ତମକୁ ବିଶ୍ୱାସର ସିଡ଼ି କରି ଏତେବାଟ
ଚଢ଼ି ଆସିଛି ସାଆନ୍ତେ
ମୋ’ ପୃଥିବୀ ଭିତରେ ତମେତ ଏକା ଜଣେ
ଯିଏ ବୁଝିଛି ମୋ’ ପେଟ ଚାଖଣ୍ଡକର ଦାଉ
ତମକୁ କ’ଣ ଅଜଣା ଯେ ସାଆନ୍ତେ..!
ତମ ସାଆନ୍ତ ପଣର ଡାକରା ପଡ଼ିଛି ଚାରିଆଡ଼େ
ତମେ ପାପୀକୁ ଦେଇପାର ମୁକ୍ତି,
ଭୋକିଲାକୁ ଅନ୍ନ, ଅନ୍ଧକୁ ଚକ୍ଷୁ,
ପଥରକୁ କରିଦେଇପାର ନାରୀ ।
ତମେ ହସିଦେଲେ ଦୁନିଆ ହସେ
ତମେ ଛୁଇଁଦେଲେ ପଥର ଭାସେ
ତମ ପାଖରେ କ’ଣ ଅସାଧ୍ୟ ସାଆନ୍ତେ..!
ତମେତ ଜମିଦାର
ତମ କ୍ଷେତର ହଳିଆଟିଏ ମୁଁ
ଯେବେବି ହାତ ପତେଇଛି ନିରାଶ ହୋଇନି
ସେହି ଭରସାରେ ଏତେ ବାଟ ମାଡ଼ି ଆସିଛି ସାଆନ୍ତେ…
ବୁଝିବ ମୋ’ ମନକଥା
ତମକୁ ନାଉରୀ ଭାବି ଆଶା ରଖିଛି
ପାରି ହେବାକୁ ଭବସିନ୍ଧୁ
ତମକୁ ବିକି ଦେଇଛି ମନ, ପ୍ରାଣ ସବୁକିଛି
ତେଣିକି ଯାହା ତମର ଇଚ୍ଛା ସାଆନ୍ତେ…
– ଶ୍ରୀ ସତ୍ୟବ୍ରତ ସାହୁ