You are currently viewing ଭୋର୍ ହେବାର ସ୍ୱପ୍ନ
ଭୋର୍ ହେବାର ସ୍ୱପ୍ନ

ଭୋର୍ ହେବାର ସ୍ୱପ୍ନ

ଭୋର୍ ହେବାର ସ୍ୱପ୍ନ
ମୃଗେଶ ବୈଷ୍ଣବ ପାଣିଗ୍ରାହୀ

ଦୁଃଖର ନଈରେ
ଲୁହର ବନ୍ୟା ଆସିବାର
ମୁଁ ଜାଣିଛି,
ପାହାନ୍ତି ସ୍ୱପ୍ନରେ
ରାତିର ନିଦ ହଜିଯିବାର
ମୁଁ ଜାଣିଛି ।

ଆଶାର ହୁଲି ଡଙ୍ଗା
ଯେବେ ଭାସୁଥାଏ,
ସ୍ମୃତି, ମନ ତଳେ
ଗୋପନ କବିତା ସାଜିବାର
ମୁଁ ଜାଣିଛି,
ପ୍ରତୀକ୍ଷାର ମିଠା ଯନ୍ତ୍ରଣାରେ
ରାତି ଅଧିଆ
ନୈରାଶ୍ୟର ସବୁଜିମାକୁ ଖୋଜୁଛି ।

ମୁଁ ଜାଣେ ତୁମେ ନଥିଲେ
ଦୁଃଖ ଛଡ଼ା କିଛି ବି ନଥାଏ,
ଲୁହ ଛଡ଼ା କିଛି ବି ନଥାଏ,

ତୁମେ ନଥିବାର
ଅସରନ୍ତି ବିରହରେ
କେବେ କେମିତି
ଭାବ ଓ ଭାବନାରେ
ଅକୁହା ବେଦନା ଲେଖିବାର
ଇଚ୍ଛା ହେଉଛି,

ଘାସରେ କାକର ବୁନ୍ଦା ପରି
ଅଳ୍ପ ସମୟର ଆୟୁଷରେ
ମୁଁ ବି ଉଭେଇ ଯାଉଛି ।

ଅଭିସାର ପାଇଁ ଆଉ କ’ଣ
ସ୍ୱପ୍ନ ଦେଖିବି ଯେ,

ଅବଶୋଷ, ଗ୍ଳାନି ଓ ବିରହରେ
ଦିନ କ’ଣ ରାତି କ’ଣ
ସାରାଟା ଯାକ ଜୀବନ ଭିଜୁଛି
ଆଖିର ଲୁହରେ ।

ଏ ଜନ୍ମର ଗୋଧୂଳି ବେଳାରେ
ବିଦାୟ ସୂର୍ଯ୍ୟର ରଙ୍ଗ ପରି
ଛାତିରେ କୋହ ଯେତେ
ଜମାଟ ବାନ୍ଧୁଛି ।

କ୍ଷଣିକ ପାଇଁ ହେଲେ
ତୁମ ଛାତିକୁ ମୋତେ
ଆବୋରି ନିଅ,
ସେତିକିରେ ପତ୍ରଝଡ଼ାକୁ ଭୁଲିଯାଇ
ଅସମୟେ ପଲ୍ଲବନର
ଚିତ୍ର ଆଙ୍କୁଥିବି,

ତୁମ କୋଳରେ ମୁଣ୍ଡ ରଖି
ସୂର୍ଯ୍ୟର ବିଦାୟ ବେଳାରେ ବି
ଭୋର୍‌ର ସ୍ୱପ୍ନ ଦେଖୁଥିବି ।

– ମୃଗେଶ ବୈଷ୍ଣବ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୄଗେଶ ବୈଷ୍ଣବ ପାଣିଗ୍ରାହୀ ଜଣେ ଓଡ଼ିଆ ଚିତ୍ରୋତ୍ତଳକ, କବି ତଥା ଲେଖକ । ତାଙ୍କ ରଚିତ ଲେଖାଗୁଡ଼ିକ ବିଭିନ୍ନ ପ୍ରକାରର ପତ୍ରପତ୍ରିକା ତଥା ଇଣ୍ଟରନେଟ ମାଧ୍ୟମରେ ଉପଲବ୍ଧ । ମୋବାଇଲ୍: 9658577580