You are currently viewing ଦେହି ପଦ ପଲ୍ଲବମୁଦାରମ୍‌
ଦେହି ପଦ ପଲ୍ଲବମୁଦାରମ୍‌

ଦେହି ପଦ ପଲ୍ଲବମୁଦାରମ୍‌

(ଏକ)

ଅସାଧାରଣ, ଆକର୍ଷକ ଶରୀର, ବେଶି ଲମ୍ବା ନାହିଁ, ବାଙ୍ଗର ବି ନାହିଁ । ଥରେ ଦେଖିଦେଲେ ଯେ କୌଣସି ଲୋକ ବି ଆକୃଷ୍ଟ ନ ହେଇ ରହି ପାରିବନି । ଗୋରା ମୁହଁରେ ତୋଫା ଆଲୁଅର ତେଜ । ନୀଳ ରଙ୍ଗର ଚିପା ପଞ୍ଜାବୀ, ଢିଲା ସଲୱାର, ବେକରେ ଓଢ଼ଣୀ । ଆଗକୁ ସିଧା ନ ଅନେଇ, ମୁଣ୍ଡ ତଳକୁ ବେଶି ନ ପୋତି, ବାଁ ହାତ ମୋଡ଼ି ଛାତି ପାଖରେ ବହି ଖାତାକୁ ଭିଡ଼ି ଧରିଥିଲା । ଓଡ଼ିଆଣି ଭାବ କୁନ୍ଦି କୁନ୍ଦି ଈଶ୍ଵର ଭର୍ତ୍ତି କରି ଦେଇଥିଲେ ।

ତାକୁ ପିଛା କରି କରି ସେ ଆସିଥିଲା । ମହିଳା କଲେଜର ପାଖ ଗଳି ଭିତରେ ଅଳ୍ପ ଲୋକ ଯିବା ଆସିବା ରାସ୍ତାରେ ଯେତେବେଳେ ସେ ପହଞ୍ଚି ଥିଲା, ମୋଟର ସାଇକେଲକୁ ତା’ ପାଖକୁ ନେଇ ପ୍ରଶ୍ନ କଲା, ”ମୋତେ ବାହା ହେବ?”

ସିଧା ପ୍ରଶ୍ନରେ ଝିଅଟି କିନ୍ତୁ ବିଚଳିତ ହେଲାନି ।

ସେମିତି ଚାଲୁ ଚାଲୁ କଣେଇ ଚାହିଁ ସଲ୍ଲଜ ହସ ହସି କହିଲା, “ମୁଁ ବାକଦତ୍ତା ।”

(ଦୁଇ)

ସହରରେ ସଦ୍ୟ ଖୋଲା ଯାଇଥିବା ଗୋକୁଳ ଧାମ ମନ୍ଦିରରେ ସେ ସେଦିନ ପୁଣି ତାକୁ ଦେଖିଲା ଦୂରରୁ, ପାଖକୁ ନ ଯାଇ ।

ପିଆଜି ରଙ୍ଗର ଶାଢ଼ୀ, ହାତର ଉପର ପର୍ଯ୍ୟନ୍ତ ହଳଦିଆ-ଲାଲ ରଙ୍ଗର ଶଂଖା, ସିନ୍ଥିରେ ସିନ୍ଦୂର, ବେକରେ ଲକେଟ ଝୁଲେଇ ପିନ୍ଧିଥିବା ମୋଟା ସୋରିଷା ମାଳି । ଜଣେ ସୁଦର୍ଶନ ପୁରୁଷର ହାତ ଧରି ଠିଆ ହୋଇଥିଲା । ଲମ୍ବା, ତେଜୋଦୀପ୍ତ ପୁରୁଷ ଜଣକ ମନ୍ଦିର ଭିତର କାନ୍ଥର ଉପରି ଭାଗରେ ଚିତ୍ର କରାଯାଇଥିବା ଆଧ୍ୟାତ୍ମିକ ଦୃଶ୍ୟଗୁଡ଼ିକୁ ହାତ ଉଠେଇ ଦେଖେଇ ଦେଖେଇ ଚାଲିଥିଲେ । ସେ ଆଗ୍ରହ, ଆସକ୍ତ ଭାବ ନେଇ ତାଙ୍କସହ ଦେଖୁଥିଲା, କିନ୍ତୁ ହାତ ଛାଡ଼ୁ ନଥିଲା ।

ସେ ବୁଝିଲା, ଏବେ ସେ ପରିଣୀତା ।

(ତିନି)

ବ୍ୟବସାୟର ବିରକ୍ତି ଭରା ପରିବେଶ ଭିତରୁ କିଛି ସମୟ ବାହାର କରି ସେ ପାର୍କକୁ ଆସିଛି । ବଗିଚାର ଘାସ ଉପରେ ଗଛ ତଳେ କିଛି ସମୟ ପାଇଁ ନିସ୍ତବ୍ଧତାର ମଳୟକୁ ଆଘ୍ରାଣ କରିବା ପାଇଁ ।
ନୀରବରେ ଶାନ୍ତିର ସ୍ଵାଦକୁ ଉପଭୋଗ କଲାବେଳେ,ହଠାତ୍‌ ବଡ଼ ହାଲକା ବଲଟିଏ ଆସି ତା ଉପରେ ପଡ଼ିଲା । ଧ୍ୟାନ ଭଙ୍ଗ ହେଲା ତା’ର । ପିଲାଙ୍କ ପାଇଁ ପାର୍କଟି ଥିଲା । ପାର୍କରେ ପିଲାଙ୍କ ଗହଳଚହଳ ଥିଲା । ପିଲାମାନଙ୍କ ସହ ତାଙ୍କ ମାଆବାପା କିଏ କିଏ ମଧ୍ୟ ଆସିଥାନ୍ତି । ଆଖି ଉଠେଇ ଦେଖିଲା କୁଆଡ଼ୁ ଆସିଲା ବଲ୍‌ଟା ।

ଧାଁ ଦୌଡ଼ କରି ଖେଳ କରୁଥିବା ପିଲାମାନଙ୍କ ଭିତରେ ତା’ର ଆକର୍ଷଣର ବିନ୍ଦୁ ଜଣେ ଝିଅ ଥିଲା । ସେ ଦୌଡ଼ି ଦୌଡ଼ି ତା’ ଆଡ଼କୁ ଆସୁଥିଲା । ଆକର୍ଷଣୀୟ ଚେହେରା, କାଚ କଣ୍ଢେଇ ଭଳି । ପାଖକୁ ଆସି କହିଲା, “ଅଙ୍କଲ, ମୋ ବଲ୍‌ଟା ।”

ସେ କିନ୍ତୁ ତାକୁ ଦେଖୁ ନ ଥିଲା । ତା’ ପଛରେ ଠିଆ ହୋଇଥିବା ସ୍ତ୍ରୀ ଲୋକଟିକୁ ସେ ଦେଖୁଥିଲା । ସେଇ ଜଣକ, ଯାହାକୁ ସେ ବାହାଘର ପ୍ରସ୍ତାବ ଦେଇଥିଲା । ସେ ଜଡ଼ବତ୍‌ ହୋଇଗଲା । ତା’ ହାତରୁ ବଲଟିକୁ ନେଇ ଝିଅଟା ତା’ ମାଆକୁ ଚାହିଁଲା । ତା ମାଆ ତାକୁ ଚାହିଁ ହସୁଥିଲା । ସେ ସାହାସ କରି ଝିଅଟିକୁ ପଚାରିଲା, ”କଣ ନାଁ ମା ତମର?”

ଉତ୍ତର ତା’ ମାଆ ଦେଲା, “ପ୍ରଭୁଦତ୍ତା ।”

ସେ ମା ଓ ଝିଅ ଉଭୟଙ୍କୁ ଚାହିଁ ରହିଥିଲା । ସନ୍ଧ୍ୟା-ସୂର୍ଯ୍ୟଙ୍କ ଅସ୍ତମିତ କିରଣ ଦୁହିଁଙ୍କ ମୁହଁରେ ସିଧା ଆସି ପଡ଼ି ଏକ ଅନିର୍ବଚନୀୟ ଐଶ୍ଵରିକ ସୌନ୍ଦର୍ଯ୍ୟର ଆଭା ସୃଷ୍ଟି କରୁଥିଲା ।

(ଚାରି)

ଏକ ସରକାରୀ ଚାକିରୀର ସାକ୍ଷାତକାର ପରୀକ୍ଷାର ଚୟନ କର୍ତ୍ତା ରୂପେ ସେ ଯାଇଥିଲା । ତା’ ଆଗରେ ଜଣେ ଯୁଦ୍ଧେ-ଶହୀଦ ବିଧବାଙ୍କ ବିବରଣୀ ସହ ଫୋଟ ବି ସଂଲଗ୍ନିତ ଥିଲା । ଫୋଟରୁ ତ ସେ ଚିହ୍ନି ପାରି ନ ଥିଲା । ସିନ୍ଥିରେ ସିନ୍ଦୁର ପରିବର୍ତ୍ତେ ଭୃଲତା ସନ୍ଧିରେ କଳା ଟିକା ।

ତା’ ପ୍ରସ୍ତାବ ନିବେଦନର ବାର ବର୍ଷ ବି ବିତିନି । ଅଥଚ ଲଜ୍ଜ୍ୟାରକ୍ତ ହସକୁରା ମୁହଁ ପାଣ୍ଡୁର, ଗମ୍ଭୀର ଓ ଦାୟିତ୍ଵବୋଧର ଜାଜ୍ଜଲ୍ୟମାନ ଅଗ୍ନି ସ୍ଫୁଲିଙ୍ଗର ଉଜ୍ଜଳତାରେ ପରିବର୍ତ୍ତିତ ହୋଇ ଯାଇଥିଲା । କିନ୍ତୁ ସାମନାରେ ଦେଖିଲା ପରେ ଭାବ ବିହ୍ଵଳ ହୋଇ ଯାଇଥିଲା । ମନରେ କିଛି ମୃଦୁ ଶିହରଣ ଏବଂ ଦେହି ପଦ ପଲ୍ଲବମୁଦାରମ୍‌ର ଅନନ୍ୟ ଭାବ ସହ ଆଖିରେ ତା’ର ଅଜଣା ଉତ୍ସରୁ ଉଦ୍‌ଗତ ଅଶ୍ରୁ । ପୁନଃ ପୁନଃ ସତ୍ୟର ସମ୍ମୁଖୀନ ସେହି ପ୍ରେମିକଟି ନିଜର ନୀରବ ବୁକୁଫଟା ଚିତ୍କାର କେବଳ ନିଜେ ହିଁ ଶୁଣିବାକୁ ଚାହୁଁଥିଲା । କିନ୍ତୁ ପାରିଲାନି । ହୃଦୟରୁ ଉଠିଥିବା କୋହ ମୁହଁରେ କ୍ରନ୍ଦନ ସ୍ୱରରେ ଫୁଟି ଉଠିଲା । ତା’ ଚୌକିରେ ସେ ବସି ପାରିଲା ନାହିଁ ।

କାନ୍ଦି କାନ୍ଦି ବାହାରକୁ ସେ ବାହାରି ଆସିଗଲା ।

ଏହି ଜନ୍ମରେ ହିଁ ସେ ତା’ ଭିତରେ ଏକାତ୍ମା-ଦର୍ଶନ ପୂର୍ବକ ବ୍ରହ୍ମ ଲୀନ ହୃଦ-ସିନ୍ଧୁ ରସାମୃତର ଅନିର୍ବଚନୀୟ ଆସ୍ଵାଦନର ମୋହରେ ବିମୋହିତ ହୋଇ ସାରିଥିଲା । ନିଜ ହୃଦୟ ଅଳିନ୍ଦରେ ପ୍ରବାହିତ ରକ୍ତ କଣିକାରେ ସେ କେବଳ ତାର ଛବି ହିଁ ଦେଖିଥିଲା । କେବଳ ସମୟ ନୁହେଁ, ତା’ ସହ ତା’ର ପରିଚୟ ଚିହ୍ନ ମଧ୍ୟ ବଦଳି ଯାଇଥିଲା । ଅଥଚ ତାହା ହିଁ ସତ୍ୟ ଥିଲା ।

ବାକଦତ୍ତାରୁ ପରିଣୀତା, ପରିଣୀତାରୁ ପ୍ରଭୁଦତ୍ତା, ପ୍ରଭୁଦତ୍ତାରୁ ସମର୍ପିତା !

ସେ ଏକ ନିର୍ଦ୍ଧିଷ୍ଟ ଜୀବନ ଯାତ୍ରା ନିମନ୍ତେ ସମର୍ପିତା ଥିଲା ।

(ପାଞ୍ଚ)

ଅଫିସ ନ ଯାଇ ନିଜ ଘରୁ ହିଁ ବ୍ୟବସାୟର ପରିଚାଳନା ଅଫିସ, ଗୋଦାମର ସିସି ଟିଭି କ୍ୟାମେରା ଜରିଆରେ ନିତିଦିନିଆ ଧରାବନ୍ଧା କାର୍ଯ୍ୟକଳାପର ଗତିବିଧି ଉପରେ ଦୃଷ୍ଟି ରଖିଥିଲା । ପ୍ରଚଣ୍ଡ ଖରାର ଛାଇଶୂନ୍ୟ ସମୟରେ ଘରର ଦ୍ଵାର ଘଣ୍ଟି ବାଜି ଉଠିଲା । କମ୍ପ୍ୟୁଟର ଉପରୁ ଦୃଷ୍ଟି ଫେରାଇ ଆଣି ଦ୍ୱାର ଖୋଲିବାକୁ ଗଲା ।

ବାହାରେ କାଉ କୋଇଲିର ସ୍ୱର ଶବ୍ଦ ଶୁଭୁ ନ ଥିଲା । ନିଦାଘାଲୋକରେ ତା’ ଆଗରେ ଅସ୍ପଷ୍ଟ ଦେଖା ଯାଉଥିବା ଚେହେରାଟି ଧୀରେ ଧୀରେ ସ୍ପଷ୍ଟ ହୋଇ ଆସିଲା । ପ୍ରଚଣ୍ଡ ନିଦାଘ ପ୍ରଛଦପଟ୍ଟର ଲିପା-ଖରାର ପୋର୍ଟିକ ଛାଇରେ ସେ ଠିଆ ହୋଇଥିଲା । ନିଜ ଘର ଆଗରେ ସେ ତାକୁ ଆଶା କରି ନ ଥିଲା । ଖରାରେ ଝାଉଁଳି ପଡିଥିବା ଲାବଣ୍ୟ ମୁହଁଟିର ସିନ୍ଥିରେ ସିନ୍ଦୁର, ଆଖିରେ ହସ ଥିଲା ।

ଦ୍ୱାର ମୁହଁରେ ତାକୁ ଠିଆ ହୋଇଥିବା ଦେଖି ସେ ପ୍ରଶ୍ନ କଲା, “ମୋତେ ଭିତରକୁ ଆସିବାକୁ କହିବେନି?”

ହତପ୍ରଭ ଅବସ୍ଥାରୁ ସେ ବାହାରକୁ ଆସିଲା, “ ଓହୋ, ଆସ ।”

ସେ ରାସ୍ତା ଛାଡ଼ିଦେଲା । ତା’ର ଭିତରକୁ ଯିବା ପରେ କବାଟ ବନ୍ଦ କଲା । ତରୁଣୀଟି ଭିତର ସୋଫାରେ ବସି ପ୍ରଥମେ ନିଜ ମୁହଁକୁ ରୁମାଲରେ ପୋଛି ସାରିଲା ପରେ ପର୍ସ ଭିତରୁ ଖଣ୍ଡେ ଧଳା ଲଫାଫା ବାହର କରି ତା’ ଦିଗକୁ ବଢ଼େଇ ଦେଲା, ”ମୋ ମାଆଙ୍କ ଚିଠି ।”

ଲଫାଫା ନେଇ ସେ ତା’ ଭିତରୁ ଧଳା କାଗଜ ଉପରେ ଲେଖା ଚିଠିଟିକୁ ପଢ଼ିଲା ।

ଲେଖାଥିଲା – ହେ ବନ୍ଧୁ ! ମୋର ଏତିକି ଅଭିଳାଷ, ମୋ ଅସ୍ଥିବିସର୍ଜନ ତମ ହାତରେ ହେଉ ।
ବନ୍ଧୁ ! କାହାର ବନ୍ଧୁ? ସହସା ତା’ର ଅନୁଭବ ହେଲା, ଦିନେ ପାର୍କରେ ମା ସହ ଦେଖିଥିବା, ପ୍ରଭୁଦତ୍ତା ଇଏ । ଅବିକଳ ମାଆର ରଙ୍ଗ, ରୂପ, ଲାବଣ୍ୟ ଧରି ଆସିଛି । ସେ ନିଜକୁ ବିଶ୍ଵାସ କରି ପାରୁ ନ ଥିଲା ! କଲେଜ ଯାଉଥିବା କିମ୍ବା ଗୋକୁଳ ଧାମ ମନ୍ଦିରରେ ଦେଖିଥିବା ସେ ଚେହେରା ନ ଥିଲା । ତା ଝିଅ ଥିଲା । ସେ ଏତେ ବଡ଼ ହେଇ ଗଲାଣି? ବଡ଼ ହେଇ ବାହା ସାହା ହେଇ ସାରିଲାଣି?

ତାକୁ ନୀରବ ଦେଖି ପ୍ରଭୁଦତ୍ତା କହିଲା, “ମାଆର ଗଲା ମାସରେ ଦେହାନ୍ତ ହୋଇଗଲା । ତା’ର ଶେଷ ଇଛାଟିକୁ ଆପଣ ପୂରଣ କରିବେ ବୋଲି ଆପଣଙ୍କୁ ପାଖକୁ ଆସିଛି ।”

“କିନ୍ତୁ ହେଇଥିଲା କ’ଣ?”
“କିଛି ନାହିଁ । ଅଫିସରୁ ଆସି ପାଣି ମାଗି ପିଇଲା । ତାପରେ ଢଳି ପଡ଼ିଲା ।”
“ଆଉ ମୁଁ? ମୋର ପ୍ରବେଶ କୁଆଡ଼ୁ?
ସେ ଟିକେ ହସିଲା, “ତାଙ୍କ ଡାଏରୀରୁ ଆମେ ଆପଣଙ୍କୁ ଖୋଜିଲୁ । ଡାଏରୀରେ ମୋଟ ପାଞ୍ଚ ପୃଷ୍ଠା ଲେଖା ହେଇଛି ।

ପ୍ରଥମ ପୃଷ୍ଠାରେ – ମୋ ବନ୍ଧୁ ।
ଦ୍ଵିତୀୟ ପୃଷ୍ଠାରେ – ଆଜି ପ୍ରସ୍ତାବ ଦେଲା ବେଳକୁ ମୋର ବାହାଘର ଠିକ ହେଇ ସାରିଥିଲା ।
ତୃତୀୟ ପୃଷ୍ଠାରେ – ଆଜି ଗୋକୁଳ ଧାମରେ ପୁଣି ଦେଖାହେଲା । ତାଙ୍କ ଅଜାଣତରେ, ମୁଁ ତାଙ୍କୁ ଦେଖିଛି ।
ଚତୁର୍ଥ ପୃଷ୍ଠାରେ – ଆଜି ପାର୍କରେ ପ୍ରଭୁଦତ୍ତା ସହ ପରିଚୟ ହୋଇଗଲା ।
ପଞ୍ଚମ ପୃଷ୍ଠାରେ ତାରିଖ ସହ – ଆଜି ଇଣ୍ଟରଭିୟୁ ବୋର୍ଡ଼ରେ ସେ ଥିଲେ ।

ଏହି ଗୋଟିଏ ଧାଡ଼ି । ଆପଣଙ୍କ ନାଁ ଅଫିସର ରେକର୍ଡ଼ରୁ ମିଳିଲା । ଆପଣ ଯେବେ କହିବେ ଆମେ ଆପଣଙ୍କ ସହ ଯିବୁ, ଅସ୍ଥି ବିସର୍ଜନ ପାଇଁ ।”

ଏକ ଲମ୍ବା ଜୀବନର ଇତିହାସକୁ ପ୍ରଭୁଦତ୍ତା ଅତି ସହଜରେ କହିଦେଇ ପାରିଲା । କିନ୍ତୁ ତା’ ପାଇଁ ସହଜ ନ ଥିଲା । ଜୀବନର ଅନେକ ଛକରେ ଆସି ମିଶିଥିବା ଏହି ସ୍ତ୍ରୀ ଲୋକଟି ତା’ ପାଇଁ ସବୁ କିଛି ଥିଲା ।

ସପ୍ତପଦୀର ସାତ ଅଗ୍ନି ଘେରରେ ସେମାନେ ବନ୍ଧା ହୋଇ ନ ଥିଲେ ସତ କିନ୍ତୁ ଅଷ୍ଟପଦୀ ଗୀତ ସଙ୍ଗୀତର ତାଳେ ତାଳେ କୃଷ୍ଣମୟ ଜଗତରେ ଶ୍ରେଷ୍ଠତାର ନିଦର୍ଶନ ସ୍ୱରୂପ ସ୍ମର ଗରଳ ଖଣ୍ଡନଂ ମମ ଶିରସି ମଣ୍ଡନଂ ପରେ ରାଧାରାଣିଙ୍କ ଚରଣରେ ଅର୍ପିତ ଚତୁର୍ଚତୁର୍ଭୂଜା-ଦେହୀ ଶ୍ରୀକୃଷ୍ଣଙ୍କ ସ୍ୱ-ଲିଖନ ଦେହି ପଦ ପଲ୍ଲବମୁଦାରମ୍‌ ଗୁଞ୍ଜନର ପ୍ରତିଧ୍ଵନି ତା’ର ଚତୁର୍ଦିଗେ ଅହରହ ଗୁଞ୍ଜରିତ ହେଉଥିଲା ।

ପ୍ରଭୁଦତ୍ତାକୁ ବିଦା ଦେଲାବେଳେ ତା’ ମନ ମସ୍ତିଷ୍କ ଦେହରେ ପ୍ରକୃତ ପ୍ରେମ-ଅସ୍ତିତ୍ଵର ବାତାବରଣରେ ଦଲକା ଦଲକା ଶୀତଳ ବାୟୁର ସ୍ପର୍ଶ ଅନୁଭବ କରୁଥିଲା । ଦକ୍ଷିଣ-ପଶ୍ଚିମାକାଶୁ କଳାହାଣ୍ଡିଆ ମେଘରେ ମୌସୁମୀର ସୂଚନା ମିଳୁଥିଲା । ଜୀବନରେ ପ୍ରଥମଥର ପାଇଁ, ସେ ଅନୁଭବ କଲା ତା’ର ଏକାନ୍ତତା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।