ଚାହୁଁଛି ଏ ଆଖି ଆହେ ଚକାଆଖି
ଲୋଡ଼ିବାକୁ ଦରଶନ,
କି ଦୋଷ କରିଛୁ ଫେଡ଼ି କୁହ ଥରେ
ଭାଙ୍ଗିଦେଇ ଅଭିମାନ ॥
ଗମ୍ଭୀରା ଭିତରେ ରତନ ବେଦୀରେ
ବସିଛ କାହିଁ ମଉନ,
ଚକ୍ଷୁ ମଳିମଳି ଦିବାନିଶି ଏକ
ଦରଶନକୁ ସପନ ॥
କେବେ ମହାମାରୀ ମହାବାତ୍ୟା ପରି
ଖଣ୍ଡ ପ୍ରଳୟ ତାଣ୍ଡବ,
ତୁମ ଅଜାଣତେ ହେଉଛି କି ପ୍ରଭୁ
ଇଙ୍ଗିତ ନୁହେଁ କି ତବ?
ଦୋଷ କରି କ୍ଷମା ଶୁଣ ହେ ମଣିମା
ଭକତ ଡାକେ ଆକୁଳେ,
ନଦେଲେ ସାହାରା କେ କରିବ ଆହା
ଦଣ୍ଡବତ ପାଦତଳେ ॥
ଗଢ଼ିଛ ସଂସାର ନିଜ ହାତେ ପ୍ରଭୁ
ଭାଙ୍ଗିବ କି ବେନି ଭୁଜେ,
ଚକ୍ର ଆଢ଼ୁଆଳ କର ମହାବାହୁ
ଦୁନିଆଁ ତୁମକୁ ଖୋଜେ ॥
ମିଳେନି ଝଲକ ପଡ଼େନି ପଲକ
ଅଣ୍ଡାଳି ହୁଅଇ କେତେ
ଅପଲକ ନେତ୍ର କରିଛି ଆଶରା
ଦରଶନ ଦିଅ ସତେ ॥
– ମନୋରଞ୍ଜନ ସୁରୁଜାଲ