ହାପି ରୋଜ୍ ଡେ…
Happy Rose Day

ହାପି ରୋଜ୍ ଡେ…

ଗୋଲାପ ଏମିତି ଗୋଟିଏ ଫୁଲ, ନିଜେ ଗଛରୁ ଅଲଗା ହୋଇଯାଏ କିନ୍ତୁ ଦୁଇଟି ହୃଦୟ ଯୋଡ଼ିଦିଏ । ଫୁଲଟେ ହେଲେବି ଗୋଲାପର ମନ ଅଛି, ଇଛା ବି ଅଛି । ଗୋଲାପ ଫୁଲରେ କଣ୍ଟା ଥିଲେ ମଧ୍ୟ ତା’ ସୌନ୍ଦର୍ଯ୍ୟରେ ସମସ୍ତେ ଆକର୍ଷିତ ହୋଇଯାନ୍ତି । ସମସ୍ତଙ୍କ ଭିତରୁ ମୁଁ କେମିତି ଅଲଗା ହୋଇଯିବି? ଗୋଲାପର ସୌନ୍ଦର୍ଯ୍ୟ ଓ ବାସ୍ନାରେ ଆକର୍ଷିତ ହୋଇ ମୁଁ ଧାଇଁଗଲି ତା’ ପାଖକୁ । କଲେଜର ବଗିଚାରୁ ତୋଳି ଆଣିଥିଲି ସେଇ ଗୋଲାପ ଫୁଲକୁ, ଖାସ୍ ତୋ’ରି ପାଇଁ । କାଳେ କିଏ ଦେଖିଦେବ, ଦେଖିଦେଲା ପରେ କ’ଣ କହିବ ସେ ସବୁକୁ ମୋର ଆଖି ନଥିଲା, କାରଣ ମୋ ଆଖି ସାମ୍ନାରେ ତୁ ଥିଲୁ ।

ଗୋଲାପ ଫୁଲକୁ ଗଛରୁ ତୋଳି ଆଣିବା ବେଳେ କଣ୍ଟାର ଆଘାତ ସହିବାକୁ ହୁଏ । ସେ ଆଘାତକୁ ବି ମୁଁ ହସି ହସି ସହିଯାଇଥିଲି । କଲେଜର ବଗିଚା ଉପରେ ସମସ୍ତଙ୍କ ନଜର ରହିଥାଏ, ତଥାପି ସମସ୍ତଙ୍କ ନଜରକୁ ଫାଙ୍କିଦେଇ ତୋଳି ଆଣିଥିଲି ଗୋଲାପ ଫୁଲଟିଏ ତୋ’ ପାଇଁ । ବଗିଚା ଭିତରୁ ଫୁଲ ଆଣିବା ଯେତିକି ଦୁଃସାହସିକ କାମ ତତେ ଫୁଲ ଦେବା ସେତେ ସହଜ ନଥିଲା, କାହିଁକି ନା ତୁ ଥିଲୁ ତୋ’ ସାଙ୍ଗମାନଙ୍କ ଗହଣରେ । ମୋ ମନର ଯେତେ ସବୁ ସାହାସକୁ ଏକଜୁଟ କରି ତୋ ପାଖରେ ପହଞ୍ଚିଲି । ଗହଳି ଭିତରୁ ଭିଡ଼ି ଆଣି ତୋ’ ହାତରେ ଧରେଇ ଦେଲି ତୋଳିଥିବା ସେ ଗୋଲାପ ଫୁଲଟିକୁ । ତୁ କିଛି କ୍ଷଣ ପାଇଁ ଗୋଲାପ ଫୁଲକୁ ତୋ ହାତରେ ଧରି ପୁନର୍ବାର ମୋ ପକେଟରେ ରଖି ହସି ହସି ଚାଲିଗଲୁ ତୋ’ ବାଟରେ । ତୋ’ ହାତରେ ସ୍ପର୍ଶରେ ସତେ ଯେମିତି ଗୋଲାପଟି ନୂଆ ଜୀବନ ପାଇଥିଲ। ।

ଆଜି ହୁଏତ ସେ ଗୋଲାପ ଫୁଲରେ ଜୀବନ ନଥାଇ ପାରେ, କିନ୍ତୁ ପ୍ରତିଟି ପାଖୁଡ଼ା ତୋ ସ୍ପର୍ଶରେ ଜୀବନ୍ତ ହୋଇ ରହିଛି । ତୋ ସାମ୍ନାରେ ଗୋଲାପ ଫୁଲ ଦେଇ ନପାରିଲେ କ’ଣ ହେଲା, ତୋ ଫଟୋ ସାମ୍ନାରେ ମଉଳି ଯାଇଥିବା ଫୁଲକୁ ରଖି କହୁଛି 🌷HAPPY ROSE DAY🌷…

– ସ୍ୱାଗତ ମିଶ୍ର
ସ୍ନାତକୋତ୍ତର ଓଡ଼ିଆ ବିଭାଗ
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଭଞ୍ଜବିହାର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu