ସକାଳ ସୁରୁଜେ ଦେଖିଛି ପ୍ରେମକୁ
ଦେଖିଛି ମୁଁ ନଦୀ କୂଳେ,
କେଡ଼େ ପବିତ୍ର ଯେ ରୂପଟି ତାହାର
ହଜି ନାହିଁ କାଳ ବଳେ ।
ଦେଖିଛି ପ୍ରେମକୁ ସାଗର ବୁକୁରେ
ଦେଖିଛି ମୁଁ ଆକାଶରେ,
ବସନ୍ତ ଋତୁର ସେ ଛୁଆଁରେ ଦିନେ
ରହିଥିଲା ହୃଦୟରେ ।
ଆସିଥିଲା ପ୍ରେମ ଧାନ କିଆରିରୁ
କାଦୁଅ ପଙ୍କର ବିଲେ,
କହିଦେଇ ଗଲା ଆସି କେତେକଥା
ଆଜି ତାକୁ ଖୋଜିବୁଲେ ।
ଦେଖିଥିଲି ତାକୁ ସେ ଜହ୍ନ ରାତିରେ
ଶାନ୍ତ ଜୋତ୍ସ୍ନାର କିରଣରେ,
ସେହିଥିଲା ଦିନେ ସବୁକିଛି ମୋର
ହୃଦୟ ଯେ ଆଜି ଝୁରେ ।
ଖୋଜୁଛି ଆଜି ମୁଁ ବସି ନିରୋଳାରେ
ତା’ ରୂପକୁ ଦେଖିବାକୁ,
କଥା ଦେଇ ଦିନେ ଯାଇଥିଲା ଦୂରେ
କହିଥିଲା ଫେରିବାକୁ ।
– ରଶ୍ମିରଞ୍ଜନ ନାୟକ