ନୀଳ ତରଙ୍ଗରେ ପୁଲକିତ ମନ
ସ୍ପର୍ଶେ ମତ୍ତ ମଧୁ ଅଳି,
ଛନ୍ଦା ଚରଣରେ ଲୟ କରି ଧ୍ୟାନ
ତୁମ ପ୍ରେମେ ମୁଁ ପାଗଳି ।
କିଏ କିଣିପାରେ ମନକୁ ମୋହର
ତୁମେ ମୋ ମନ ମୋହନ,
ଯୁଗଳ ପାଦକୁ ଥାପିଦେଇ ପ୍ରଭୁ
ଧନ୍ୟ କରିଛ ଜୀବନ ।
ତଡ଼ାଗ ଗଭାରେ ହସେ ନିରଳସ
ନୀଚ କୁଳ ଗୋତ୍ର ଜାଣି,
ପଉଷ କାକର ସରଇ ଆୟୁଷ
ଶୀତ ଯେହ୍ନେ ସଉତୁଣୀ ।
ପଙ୍କରୁ ଜନମ କାହିଁ ପୂଣ୍ୟ କର୍ମ
ତଥାପି ଆଶୀଷ ଧାରା,
ପତିତ ପାବନ ଅଙ୍ଗ ଅବୟବ
ନାମେ ଯୋଡ଼ା ଦେହ ସାରା ।
ନରକ ଯନ୍ତ୍ରଣା ଭୋଗେ ଏ ଜୀବନେ
ପଙ୍କରୁ ଜନମ ପାଇ,
ତୁମ ଶ୍ରୀପୟର ଅଙ୍ଗ ସଙ୍ଗ ଘେନି
ସବୁ ପାପ ଯାଏ ଧୋଇ ।
କର୍ମ ଫଳ ଯୋଗୁଁ କରୁଅଛି ଭୋଗ
କେଉଁ ପୂଣ୍ୟ ବଳ ପାଇଁ?
ଜନ୍ମ ଜନ୍ମାନ୍ତର ମୋ ସଙ୍ଗରେ ଭାବ
ଯୋଡ଼ିଛ ହେ ଗୋସାଇଁ ।
– ମନୋରଞ୍ଜନ ସୁରୁଜାଲ