You are currently viewing ବିଘ୍ନ ବିନାଶକ
Odia Poem Bighna Binashaka (ବିଘ୍ନ ବିନାଶକ) by Bapini Singh for Ganesha Puja

ବିଘ୍ନ ବିନାଶକ

ଦିଅ ଦିବ୍ୟଜ୍ଞାନ ଦିଅ ଶୁଭବୁଦ୍ଧି
ଆହେ ସିଦ୍ଧି ବିନାୟକ
ସଞ୍ଜ ଆଳତୀରେ ପ୍ରାର୍ଥନା ସଭାରେ
ତୁମେ ହିଁ ପ୍ରଥମ ଶ୍ଳୋକ ।

ତୁମ ଆଶିଷରୁ ବିଦ୍ୟା ମହାଧନ
ସହଜେ ଲାଭ ହୁଅଇ
ମହାଜ୍ଞାନୀ ବୋଲି ସାରା ସଂସାରରେ
ପ୍ରଶଂସା ସିଏ ଲଭଇ ।

ମୂଷିକ ବାହନ ହେ ଗଜ ବଦନ
ତୁମେ ଦୟାର ସାଗର
ତୁମ ଆଗମନେ ହରଷିତ ମନେ
ଚାହିଁଛି ସାରା ସଂସାର ।

ସକଳ ଶକ୍ତିର ତୁମେ ହିଁ ଆଧାର
କୋଟି ସୂର୍ଯ୍ୟ ତୁମ ଜ୍ୟୋତି
ତୁମେ ମହାରଥି ଆହେ ଗଜପତି
ତୁମ ବିନୁ ନାହିଁ ଗତି ।

ହେ ଗୈାରୀ ନନ୍ଦନ ବିଘ୍ନ ବିନାଶକ
ଗୁଣନିଧି ଗଜାନନ
କାର୍ତ୍ତିକେୟ ଭ୍ରାତା ପ୍ରଭୁ ଶ୍ରୀ ଗଣେଶ
ଜ୍ଞାନଦାତା ଭଗବାନ ।

ଅଗ୍ରପୂଜ୍ୟ ଦେବ ପିତା ମହାଦେବ
ମାତା ପାର୍ବତୀଙ୍କ ସୂତ
ମାତାଙ୍କ ଆଦେଶେ ରହି ଦ୍ଵାର ଦେଶେ
ପାଳିଥିଲ ତୁମେ ବ୍ରତ

ବୁଣ ପୁଣ୍ୟ ବୀଜ ଏ ଭବ ସଂସାରେ
ପ୍ରଭୁ ସିଦ୍ଧି ବିନାୟକ
ଅବତରି ଆସ ତୁମେ ଏ ଧରାକୁ
ସାଜି ବିଘ୍ନ ବିନାଶକ ।

– ବାପିନି ସିଂ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବାପିନି ସିଂ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।