You are currently viewing ମାଗ୍ନୋଲିଆ ଲୋ !
Odia Poem Magnolia Lo (ମାଗ୍ନୋଲିଆ ଲୋ) by Bijaya Parida

ମାଗ୍ନୋଲିଆ ଲୋ !

ଖିଆଲି ଚଇତି ତନୁ ଛୁଇଁ ଦେଲା
ରୂପସୀ ତୋ’ ମନ ନେଇ
ମାଗ୍ନୋଲିଆ ଲୋ’ ବସନ୍ତ ଆସିଛି
ପାଖୁଡ଼ା ମେଲାଉ ତୁହି ।
ପହିଲି ପ୍ରେମିକ ଶୁଭ ଆଗମନେ
ହସି ତୁ ଲୋଟୁଛୁ ଆଜି
ମାଦକତା ଭରା ଯଉବନ ତୋ’ର
ସରାଗେ ବସିଛୁ ସାଜି ।୧।

ନରମ ମନେ ତୁ ସପନ ସଜାଉ
ରୂପସୀ ଲାବନି କନ୍ୟା
ଗୋଲାପୀ ମିଶା ତୋ’ ଶରୀରର ରଙ୍ଗ
ଛୁଟାଏ ରୂପର ବନ୍ୟା
ତପସ୍ୟାରେ ରତା ତପସ୍ଵିନୀ ତୁହି
ନିଦାଘ ଜାଡ଼ରୁ ଜାଗି
ଢଳି ଢଳି ନାଚୁ କାକଳୀର ତାନେ
ମନ ମୋହି ନେଉ ଆଜି ।୨।

ସୁନେଲି ଓଢ଼ଣୀ ଟାଣି ତୁ ହସୁଛୁ
ଡାଳ ଚଉଦିଗେ ଭରି
କୋମଳ ପାଖୁଡ଼ା ମନମୋହି ନିଏ
ସୁରଭୀ ବାସ ବିତରି
ରସିକ ପ୍ରେମିକ ବିଟପ ମଧୁପ
ଚାରି ପାଶେ ଘୂରୁଥାଏ
ଗୁଣୁଗୁଣୁ ଗୀତ କୋମଳେ ସେ ଗାଇ
ମଧୁ ପୁଣି ଲୁଟି ନିଏ ।୩।

ମଧୁମୟ ଲାଗେ ଅନିତ୍ୟ ସଂସାର
ଯେବେ ତୋତେ ଚାହିଁ ଦିଏ
ବିହୋଳିତା ମୁହିଁ ତୋର ଦରଶନେ
ସ୍ଥାଣୁ ମୁଁ ପାଲଟି ଯାଏ ।

– ବିଜୟା ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଜୟା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।