You are currently viewing ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ

ବାପାମାଆ ଆଉ ଜେଠେଇ ହଠାତ ଅଁଳା ନବମୀରେ ଆମ ଘରକୁ ଆସିବାର ଥାଏ ।
– “ଅଁଳା ନବମୀ ଦିନ ବାପାମାଆ ଆସୁଛନ୍ତି ।”
– “ଆଛା, ଏକା ଆସିବେ ନା କ’ଣ?”

“ନା ନା, ମିକୁନ ଗାଡ଼ି ନେଇ ଆସୁଛି । ମାଆଙ୍କର ବଡ଼ଓଷା ବ୍ରତ ଉଜ୍ଜାପନ କରିବାର ଅଛି ତ, ସେଇପାଇଁ ସମସ୍ତେ ଆସିବେ ।” ସ୍ୱାମୀ ଯଦିଓ ମୋ ଘର ଲୋକଙ୍କ ସହ ଖୁବ ମେଳାପୀ କିନ୍ତୁ ମୋ ଘର ଲୋକ ଆସିଲେ ମୋତେ କାହିଁକି କେଜାଣି ଭାରି ଅଡ଼ୁଆ ଲାଗେ । “କାଳେ ଖରାପ ଭାବିବେ କି?” ମୁଁ ଜାଣେ ଏଇଟା ମୋ ମନର କେବଳ ଡର ଗୋଟାଏ, କାରଣ ଚିନ୍ମୟ ଜଣେ ଭଦ୍ରଲୋକ ତଥା ମୋ ଘରଲୋକଙ୍କ ପ୍ରତି ଖୁବ୍ ସମ୍ମାନ ମଧ୍ୟ ରହିଛି ତାଙ୍କର । ନିଜ ବାପାମାଆଙ୍କ ପରି ମିଶିଯାଇ କଥାବାର୍ତ୍ତା ହବା ଏବଂ ତାଙ୍କର ଯତ୍ନ ନବା ପରି ସବୁ କାମ କରନ୍ତି ଚିନ୍ମୟ । ତଥାପି ମୋ ମନରେ କାହିଁକି କେଜାଣି ଅଜଣା ଡରଟେ ସବୁବେଳେ ଥାଏ ।

ମାଆ ମୋ ଜନ୍ମ ପରେପରେ ଧବଳେଶ୍ୱରଙ୍କ ବଡ଼ଓଷା କରିବା ଆରମ୍ଭ କରିଥିଲେ, କ’ଣ ମାନସିକ କରିଥିଲେ କେଜାଣି । ମୁଁ ଯେତେ ପଚାରିଲେ ବି କୁହନ୍ତି, “ତୁ ବଡ଼ ହେଇଗଲା ପରେ ମୋତେ ବୁଲେଇନବୁ ଧବଳେଶ୍ୱର ଆଉ ତା’ପରେ ମୁଁ ବ୍ରତ ଉଝେଇଦେବି ।” ମୁଁ ବଡ଼ ହେଇ ବାହାହେଇଗଲା ପରେ ମଧ୍ୟ ସେମିତି ସୁବିଧା ହେଇପାରିଲାନି କି ମାଆଙ୍କର ବ୍ରତ ଉଜ୍ଜାପନ ମଧ୍ୟ ହେଇପାରିନଥିଲା । ଏଥର କିନ୍ତୁ ବାପାଙ୍କର ଛୁଟିଥିବାରୁ ସେମାନେ ବାହାରିଥାଆନ୍ତି ଧବଳେଶ୍ୱର ଦର୍ଶନ ପାଇଁ । ଯେଉଁ ରବିବାର ସେମାନେ ଆସିବାର ଥିଲା ତା’ର ଗୋଟାଏ ସପ୍ତାହ ପୂର୍ବରୁ ମନ୍ଦିରରେ ପ୍ରବଳ ଭିଡ଼ବୋଲି ନିଉଜରେ ଦେଖେଇଥାଏ । ଚିନ୍ମୟ ଏକଥା ଜାଣି ଟିକେ ଚିନ୍ତାରେ ପଡ଼ିଗଲେ, ଦର୍ଶନ ହେଇପାରିବ କି ନାହିଁ? “ଏତେ ବାଟ ଆସିବେ ଅଥଚ ଠାକୁରଙ୍କ ଦର୍ଶନ କରିପାରିବେନି ତେବେ ଆସିବାଟା ବେକାର ହେଇଯିବ । ସିନୁ, ତମେ ବାପାଙ୍କୁ କୁହ ସେମାନେ ନହେଲେ ଆର ସପ୍ତାହକୁ ଆସିବେ ।”

– “ଆରେ, ମାଆ ବ୍ରତ ଉଜ୍ଜାପନ କରିବେ, ଆର ସପ୍ତାହକୁ ତ ମର୍ଗଶୀର ମାସ ପଡ଼ିବ । ସେତେବେଳେ ଆସିଲେ କ’ଣ ଲାଭ ।”
– “ଆଉ ଏବେ ଆସିଲେ ବି କ’ଣ ଦର୍ଶନ ହେଇପାରିବ?”
– “ତମେ ସଫା କଥା କହୁନ ! ସେମାନେ ଆସିଲେ ତମର କିଛି ଅସୁବିଧା ହବ ନା କ’ଣ?” ମୋ ମନର ଦ୍ଵନ୍ଦ ଏଥର ମନରେ ନରହି ମୁହଁକୁ ଆସିଗଲା ।

“କି କଥା ସିନୁ, ତମ ବାପାମାଆ ଆସିଲେ ମୋର କ’ଣ ଅସୁବିଧା? ତମେ କଥାକୁ ଅଲଗା ଦିଗକୁ ନିଅନି । ତାଙ୍କୁ ଅସୁବିଧା ନହେଉ ବୋଲି କହୁଛି । ତମେ ଦେଖିଲନା କେତେ ଭିଡ଼ ରହୁଛି । ଦଳା ଚକଟା ହେଉଛି ସେ ଝୁଲନ୍ତା ପୋଲରେ, ସେଥିପାଇଁ କହୁଥିଲି ।” ଏତିକି କହି ରାଗରେ ଉଠିଗଲେ ଚିନ୍ମୟ । ସେ ଦିନଯାକ ଆମର କଥାବାର୍ତ୍ତା ବନ୍ଦ । ବାପାମାଆଙ୍କ ଆସିବା ଦିନ ଯେତେ ପାଖେଇ ଆସୁଥାଏ ମୋ ମନରେ ଗୋଟାଏ ଛନକା ପଶିଲା ପରି ଅନୁଭୂତ ହେଉଥାଏ । ଶୁକ୍ରବାର ଦିନ ବାପା ପୁଣିଥରେ ଫୋନକରି ଚିନ୍ମୟଙ୍କ ସହ କଥା ହେଲେ, ମୁଁ କାନ ଡେରି ଶୁଣୁଥାଏ ସବୁ କଥା । କଥା ଶେଷ ହବାପରେ ମୋତେ ବାପାମାଆଙ୍କ ଆସିବାର ସମ୍ପୂର୍ଣ୍ଣ ବିବରଣୀ ଜଣେଇଦେଲେ । ଶନିବାର ସକାଳୁ ସେମାନେ ବାହାରିଆସିଲେ । ପୁଣି କ’ଣ ମନହେଲା ବାପାଙ୍କର ମୋତେ ଫୋନ କରି କହିଲେ, “ମାଆ ତୁ ପୁରା ସଜବାଜ ହେଇଥିବୁ, ଆମେ ଭୁବନେଶ୍ୱର ପହଞ୍ଚି ତୋ ଘରେ ଟିକେ କ’ଣ ଖାଇଦେଇ ବାହାରିବା ପୁରୀ ।”

-“ବାପା, ପୁରୀ କଣ ପାଇଁ?”

“ଆରେ ଆଜି ଅଁଳା ନବମୀ, ବଡ଼ ଠାକୁରଙ୍କ ଦର୍ଶନ କଲେ ଶୁଭ । ଅମେ ଭୁବନେଶ୍ୱରରେ ପହଞ୍ଚିକି ଆଉ କିଛି କାମ ତ ନାହିଁ । ସେଥିପାଇଁ ମୁଁ ଭାବୁଛି ଚାଲିଯିବା ପୁରୀ ।” ବାପାଙ୍କ ପୁରୀ ଯିବା ପ୍ରସ୍ତାବ ଶୁଣି ମୋ ମୁଣ୍ଡ ବୁଲେଇଦେଲା । ଏମିତିରେ ତ ପୁରୀରେ ଏତେ ଭିଡ଼, ଆଜି ପୁଣି ଅଁଳା ନବମୀ । ନାହିଁ ନଥିଲା ପରି ଭିଡ଼ ଥିବ, ଏମିତିରେ ଦର୍ଶନ ହବ ତ?

ଭୁବନେଶ୍ୱରରୁ ପୁରୀ ବାହାରିବା ବେଳକୁ ଗୋଟାଏ ବାଜିଲାଣି । ରାସ୍ତାଯାକ ମୋର ଗୋଟାଏ ଚିନ୍ତା ଯେ, ପୁରୀରେ କେତେ ଭିଡ଼ ଥିବ । ସେପଟେ ଚିନ୍ମୟ ବାପାଙ୍କୁ ଫୋନ କରି କହୁଥାନ୍ତି ବାହାରୁ ମୁଣ୍ଡିଆ ମାରି ଚାଲିଆସିବାକୁ । ପୁରୀ ପହଞ୍ଚିଲାବେଳକୁ ଠିକ୍ ସାଢ଼ ଦୁଇଟା । ମନ୍ଦିର ବାହାରେ ବେଶୀ ଭିଡ଼ ନଥାଏ, ଆମେ ଲାଇନରେ ଚାଲି ଚାଲି ମନ୍ଦିର ବେଢ଼ାରେ ପ୍ରବେଶ ହେଲୁ । ବାଇଶି ପାହାଚର ପ୍ରତ୍ୟେକ ପାହାଚ ଛୁଇଁ ମୁଣ୍ଡିଆ ମାରୁଥାଏ ମୁଁ, କିନ୍ତୁ ମନରେ ଗୋଟାଏ ଚିନ୍ତା ଯେ ଦର୍ଶନ ହବ କି ନାହିଁ । ମୁଖ୍ୟ ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ ହେଇ ପୁଣିଥରେ ଧାଡ଼ିରେ ଠିଆ ହେଲୁ ଆମେ । ଧାଡ଼ିରେ ବେଶୀ ଲୋକ ନଥାନ୍ତି ଆମେ ପାଞ୍ଚ ମିନିଟରେ ପହଞ୍ଚିଗଲୁ ମନ୍ଦିର ଭିତରେ ଥିବା ଗରୁଡ଼ ସ୍ତମ୍ଭ ପାଖରେ । “ସାଧାରଣ ଦିନ ଅପେକ୍ଷା ଆଜି କ’ଣ ଭିଡ କମ୍ ! ମାଆ ଦେଖୁଚ, ଫାଙ୍କା ଫାଙ୍କା ଲାଗୁଚି ।” ମୁଁ ଖୁସିହେଇ ଆଗକୁ ବଢ଼ୁଥାଏ । ଯେତେ ଆଗକୁ ବଢ଼ୁଥାଏ ସେତେ ଉତ୍କଣ୍ଠା ବଢ଼ିଚାଲିଥାଏ । ଠେଲାପେଲା ନଥିବାରୁ ଧିରେ ସୁସ୍ଥେ ଆମେ ଜଗମୋହନ ସାମ୍ନାରେ ପହଞ୍ଚିଲୁ । ମୋ ଆଖିରୁ ଅଜଣାତରେ ଲୁହ ଝରିଯାଉଥାଏ । ଆଗରୁ ବହୁତ ଥର ଦେଖିଚି କାଳିଆକୁ, କିନ୍ତୁ ସେଦିନ କାହିଁକି ସେ କଳା ଶ୍ରୀମୁଖ ଆହୁରି ସୁନ୍ଦର ଲାଗୁଥାଏ । ସେ ନାଲି ଓଠର ହସ ଯେମିତି ମୋତେ ଇଙ୍ଗିତ କରୁଛି । ଦର୍ଶନ ସାରି ଆସି ମନ୍ଦିର ବେଢ଼ାରେ ବସିଲୁ । ଦଳେ କୀର୍ତ୍ତନିଆ “ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ” ବୋଲି ବୋଲି ମୃଦଙ୍ଗ, ଝାଞ୍ଜ ବଜାଉଥାନ୍ତି । ଆଉ ମୁଁ ମନେ ମନେ ଭାବୁଥାଏ ଯେ, ସେହି ଭଜନର ପ୍ରତକଟି ଶଦ୍ଦ ସତ୍ୟ । ନହେଲେ ଅଁଳା ନବମୀରେ ଆମେ ଦିନ ଦ୍ଵିପ୍ରହରରେ ଏତେ ସୁନ୍ଦର ଭାବରେ କାଳିଆ ଦର୍ଶନ କ’ଣ କରିପାରିଥାଆନ୍ତୁ ! “ମାଆ ଦେଖୁଚ, ଫାଙ୍କା ଫାଙ୍କା ଲାଗୁଚି ।” ମୁଁ ଖୁସିହେଇ ଆଗକୁ ବଢ଼ୁଥାଏ । ଯେତେ ଆଗକୁ ବଢ଼ୁଥାଏ ସେତେ ଉତ୍କଣ୍ଠା ବଢ଼ିଚାଲିଥାଏ । ଠେଲାପେଲା ନଥିବାରୁ ଧିରେ ସୁସ୍ଥେ ଆମେ ଜଗମୋହନ ସାମ୍ନାରେ ପହଞ୍ଚିଲୁ । ମୋ ଆଖିରୁ ଅଜଣାତରେ ଲୁହ ଝରିଯାଉଥାଏ । ଆଗରୁ ବହୁତ ଥର ଦେଖିଚି କାଳିଆକୁ, କିନ୍ତୁ ସେଦିନ କାହିଁକି ସେ କଳା ଶ୍ରୀମୁଖ ଆହୁରି ସୁନ୍ଦର ଲାଗୁଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଘମିତ୍ର ମହାପାତ୍ର ଜଣେ ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।