ଶ୍ରୀକ୍ଷେତ୍ର ଅଧିର, ଭକ୍ତ ନାରଖାର
କେମିତି ଅଛ ହେ କାଳିଆ ଠାକୁର
ନିୟତି ପ୍ରକୃତି ସୃଷ୍ଟି ଆଦିରଥି
ସଂସାର ଶ୍ରୀଧର ତ୍ରିଲୋକ ମୂରତି
ପଞ୍ଚଭୂତ ପଞ୍ଚ ଇନ୍ଦ୍ରିୟ ପ୍ରକାଶେ
ସୃଷ୍ଟ ଜଗତ କି ହେବ ‘ସତ୍’ ଶେଷେ
ଆୟୁଷ ଅମୃତ କାଳଚକ୍ରର କବଚ
ନୀଳଚକ୍ର ଅଖ ଅଙ୍କେ ଆଉ କି ସଙ୍କୋଚ
ଦଶଦିଗ କୀର୍ତ୍ତି ସମାପ୍ତିବ ଦଶ ତୁଠେ
କ୍ଷଣେ ପ୍ରଳୟ ଘେରିବ ଏଇ ଧରା ରଥେ
ସଂସାର ସାଗର ପଦ୍ମେ ଲକ୍ଷ୍ମୀ ନାରାୟଣ
ପୂର୍ଣ୍ଣରୂପ ପରଂବ୍ରହ୍ମ ଭୁବନ ସୁନ୍ଦର
ଲେଖୁଛି ହେ ପ୍ରଭୁ କିଛି ହୃଦୟ ରୁଧିର
ସମର୍ପିତ ଭାବ ଏ ମୋ ଦୋଷ କ୍ଷମାକର
ଜଗତ ଈଶ୍ୱର ହେ ଜଗଦ୍ଦିଶ୍ୱର
ଭକ୍ତବନ୍ଧୁ ପରଂବ୍ରହ୍ମ ନିରାକାର
ସୃଷ୍ଟିର ସାରଥୀ ହେ ଜଗତପତି
ଅଛପା କି ଥିବ ତୁମେ ଆତ୍ମାର ସମ୍ପତ୍ତି
ସଂସାର ଲେଖନୀ ହେ ପ୍ରଭୁ ଚକ୍ରପାଣି
ତୁମ ବିନୁ କାହିଁ ଏ ଧରା ଧାମ ପୁଣି
ଜନ୍ମ କର୍ମ ମୋକ୍ଷ ତୁମ୍ଭରି ଶରଣେ
ଅନନ୍ତ ବ୍ରହ୍ମାଣ୍ଡ ଡୋରି ଶ୍ରୀଚରଣେ
ଭକ୍ତ ଭଗବାନ ବିଶ୍ୱ ସଂକୀର୍ତ୍ତନ
ପ୍ରତିକ୍ଷଣେ ତୁମେ ରଖୁଥାଅ ମାନ
କାଳଚକ୍ର ଗତି କି ହୋଇଲା ଏବେ
ଦର୍ଶନ ଦେଉନ ପ୍ରଭୁ କେଉଁ ଭାବେ
କେମିତି ବିପତ୍ତି ଏ କେମିତି ସମୟ
କେଉଁ ଲୀଳା ପଥେ ବିଶ୍ୱ, ହେ ଲୀଳାମୟ
ଭକ୍ତି ମୁକ୍ତି କୀର୍ତ୍ତି ମୈତ୍ରୀର ଆରମ୍ଭ
ଯେଉଁଠି ଅନ୍ତ ଏ ସଂସାର ବିଭବ
ଭାବମୟ ପ୍ରେମମୟ ଦିବ୍ୟ ବ୍ରହ୍ମପୁର
ଭକତ ପ୍ରବେଶ ପଥେ ରୁଦ୍ଧ ହେଲା ଦ୍ୱାର
ଅବଢ଼ା ଟଙ୍କତୋରାଣୀ ତୁଳସୀ ଚନ୍ଦନ
ନ ଦେଖି ନ ଛୁଇଁ ଝୁରେ ଭକ୍ତ ମନ ପ୍ରାଣ
ତେଲ ଲୁଣ ତଣ୍ଡୁଳ ଯେ କିଛି ନ ମିଳଇ
ଶତ ଶତ ବାସ ହିତେ ଛାତ ଆଉ ନାହିଁ
ଅତ୍ୟାଚାରୀ ରାଜା କରେ ଅନ୍ୟାୟ ପ୍ରବଳ
ଜନ୍ମଭୂମି ଦୂରେ ଥିଲେ ନ୍ୟାୟ କାହିଁ ଦୂର
ଏକ ଦ୍ୱାରେ ମାନବ ଯେ ଈଶ୍ୱର ରୂପରେ
ଶାହା ହୁଏ ଶତ ସହସ୍ର ଜୀବନ ଯଜ୍ଞେ
ଅନ୍ୟ ପକ୍ଷେ ଭକ୍ଷକ ସାଜଇ ଏ ମାନବ
ଜୟ ଜଗନ୍ନାଥ କହି ଲଭୁଛୁ ଗରବ
ସୁଖ ଦୁଃଖ ପଦେ ବୁଝିବା ପାଇଁ କି
ଦ୍ୱାର ପକାଇଛ ଭକ୍ତ ଭୋଜ କାନ୍ତି
ଛପନ ଭୋଗ ଯେ ଷାଠିଏ ପଉଟି
କେମନ୍ତେ ଚାଖୁଛ ଶ୍ରୀମନ୍ଦିରେ ବସି
ଦେଖ ହେ ସାଆନ୍ତ, ତୁମ୍ଭ ଏ ଜଗତ
କି ଦଶା ଭୋଗୁଛି, କି ବା ହନ୍ତସନ୍ତ
ଶ୍ରୀକ୍ଷେତ୍ର ଅଧିର, ଭକ୍ତ ନାରଖାର
କେମିତି ଅଛ ହେ କାଳିଆ ଠାକୁର
ଲକ୍ଷ୍ମୀ ରାନ୍ଧଣା ଯେ ଶାଗ କ୍ଷୀରି ପୁଳି
ଏକାନ୍ତେ ଭୋଗ କି ସିଂହଦ୍ଵାର ଦେଇକରି
ଅନାହାରେ ବାର ରୋଗ ତେର ଘରେ
ମୁଣ୍ଡ ଗଡ଼ିଲାଣି ଦେଖ ବିଶ୍ରାମ ବିରାମେ
ବଡ଼ଖିଆ ପ୍ରଭୁ ଲବଣୀ ଚୋର ହେ
ଚୋରି କରିନିଅ ରୋଗ ଭୋଗ ଭୟେ
ନିଦାବିଷ୍ଣୁ ସାଜି କି ନିଦ୍ରା ଯାଇଛ
ଭକତ ଦୁଃଖ କିମ୍ପାଇଁ ନ ଶୁଣୁଛ
କେତେ ଆଉ ନିଦ୍ରା ଯିବ ଅନନ୍ତ ନାରାୟଣ
ତ୍ରାହି ତ୍ରାହି ଶୁଭିଲାଣି ଶୁଣ ହରି ଶୁଣ
ସଂସାର ହେବ କି ଶୂନ୍ୟ, ହେବ କି ଶ୍ମଶାନ
କେବେ ଲୀଳା ରଚିବ ହେ ବାବୁ ବାଇମନ
ଭକତ ବତ୍ସଳ ଭଗବାନ ଯେ ବୋଲାଅ
ଦାରୁଣ ସମୟେ ଦୁଃଖ କାହିଁକି ନ ଶୁଣ
ଭଗବାନ ପଥକୁ ଯେ ଭକ୍ତ ଝୁରି ଝୁରି
ତୁମ୍ଭେ ନ ଶୁଣିଲେ ଆଉ କିଏ ହେବ ସରି
ଷାଠିଏ ରାତି ପାହିଲା ସତର ଜହ୍ନ ଉଇଁଲା
ଭକତ ପ୍ରାଣ ଛାଡ଼ିଲା ଭଗବାନ ନ ଦିଶିଲା
ସରିବ କି କାଳ ଆସିବ କି ଅକାଳ ଜନମ
ଅବା ସୁଦର୍ଶନେ ଦିଶିବେ କଳକୀ ଭଗବାନ
ଭକତ ଆଖିରୁ ଝରେ ଲୁହର ସାଗର
ନିଃଶ୍ୱାସେ ଚନ୍ଦନ ବାସେ ଆସ ଚକ୍ରଧର
ଆତ୍ମା ଝୁରିଲାଣି ତବ ଚକାଆଖି ଠାଣି
କେବେ ଦର୍ଶନ ଦେବ ହେ ଜଗନ୍ନାଥ ସାଇଁ
ଆତ୍ମା ବିନା ଶରୀର ଯେ ବ୍ରହ୍ମ ବିନା ଭକ୍ତବାଣୀ
ଶୂନ୍ୟ ସଂସାର ସତ୍ତା ଯେ ଶୂନ୍ୟ ଶୂନ୍ୟ ଦିଶିଲାଣି
ହୃଦ କହେ ପ୍ରାଣ କହେ ଆତ୍ମା ମୋ’ର କହେ
ଦୁଃଖନିଧି ଦୁଃଖେ ଥିବେ ଦେଖନ୍ତିକି ଛାଏଁ
କେତେ ଆଉ ରୋଷ ଯିବି ଆରେ ବାବୁଧନ
ତୁ ବି ଭୋକରେ ଅଛୁ ଜାଣେ ଏଇ ମନ
ତତେ ନ କହି ମୁଁ ଆଉ କାହାକୁ କହିବି
ଜାଣେ ତୁ ଏକା ଶୁଣିବୁ, ମୁଁ ଯେ କହୁଥିବି
ତୁ ଏକା ସାତ ସତ୍ୟ ପରମ ପାବନ
ଆଉ ସବୁ ମିଥ୍ୟା ଏଠି ମିଥ୍ୟା ଏହି କ୍ଷଣ
ତୋ’ ବିନା ସଂସାର ଶୂନ୍ୟ, ଶୂନ୍ୟ ଏ ପୃଥିବୀ
ତୋ’ ଠାରେ ପ୍ରତିଫଳିତ ସାରା ବିଶ୍ୱ ଛବି
ଭକତ ଶରଧା ବିନା ପ୍ରଭୁ ଯେ ପାଷାଣ
କେମିତି ଏକାନ୍ତେ ଥିବେ ଶ୍ରୀରାଧା ରମଣ
ରୁଚୁଥିବ କି ନାହିଁ ମା’ ଲକ୍ଷ୍ମୀଙ୍କ ରାନ୍ଧଣା
ଦାସିଆ ନଡ଼ିଆ ଓ ଶବରୀ କୋଳି ବିନା
କେବେ ଯିବି ଦେଖିବି ମୋ କାଳିଆ ସୁନାକୁ
କୁନି କୁନି ହାତରେ ଚଳାଏ ଜଗତକୁ
ତୁଳସୀ ଚନ୍ଦନ ବାସେ ଶରଧା ତା’ର
ଯିବାଦିନ ନେଇଥିବି ଚନ୍ଦ୍ରିକା ଚଅଁର
କଳାକାଠ ଦିଶିବଣି ତା କଳା ବଦନ
ଭକତ ଦୁଃଖକୁ ଅନୁଭବେ ଘନଶ୍ୟାମ
ନିଶି ନିଶି ଶୁଏ ନାହିଁ ଅନନ୍ତ ଶୟନେ
ଭକ୍ତ ଜାଣେ ଭଗବାନ ଦୁଃଖେ କି କାରଣେ
ଭାଗ୍ୟ ଥିଲେ ଭାଗୀ ହେବି ଘୋଷଯାତରାର
କି ହେବ ସକାଳେ କେବେ ରାତିକୁ ନ ପଚାର
ସକାଳ ସୂରୁଜ ବିନା ସାୟଂ ନ ଆସଇ
ଦୁଃଖଦ ଏ କାଳକୁ ଯେ ହେୟ ନ ମଣଇ
ହେ ଦୁଃଖବନ୍ଧୁ ଆଉ ଦୁଃଖେ ରୁହନାହିଁ
ରତ୍ନ ସିଂହାସନୁ ପ୍ରଭୁ ଆସ ଗୋ ଓହ୍ଲାଇ
ଗଡ଼ିଲାଣି ସମୟ ଯେ ଗଡ଼ିଯିବ ମୁଣ୍ଡ
ତୁମ୍ଭ ନନ୍ଦିଘୋଷ ଆଉ କିଏ ଯେ ଟାଣିବ
ସଂସାର ଦୁଃଖ ସରିବ ହୋଇବ ସକାଳ
ଅଦିନ ଝଡ଼ ଏ ନାହିଁ ଆୟୁଷ ତାହାର
ଶ୍ରୀକ୍ଷେତ୍ର ଅଧିର, ଭକ୍ତ ନାରଖାର
କେମିତି ଅଛ ହେ କାଳିଆ ଠାକୁର
– ଅଭିଲିପ୍ସା ସାହୁ
Comments
ଅଭିଲିପ୍ସା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।