You are currently viewing ଗଣେଶ ଚତୁର୍ଥୀ
Odia Poem Ganesha Chaturthi (ଗଣେଶ ଚତୁର୍ଥୀ) by Prakash Meher for Ganesh Puja

ଗଣେଶ ଚତୁର୍ଥୀ

ମୂଷିକ ଉପରେ ବିରାଜିତ ହୋଇ
ଆସୁଛନ୍ତି ପାର୍ବତୀ ସୁତ ।
ନଗ୍ରେ ନଗ୍ରେ ସେତ ଅଗ୍ରପୂଜ୍ୟ ଦେବ
ସର୍ବତ୍ର ହୋଇବ ପୂଜା ॥

ବିଗ୍ରହ ତୁମର କଳାକାର ହସ୍ତେ ଗଢ଼ା
ସୁନ୍ଦର ସୁଶୋଭିତ ସଜା ।
ଅମ୍ଳାନ କିର୍ତ୍ତୀରାଜି ମାଟି ଦେହରେ
ଏହା ତୁମରି ସୁଦୟା ॥

ବିଶ୍ଵବ୍ୟାପୀ ତୁମ ଆରାଧନା ପାଇଁ
ଭାଦ୍ରବ ମାସ ଚତୁର୍ଥୀ ଦିନ ।
ଏକଦନ୍ତ ଆଜି ବିଦ୍ୟମାନ ହେବେ
ବିଘ୍ନ କରିବ ହେ ଖଣ୍ଡନ ।।

ପୂଜାମଣ୍ଡପେ ଆରତି ଆରାଧନା ଦେଇ
ତବ ନାମକୁ ସ୍ମରଣ କରୁ ।
ଲମ୍ବୋଦର ଆହେ କରୁଣା କରିବ
ତୁମ ଭକ୍ତି ସବୁ ଦିନ ରହୁ ॥

କିଛି ନ ଜାଣଇ ମୁଁ ମୂର୍ଖ ତବ ପୂଜା ବିଧି
କିଭଳି ଡାକିବି ହେ କହ ।
ବିଘ୍ନ ସମୟରେ ତୁମ ନାମକୁ ଜପିଲେ
ବିପଦରୁ ଉଦ୍ଧାରି ଦିଅ ॥

ମିଠା ଲଡ଼ୁ ଭୋଗ ସୁସ୍ଵାଦୁ ନାନା ଫଳ
ଦୀପ ଧୂପ ଜାଳି ଦେଇ ।
ପୁଷ୍ପମାଳା ଆଜି ହେ ଗୁନ୍ଥା ହୋଇ ଅଛି
ତୁମ ଗଳାରେ ଲମ୍ବିବ ଯାଇ ।

ବାହନ ପାଇଁ ଧାନ ଥାଳ ଦେଇଛି ରଖି
ଆନନ୍ଦେ ଖାଇବ ଆଜି ।
ମୂଷିକ ସହିତେ ପୁଣି ଫେରି ଯିବ
ସମସ୍ତଙ୍କୁ ଶୁଭ ଆଶିଷ ଦେଇ ॥

ବିଦ୍ୟା ବୁଦ୍ଧି ଦାତା ଆହେ ଗଣନାଥ
ଦିଅ ହେ ଜ୍ଞାନ ଭଣ୍ଡାର ।
ଅଜ୍ଞାନ ମୂର୍ଖ ଅନ୍ଧାରରୁ ତରିବେ
ଯୋଡ଼ି କରେ ନମସ୍କାର ॥

ତୁମ ଦୟା ବଳେ ଏ ସାରା ସଂସାରେ
ବିଦ୍ୟା ଲଭନ୍ତି ଶିଷ୍ୟ ଗଣ ।
ଆଶୀର୍ବାଦ ତୁମ ସଦା ରହିଥାଉ ଦେବ
ମୁଁ ଲେଖେ ଅଜ୍ଞ ନଗଣ୍ୟ ॥

ସର୍ବତ୍ର ବିରାଜିତ ସର୍ବତ୍ର ପୂଜିତ ଦେବା
ଲମ୍ବୋଦର ଆହେ ସିଦ୍ଧିଦାତା ।
ଅଗ୍ରପୂଜ୍ୟ ହୋଇ ପାଉଛ ଶ୍ରେଷ୍ଠ ପୂଜା
ଦଣ୍ଡବତ ଘେନ ବିଦ୍ୟାଦାତା ॥

ସବୁ ବରଷରେ ଆସୁଥିବ ପୂଜା ସ୍ଥାନେ
ନିବେଦନ ମୋର ଗଜାନନ ।
ବିଦ୍ୟା, ବୁଦ୍ଧି,ସିଦ୍ଧି ଦେଇ ଯିବ ତୁମେ
ତୁମକୁ କରୁଛୁ ହେ ଜଣାଣ ॥

ତବ ପୂଜା ପାଇଁ ଭାଦ୍ରବ ମାସ ଚତୁର୍ଥୀ
ଶୁକ୍ଳପକ୍ଷ ତିଥି ଧାର୍ଯ୍ୟ ।
ଯେହୁ ନ କରେ ତୁମକୁ ସ୍ମରଣ ମନେ
ସେ କାର୍ଯ୍ୟ ହୁଏ ଅସିଦ୍ଧ ॥

– ପ୍ରକାଶ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରକାଶ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।