You are currently viewing ମନ ଚୋରାବାଲି
ମନ ଚୋରାବାଲି

ମନ ଚୋରାବାଲି

ଜୀବନ ଅଟଇ ଚୋରା ବାଲି ସମ
ଚାଲିବାକୁ ହୁଏ ବହୁତ ବାଟ
ଚାଲି ଚାଲି ପାଦ ଥକି ପଡ଼େ ସେତ
ଲକ୍ଷ୍ୟହୀନ ସୀମା ଅଦେଖା ବାଟ ॥

କେତେ ଆଶା ସ୍ୱପ୍ନ ପୂର୍ଣ୍ଣ ହୋଇଥାଏ
କେତେ ସ୍ୱପ୍ନ ରହେ ଅଧା ପାହାଚ
ସ୍ନେହ ପ୍ରେମ ଏଠି ଲୁଚକାଳି ଖେଳ
ବନ୍ଧା ପଡ଼ିଯାଏ ସୁନାର କାଚ ॥

ମରୁଦ୍ୟାନ ହୁଏ ପ୍ରୀତିର ଫଗୁଣ
ବସନ୍ତ ଝରାଏ ଶୁଷ୍କ ପବନ
କୋଇଲି କରେନା କୁହୁ ତାନ ଆଜି
କଣ୍ଠ ରୁଦ୍ଧ ତା’ର ଉଦାସ ମନ ॥

ବଞ୍ଚିବାର ଆଶା ନେଇ ଚାଲେ ସେତ
କଣ୍ଟାର ଆଘାତେ ରକ୍ତ ଝରଇ
ଯନ୍ତ୍ରଣାରେ ମନ ହୁଏ ଜର୍ଜରିତ
ତଥାପି ଚାହୁଁଛି ଚାଲିବା ପାଇଁ ॥

ଦିଗ ହଜା ମନ ହୁଏ ଚୋରାବାଲି
ଭଉଁରୀରେ ପଡ଼ି ଯନ୍ତ୍ରଣା ପାଏ
ତଥାପି ଜୀବନ ବଞ୍ଚିବାର ଆଶା
ସବୁ କଥା ଭୁଲି ଆଗକୁ ଧାଏଁ ॥

– ବାସନ୍ତୀ ଲତା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବାସନ୍ତୀ ଲତା ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।