You are currently viewing ମା’ର ପର୍ବ
Odia Poem Maa ra Parba (ମା'ର ପର୍ବ) by Sushree Sangita Sethy

ମା’ର ପର୍ବ

ଧବଳ ଆକାଶ ଶ୍ୱେତ କାଶତଣ୍ଡୀ
ସ୍ୱଚ୍ଛ ନିର୍ମଳ ଶରତେ,
ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ
ମା’ ଧରାକୁ ପାଦ ଥାପେ !

କାଶତଣ୍ଡୀ ସଜାଇ ତା’ ବାଟ ଗାଏ
ଆସ ମାଏ ଆସ ବେଗେ,
ଏ ଧରା, ଗଗନ ପ୍ରକମ୍ପିତ ହେଉ
ତୁମ ଜୟକାର ନାଦେ !

ଶଙ୍ଖ, ଘଣ୍ଟ ଧ୍ୱନି, ଅଗୁର, କର୍ପୂରେ
ଶୁଦ୍ଧ ହେଉ ଏ ସଂସାର,
ନାଶ ହେଉ ସବୁ ନକାରାତ୍ମକ ଶକ୍ତି
ଭରିଯାଉ ଆଶିଷେ ଅଗଣା, ଘର !

ମୁଖରିତ ହେଉ ଗାଁ ଦାଣ୍ଡ ଉତ୍ସବେ ମାତି
କୋଳାହଳ ଭରୁ ତୋ’ ଆଗମନେ,
ସବୁରି ମନରେ ଉଲ୍ଲାସ, ଉତ୍କଣ୍ଠା
ଭରି ଗାଉ, ନାଚୁ ଭକ୍ତ ମଗନେ ।

ଆସିଛୁ ମା’ ଗୋ ଧରାକୁ ଓହ୍ଲେଇ
ନମସ୍ତେ ନମସ୍ତେ ମା’ ଦୁର୍ଗା,
ଦଶଦିଶ ଆଜି କମ୍ପେ ତୋ’ର ଗୁଣ
ଗାନ କରି ହେ ଜଗତମାତା !

ଧନ୍ୟ ହେଲା ଏ ମାଟି, ଏ ପବନ
ତୋ’ ଚରଣ ସ୍ପର୍ଶ ପାଇ,
ତୁ ମା ପାବନୀ ତୋ’ ଆଶିଷ ଲୋଡ଼େ
ତୋ’ ମହିମା ଗାଇ ଗାଇ !

ଏ ସୃଷ୍ଟି ଥିବା ଯାଏଁ ତୋ’ର ଏ ପରବ
ସାଜୁଥାଉ ଏ ମାଟିରେ,
ଏତିକି ମାଗୁଣି ତୋ’ ଚରଣରେ ମା’
ଆସୁଥା ସବୁ ଅଶିଣରେ।

ଦଶହରାର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଆପଣଙ୍କୁ ! ମା ଦୁର୍ଗା ତାଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରଖନ୍ତୁ, ଆପଣଙ୍କ ଜୀବନ ସୁଖମୟ ହେଉ ମା’ଙ୍କ ଆଶିଷ ରୁ ! ମା ଦୁର୍ଗତିନାଶିନୀ ପାପ, ଅଧର୍ମର ନାଶକରି ଧର୍ମର ସ୍ଥାପନା କରନ୍ତୁ ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।