ୍ମୀୟଙ୍କ ଘରକୁ ଯାଇଥାଏ । ଦିନ ସାରା କଟିଗଲା ହସ ଖୁସି, ବୁଲାବୁଲିରେ । ରାତିରେ ଝିଅର ମୋର ଗୋଟିଏ ରୁମ୍‌ରେ, ଏକାଠି ଶୋଇଲୁ ।

ଆତ୍ମୀୟ ଜଣକ ପଚାରିଲେ, “ଲାଇଟ ଜଳୁଥିବ?”
ମୁଁ କହିଲି, “ନା ନା ।”

ସେ ଲାଇଟ ଲିଭେଇ ଦେଲେ । ସୁଇଚ୍ ବୋର୍ଡ଼ ଖଟଠାରୁ ଦୂରରେ, କବାଟ ପାଖରେ । ଖଟ ସିଧାରେ ଗୋଟିଏ ଛୋଟିଆ ଲାଲ ବତୀଟିଏ ଜଳୁଥାଏ ହେଲେ ସେଇଟା ଏତେ ଛୋଟ ଯେ ତା’ ପାଖ ଜାଗା ବି ଆଲୋକିତ ହଉ ନ ଥାଏ । ଆତ୍ମୀୟ ଜଣକ କବାଟ ଆଉଜେଇ ଦେଲା ପରେ ଘର ଭିତରେ ନିଷ୍ଛିଦ୍ର ଅନ୍ଧାର । ଏତେ ଅନ୍ଧାର ଯେ ଲାଗୁଥାଏ କାନ୍ଥ ସବୁ ପାଖକୁ ଲାଗି ଆସିଛି । ଅଭେଦ୍ୟ ଅନ୍ଧାର ଭିତରେ ବାଘ ଆଖି ଭଳି ସେଇ ଗୋଟିଏ ଲାଲ ଆଲୁଅ । ମୁଁ ଝିଅକୁ ନେଇ ଶୋଇଗଲି ନିଶ୍ଚିନ୍ତରେ ।

କେଜାଣି ରାତି କେତେ ହବ… ଝିଅ ମୋ ଉପରେ ଗୋଡ଼ ହାତ ଲଦିବାରୁ ନିଦଟା ଭାଙ୍ଗିଗଲା । ଜମାଟ ଅନ୍ଧାରରେ ଆଖି ଖୋଲିଲି । ଆଖିରେ ପଡ଼ିଲା ସେଇ ଆଲୁଅଟା । ସେଇଟା କିନ୍ତୁ ତା’ ଜାଗାରେ ସ୍ଥିର ନାହିଁ । ଏପାଖ ସେପାଖ ଘୂରି ବୁଲୁଛି । ସତେ ଯେମିତି ସେଇଟାକୁ ଧରି କେହି ଅନ୍ଧାର ଭିତରେ ଚାଲି ବୁଲୁଛି ।

ପ୍ରଥମେ ଭାବିଲି ଘର ଲୋକ କେହି, ତା’ ପରେ ଭାବିଲି ସ୍ୱପ୍ନ ଦେଖୁଛି କି ! ତା’ପରେ ଭାବିଲି ଝିଅ ଦେଖିଲେ ଡରିବ, ତେଣୁ ଅନ୍ଧାରରେ ହିଁ ଝିଅ ମୁହଁକୁ ଚାଦରରେ ଘୋଡ଼େଇ ନିଜ ଆଡ଼କୁ ଆଉଜେଇ ଆଣିଲି । ଏଥର ନିଜେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲି । ଟିକେ ପରେ ପୁଣି ଆଖି ଖୋଲି ଦେଖିଲି ଆଲୁଅଟା ତା’ ନିଜସ୍ଵ ସ୍ୱାଭାବିକ ଜାଗାରେ ଲାଗିଛି । ସ୍ଥିର । ମୁଁ ଆଉ କିଛି ଚିନ୍ତା ନ କରି ଶୋଇ ପଡ଼ିଲି ।

ଏ ପ୍ରତିଟି ଘଟଣା ସତ । ହୁଏତ ମୋ ଭ୍ରମ, ହୁଏତ ବାସ୍ତବ ନୁହଁ, କିନ୍ତୁ ଅଙ୍ଗେ ନିଭେଇଥିବା ସତ । ମୁଁ ଜାଣିନି ଏସବୁର ବ୍ୟାଖ୍ୟା କ’ଣ କିନ୍ତୁ ସବୁ କଥାର ବ୍ୟାଖ୍ୟା ଖୋଜିବା କ’ଣ ନିହାତି ଦରକାର?

ଥାଉ ନା କିଛି କଥା, କିଛି ଘଟଣା ଏଇମିତି ଅବାସ୍ତବ, ଅଲୌକିକ ।

– ଭାସ୍ୱତୀ ବସୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଭାସ୍ୱତୀ ବସୁ ଜଣେ ଓଡ଼ିଆ ଦୂରଦର୍ଶନ, କଥାଚିତ୍ର ଓ ମଞ୍ଚ ଅଭିନେତ୍ରୀ । ସେ କଳା ନିର୍ଦ୍ଦେଶକ ଅସୀମ ବସୁଙ୍କ କନ୍ୟା । ସେ କଥାନ୍ତର ଓ କ୍ଷଣିକା- ଦ ଲସ୍ଟ ଆଇଡି‌ଆ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । କଥାନ୍ତରରେ ନିଜ ଅଭିନୟ ନିମନ୍ତେ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ଅଭିନୟ କରିବା ବ୍ୟତୀତ କିଛି ଗପ, କବିତ ଓ ଆତ୍ମକଥା ଆସି ରଚନା କରନ୍ତି । ତାଙ୍କର କେତୋଟିଏ ପୁସ୍ତକ ମଧ୍ୟ ଆତ୍ମପ୍ରକାଶ କରିସାରିଛି ।