You are currently viewing ଯନ୍ତ୍ର ଦାନବ
ଯନ୍ତ୍ର ଦାନବ

ଯନ୍ତ୍ର ଦାନବ

ଭଗବାନ ସୃଷ୍ଟ ମନୋହର ଜଗତେ
ତୁ ଏକା ଶ୍ରେଷ୍ଠ ମରତେ,
ସୁନ୍ଦର ରଚନାର ତୁ ପ୍ରତୀକଟେ
ନବ ଯୁଗର ତୁ ସତ୍ୟଟେ ।

ଧର୍ମର ସନ୍ତାନ ତୁ ମାନବ
କର୍ମର ପ୍ରତିଦାନ,
ଧର୍ମପଥରେ ସୃଜିଲୁ ଦାନବ
ଯନ୍ତ୍ରକୁ ଦେଲୁ ପ୍ରାଣ?

କାଲିର ଦାନବ ଆଜିର ଯନ୍ତ୍ରାଂଶ
କରଇ ଧର୍ମର ନାଶ
ଶତବୁଦ୍ଧି ରଖିଥିବା ଏ ରୁଦ୍ରାଂଶ
ହାରଇ ଯନ୍ତ୍ରର ପାଶ ।

ମାନବ ଅଟଇ ଶୋଣିତ ସନ୍ତାନ
ସବୁଠାରୁ ବଡ଼ ଜ୍ଞାନୀ !
ଗର୍ବ ତାକୁ ହିଁ କରିବ ଖର୍ବ
କରିବ ହୀନମାନି ।

ଯନ୍ତ୍ର ଦାନବ ମନ୍ତ୍ର ପାଖେ ତୁ
ମାନ ନାହି ଆଜି ହାର୍
ତୁ ତ ଏଇ ମାଟି ମାଆର ମଣିଷ
କର ତାକୁ ନାରଖାର୍ ।

କୃତିମ ନରର ବ୍ରହ୍ମାସ୍ତ୍ରରେ
ମସ୍ତକ ନ କର ତଳ,
ଜାଗ ଆହେ ବୀର ମାନବ
ଶତ୍ରୁକୁ କର ବିଫଳ ।

ତୋ ସାମ୍ନାରେ ଛିଡ଼ାଅଛି ଆଜି
ମାନବର ସଇତାନ୍
ଛିନ୍ନ କର ତା’ ସବୁ ଶରୀରକୁ
ହେଇଯା ଇନ୍ସାନ୍ ।

ଚାରିଆଡ଼େ ଆଜି ଶୁଭାଯାଉଅଛି
ଯନ୍ତ୍ରର ଭୀମ ହୁଙ୍କାର
ପ୍ରଭୁଙ୍କର ଏଡ଼େ ସୁନ୍ଦର ଧରାକୁ
କରିଦେଉଛି ସେ ଚୁରମାର୍ ।

ପୃଥିବୀକୁ କରଇ ପ୍ରଦୁଷଣ ଯୁକ୍ତ
ବାୟୁକୁ ଅତି ବିଷାକ୍ତ
ନଦୀ ନାଳ ଜଳ ହୁଅଇ ଦୂଷାକ୍ତ
ଅନଳ ହେଲା ରକ୍ତାକ୍ତ ।

ମହାପବିତ୍ର ମନ୍ଦାକିନୀ ଧାରା
ହେଲା ଆଜି ଅତିଷ୍ଠ
ଯା’ ଜଳ ପିଇଲେ ଦେବତା ମଧ୍ୟ
ହେଉଥିଲେ ତିଷ୍ଠ ତିଷ୍ଠ ।

ସବୁଜ ଶ୍ୟାମଳ ନିକି ପରିବେଶ
ହୋଇଲା ସମୁଳେ ଧ୍ୱଂସ,
ରାମରାଜ୍ୟେ ହେଲା ସତୀଙ୍କ ହରଣ
ନାଶଇ ମାନବ ବଂଶ ।

ଯୁଗବ୍ୟାପି ଏଇ ସଂଗ୍ରାମକୁ
କଲ ହେ ନିମନ୍ତ୍ରଣ !
ଏବେ ପୁଣି କାଇଁ ଯୁଦ୍ଧ ପାଇଁ
ସ୍ୱୀକାରୁନ ଆମନ୍ତ୍ରଣ?

ରୁଧିର ଗଡ଼ାଅ ଲୁହ ହଜାଅ
ଆସ ହେ କର୍ମ କ୍ଷେତ୍ର
ଦାସତ୍ୱରୁ ମୁକ୍ତି ପ୍ରାପ୍ତିର ଏହା
ଅଟେ ସୁଯୋଗ ମିତ୍ର ।

ଜାଗ ହେ ମାନବ ଜାଗିଉଠ ତୁମେ
ଯନ୍ତ୍ରକୁ କର ବିନାଶ,
ରାମରାଜ୍ୟ ସ୍ଥାପି ସ୍ୱଦେଶୀ ପାଳ ହେ
ବିଦେଶୀକୁ କର ଶେଷ ।

ଏ ତରୁଣୀ ଧରାର କୋମଳ ଶରୀରୁ
ହଟାଅ ଏ ଲୌହ ପାଦ,
ଲୌହ ମାନବକୁ ଧରା ପୃଷ୍ଠରୁ
ନାଶ କର ହେ ଦେବଦ ।

ସୃଷ୍ଟି କର ନିଜର ଏକ ନବ ସୃଷ୍ଟି
କର ମଧୁର ସଂସାର,
ଧର୍ମ ପଥରେ ପଥିକ ହୋଇ
କର ସତ୍ ଆଚାର ।

ଆୟୁଷ୍ମାନ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆୟୁଷ୍ମାନ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।