You are currently viewing କଳଙ୍କ
କଳଙ୍କ

କଳଙ୍କ

ନିଜ ଦେହ କଳଙ୍କ ଅନ୍ୟ ଦେହେ ବୋଲି,
କି ସୁଖ ଅବା ପାଇଲୁ ।
ଜନନୀ, ଭଗିନୀ ଭଳି ବହୁମୁଖୀ ନାରୀକୁ,
ଜୀଅନ୍ତା ନର୍କରେ ଠେଲିଦେଲୁ ।

କ୍ଷଣ ସ୍ଥାୟୀ ସୁଖ ପାଇଁ ଭୁଲିଗଲୁ ତୁହି,
ହେଲୁ କାମରୁପି ରାକ୍ଷାସ ।
ଅନ୍ୟର ଭଗିନୀ ବୋଲି କଳଙ୍କ ଦେଲୁ ବୋଳି,
ନାହିଁ କିରେ ତୋ ଅବଶୋଷ ।

ଜନନୀ ହୋଇ ଜନ୍ମ ଦେଲା ସିଏ,
ମମତା ତା’ର ଅତଳସ୍ପର୍ଶୀ ।
ସେହି ନାରୀର ବିକଳ ଚିତ୍କାର,
ଶୁଣି କରୁ ଦରହାସୀ ।

ସଳିତା ପରି ନିଜକୁ ଜାଳି,
ସମାଜକୁ କରେ ଯେ ପ୍ରକାଶିତ ।
ତା’ଦେହେ ବୋଳି କଲଙ୍କର ଲେପ,
କଲୁ ତାକୁ ମର୍ମାହତ ।

ଗମାର ବୋଲି ହେଲୁ ପରିଚିତ,
ସତରେ ତୁ ବଡ଼ ନିର୍ବୋଧ ।
ଜାଣି ଶୁଣି କଲୁ ତୁ ଯେ,
ପୁଣି ସେ ଧର୍ତ୍ତବ୍ୟ ଅପରାଧ ।

କି ଗୁଣରେ ପୁରୁଷ ତୁହି,
କାହିଁ ତୋ ପୁରୁଷତା ।
ଅବଳା, ଦୁର୍ବଳା ଭାବି କଲୁ ଅତ୍ୟାଚାର,
ନାହିଁ କିରେ ତୋ ମନୁଷ୍ୟତା ।

ହେ ଜ୍ଞାନୀ ଗୁଣି ଗୁରୁଜନ,
ତୁମେ ଯେ ବଡ଼ ବିଦ୍ୱାନ ।
କରୁଛି ଗୁହାରି କରି ସତ ସତ ନମନ,
ସୃଷ୍ଟିକାରିଣୀ ସିଏ ଦିଅ ତା’ କର୍ମର ସମ୍ମାନ ।

– ଜଗନ୍ନାଥ ଚୌଧୁରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜଗନ୍ନାଥ ଚୌଧୁରୀଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ଜଣେ ସମାଜସେବୀ ଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।