ଫେରିଛି ବର୍ଷା
ଫେରିଛି ବର୍ଷା

ଫେରିଛି ବର୍ଷା

ଫେରିଛି ଫଗୁଣର, (ଉତ୍କଳ ଦିବସ ସଂସ୍କରଣରେ ପ୍ରକାଶିତ) ଦ୍ୱିତୀୟ ଭାଗ

କଫି କପରୁ ପ୍ରଥମ ସିପ୍ ନେଉ ନେଉ ସମୀର କହିଲା “ମୋତେ କ୍ଷମା କରିବ ସୋନାଲି, ଆସିବି ଆସିବି କହି ଗୋଟେ ମାସ ହେଇଗଲା ଯେ ଆଜି ସମୟ ମିଳିଲା ତୁମ ସହ ଦେଖା କରିବାକୁ । ହସ୍ପିଟାଲର ତିନିଜଣ ଯାକ କାର୍ଡିଓଲୋଜିଷ୍ଟ ଆଉଟ ଅଫ ଷ୍ଟେସନ ଆଉ ମୋର ସ୍ପେଶାଲ ଡ୍ୟୁଟି । ଖାଇବା ନା ଶୋଇବା କିଛି ବି ଠିକନାହିଁ । କୁହନି ବ୍ୟସ୍ତତା ଏତେ ବେଶି ଯେ ମରିବାକୁ ବି ସମୟ ନାହିଁ” । ଟିକେ ହସି ସୋନାଲି କଟାକ୍ଷ କଲା, “ହଁ ଡାକ୍ତରବାବୁ ଆପଣ ବଡ଼ଲୋକ, ଆମ ମନ କିଏ ବୁଝୁଛି? ଜାଣିଛନ୍ତି ସାର…”, କଥାକାଟି ସମୀର କହିଲା “ଖାଲି ସମୀର, ମୋ ନାଁ ସମୀର ଆଉ ହଁ ଆପଣ ବଦଳରେ ତମେ କହିଲେ ଭଲ ଶୁଣାଯିବ !” ସୋନାଲି ହସି କହିଲା “ହଉ ହେଲା ସମୀର, ବାପାଙ୍କ ଦେହ ଭଲ ହେଲା ପରେ ତୁମକୁ ଠିକରେ ଧନ୍ୟବାଦ କହିବାକୁ ବି ସୁଯୋଗ ପାଇନି । ତୁମସହ ତିନିଟା ମିଟିଂ କ୍ୟାନ୍ସଲ କଲା ପରେ ଆଜି ତୁମ ଦେଖା ମିଳିଛି । ତୁମ ନିର୍ଦ୍ଦେଶାନୁସାରେ ବାପାଙ୍କ ମେଡ଼ିସିନ ଚାଲିଛି, ତାଙ୍କ ଖାଇବା ପିଇବା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ ଏବଂ ବାପା ରେଗୁଲାର ୱାକ୍‌ରେ ବି ଯାଉଛନ୍ତି । ମୋଟାମୋଟି ଭାବେ ସିଏ ଏବେ ସୁସ୍ଥ ଅଛନ୍ତି ।” “ଶୁଣି ଖୁସି ଲାଗିଲା । ହେଲେ ତମେ କିଛି କହିବ ବୋଲି କହୁଥିଲ”? “ସେମିତି କିଛି ବିଶେଷ ନୁହଁ ତେବେ ବହୁତ ଦିନରୁ ତୁମ ଠାରୁ ଲୁଚେଇ ରଖିଥିବା କଥାଟିଏ । ତମେ ଜାଣିଛ ସମୀର ! ସେଦିନ ରାତିରେ ମୁଁ ତୁମ ଡାଏରି ପଢ଼ିଥିଲି, ଆଉ ସେଇଠୁ ତୁମକୁ କିଛି ମାତ୍ରାରେ ଜାଣିପାରିଛି ।” ସମୀର ଉଦାସ ଥିଲା ଆଉ ନୀରବ ବି ।

ଶବ୍ଦମାନେ ସାହାରା ଖୋଜୁଥିଲେ କି ରାସ୍ତା ଭୁଲି ଯାଇଥିଲେ କେଜାଣି ! ସୋନାଲି ଆଜି ସୋନଲର ସ୍ମୃତିପୃଷ୍ଠା ଆଡ଼େଇ ଦେଇଥିଲା ସମୀରର ଅଜାଣତରେ । ସମୀରର ଝାପ୍ସା ମନେ ପଡ଼ୁଥିଲା ଏଇ କଫିସପ୍‌ରେ ହିଁ ସୋନଲ ସହ ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ ହେଇଥିଲା । ସେଦିନ ହାଲକା ବର୍ଷାରେ ଦୁହିଁଙ୍କର ଦେହ ସହ ମନ ବି ଯେମିତି ଓଦା ହେଇ ଯାଇଥିଲା ! ଗରମ କଫି ସେମାନଙ୍କ ମନରେ ଉଷ୍ମତା ବଢ଼େଇ ଦେଇଥିଲା ଆଉ ପ୍ରେମ ପଲ୍ଲବର ପ୍ରଥମ ଛୁଆଁରେ ମହକି ଉଠିଥିଲା ଦୁଇଟି ଆତ୍ମା । ଅତୀତସ୍ମୃତି ସବୁ ସମୀରକୁ ପଛକୁ ଟାଣି ନେଉଥିଲା । ଅନ୍ତରର କୋହକୁ ଚାପି ରଖିବାକୁ ଅନନ୍ୟ ଚେଷ୍ଟାସତ୍ତ୍ଵେ ଆଖିର କୋଣ ସବୁ ଓଦା ହେଇ ଆସୁଥିଲା । ତଟସ୍ଥ ହେଲା ସମୀର, ଓଠରେ ହାଲକା ହସ ଆଣି ସମୀର କହିଲା “କଣ ଜାଣିଛ କହିଲ?” ସୋନାଲିକୁ କିଛି ମାତ୍ରାରେ ଭାରମୁକ୍ତ ହେଲାଭଳି ବୋଧ ହେଲା । “ମୁଁ ଜାଣେ, ସୋନଲକୁ ତମେ ବହୁତ ଭଲ ପାଉଥିଲ ଆଉ ସେ ଏବେ ଏ ଦୁନିଆରେ ନାହିଁ !” ଦୀର୍ଘଶ୍ଵାସ ନେଇ ସମୀର କହିଲା “ସିଏ ଏକା ନୁହେଁ ଆହୁରି ଅନେକ ମୋତେ ଏକା କରି ଦେଇଛନ୍ତି ଏ ଦୁନିଆରେ । ହଁ ! ସୋନଲ ଗଲାପରେ ନିଜକୁ କେବେ ଖୋଜିବାକୁ ଚେଷ୍ଟା କରିନି । ମୁଁ ଅତୀତକୁ ଭୁଲି ଯେତେ ଆଗକୁ ଯିବାକୁ ଚେଷ୍ଟା କରୁଛି, ସେତିକି ପଛେଇ ଯାଉଛି ଯେମିତି ! ଏବେ ମୋତେ ଯିବାକୁ ହେବ ସୋନାଲି, ତୁମ ସହ ଗପୁ ଗପୁ ଘଣ୍ଟାଏ ହେଇଗଲାଣି । ଏଣେ ବର୍ଷା ବି ଆସିଲାଣି” ସମୀର ହାତଘଣ୍ଟାରେ ସମୟ ଦେଖି କହିଲା । “ହଁ ଯିବା, ହେଲେ ପୁଣି କେବେ ଦେଖା ହେବ?” “ଦେଖେ ସମୟ ବାହାର କରି ପାରିଲେ ଜଣେଇବି” ଏତିକି କହି ସମୀର ବିଦାୟ ନେଲା । ସମୀର ଦୃଷ୍ଟି ଅଗୋଚରକୁ ଯିବାପର୍ଯ୍ୟନ୍ତ ତା’ ବାଟକୁ ଏକଲୟରେ ଚାହିଁ ରହିଲା ସୋନାଲି ।

ସମୀର ଘରେ ପହଞ୍ଚି ଭାରାକ୍ରାନ୍ତ ମନଟିକୁ ସଜାଡ଼ିବାକୁ ବ୍ୟର୍ଥଚେଷ୍ଟା କରୁଥାଏ । ହଠାତ ସୋନାଲିର ମେସେଜ ମିଳିଲା । “ତୁମ ଉଦାସ ମନରେ କିଛି ଖୁସି ଭରିବାର ଏ ଛୋଟ ଉନ୍ମାଦ ସଫଳ ହେବ କି ନାହିଁ ଜାଣେନି ସମୀର, ତେବେ ମୋ ଚେଷ୍ଟା ଜାରି ରହିବ ଯେ ପର୍ଯ୍ୟନ୍ତ ତୁମ ମନକୁ ହାଲୁକା ନ କରି ପାରିଛି । ମୋର ଖାଲି ଏତିକି ଅନୁରୋଧ, ତମେ କିଛି ସମୟ ଦିଅ । ଦେଖିବ ଯନ୍ତ୍ରଣା ଜର୍ଜରିତ ମୁହୂର୍ତ୍ତସବୁ ବିସ୍ମୃତ ହେଇଯିବ ତୁମ ମାନସ ପଟରୁ ଚିରଦିନ ପାଇଁ । ଉତ୍ତର ଅପେକ୍ଷାରେ ରହିଲି ।” ସୋନାଲି ମନର ଉତ୍କଣ୍ଠାକୁ ଆଘ୍ରାଣ କରି ପାରୁଥିଲେ ବି କ’ଣ ଉତ୍ତର ଦେବ ସମୀର? ଜୀବନର ସବୁ ସୁଖ ହରେଇ ନିଃଶ୍ୱ ହେଇ ଯାଇଥିବା ତା’ ମନରେ ସୋନାଲିର ଉପସ୍ଥିତି କ’ଣ ନୂଆ ଋତୁଟିଏ ଆଣି ପାରିବ? ଏମିତି ଅନେକ ଚିନ୍ତା ଘାରି ଯାଉଥାଏ ସମୀର ମନରେ । କୌଣସି ପ୍ରତ୍ୟୁତ୍ତର ନପାଇ ପରଦିନ ସକାଳ ଦଶଟାରେ କଲ୍ କଲା ସୋନାଲି । ଅଜଣା ସ୍ୱରଟିଏ ଭାଷିଉଠିଲା “ଆପଣ ସୋନାଲି କହୁଛନ୍ତି? ମୁଁ ତାଙ୍କ ସହଯୋଗୀ ଡକ୍ଟର ଦୀପକ କହୁଛି । ସକାଳେ ସମୀର ହସ୍ପିଟାଲ ଆସିଲାବେଳେ ଗୋଟେ ଛୋଟ ଦୁର୍ଘଟଣାର ଶିକାର ହେଇ ହସ୍ପିଟାଲରେ ଆଡ଼ମିଟ ହେଇଛନ୍ତି ।” ସୋନାଲି ବିଚଳିତ ହେଲା “କ’ଣ ହେଇଛି ତାଙ୍କର?” “ସେମିତି ବିଶେଷ କିଛି ହେଇନି ତେବେ ଡାହାଣ ଗୋଡ଼ଟି ଆଘାତ ପ୍ରାପ୍ତ ହେଇଛି ।”

ଆଉ ଧୈର୍ଯ୍ୟ ଧରି ପାରିଲାନି ସୋନାଲି । ବ୍ୟାଙ୍କରୁ ଛୁଟିନେଇ ଛୁଟିଗଲା ସମୀରର ହସ୍ପିଟାଲ ଅଭିମୁଖେ । ହସ୍ପିଟାଲ କ୍ୟାବିନ ଭିତରୁ ଅନ୍ୟମନସ୍କ ହେଇ ଝରକା ବାହାରକୁ ଦେଖୁଥିଲା ସମୀର । ଆକାଶରେ ବାଦଲସବୁ ଏକାଠି ହେଉଥିଲେ ଆଉ ସମୀର ଆଖିରୁ ଦି ଟୋପା ଅମାନିଆ ଲୁହ ତା’ ଅଜ୍ଞାତରେ ବହି ଯାଇଥିଲା । ସୋନାଲି ହଠାତ କ୍ୟାବିନ ଭିତରକୁ ପଶିଆସିଲା । ସମୀର ସଂଯତ ହେବାପୂର୍ବରୁ ସୋନାଲି ଆସି ତା’ ଆଖିରୁ ଲୁହ ପୋଛିଦେଲା । “ଛି, ଏମିତି ଛୋଟପିଲା ଭଳିଆ ଭାଙ୍ଗିପଡ଼ିଲେ ହେବ? ଆହୁରି ଅନେକ ବାଟ ଚାଲିବାକୁ ଅଛି ଡାକ୍ତରବାବୁ, ଆହୁରି ଅନେକ ହୃଦୟ ତୁମ ପରଶ ପାଇବା ଅପେକ୍ଷାରେ ।” ସମୀର ବିସ୍ମିତ ହେଲା “ତୁମକୁ କିଏ ଖବର ଦେଲା, ମାନେ ତମେ.. ଏଠି.. କେମିତି..?” “ସବୁ କହିବି ହେଲେ ତମେ ଆଗ କୁହ ତୁମର କ’ଣ ହେଇଛି?” ସମୀର କହିଲା “ଏକ୍ସରେ ରିପୋର୍ଟ ଅନୁସାରେ ମୋର ବିଶେଷ କିଛି କ୍ଷତି ହେଇନି, ହେଲେ ଦୁଇ ତିନିଦିନ ବିଶ୍ରାମ କରିବାକୁ ପଡ଼ିବ ଆଉ ସେଇଟା ମୋ ଚିନ୍ତାର ବିଷୟ ।” “ତୁମେ ବିଲକୁଲ ବ୍ୟସ୍ତ ହୁଅନି, ଦେହ ଭଲ ହେବା ଯାଏଁ ମୁଁ ତୁମ ପାଖରେ ଅଛି । ମୁଁ ଟିକେ ବାପାଙ୍କୁ କଲ୍ କରିଦିଏ, ବର୍ଷା ଆସିଲାଣି ସିଏ କାଳେ ବ୍ୟସ୍ତ ହେବେ” କହି ସୋନାଲି କ୍ୟାବିନ ବାହାରକୁ ଚାଲିଗଲା । ଏବେ କିନ୍ତୁ ଅମାନିଆ ଲୁହ ଉପରେ ସମୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରେଇ ବସିଥିଲା । ସେ ଭାବୁଥିଲା ଫଗୁଣରେ ଏକା କରି ଚାଲି ଯାଇଥିବା ସୋନଲ କ’ଣ ସୋନାଲି ହେଇ ବର୍ଷାରେ ଫେରି ଆସିଛି?

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu