You are currently viewing ଆକାଶ ଆଖିରେ ଲୁହ
Odia Poem Akasha Akhire Luha (ଆକାଶ ଆଖିରେ ଲୁହ) by Chinmaya Kumar Sahoo

ଆକାଶ ଆଖିରେ ଲୁହ

ଆକାଶକୁ ଦିନେ ଚାହିଁ ମୁଁ ଭାବିଲି କେଡ଼େ ସୁଖୀ ସତେ ସେଇ
କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ ।

ପକ୍ଷୀ ଉଡ଼ୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ
ଦଳ ଦଳ ହେଇ ବାଦଲ ଗୁଡ଼ାକ ଭାସି ଯାଉଥିଲେ ଦୂରକୁ ।

କେତେ କେତେ ଗ୍ରହ, ତାରା ସୂର୍ଯ୍ୟ ଚନ୍ଦ୍ର, ତା’ ସାଙ୍ଗେ ମେଘର ଭାବ
ଏତେ ଏତେ ବନ୍ଧୁ ପାଶେ ଥାଇ ନିଶ୍ଚେ ଆକାଶଟା ଖୁସି ଥିବ ।

ମୋ ଚାହାଣି ଦେଖି ଆକାଶଟା ବୋଧେ ବୁଝିଗଲା ମନ କଥା
ମୁରୁକି ହସିକି ଚାହିଁ ମୋ ମୁହଁକୁ ବଖାଣିଲା ତା’ର ବ୍ୟଥା ।

ନିରେଖି ଚାହିଁଲି ଦିଗବଳୟ ଆଡ଼େ ଦିଶିଲା ଦେଶର କପାଳ
ଭିଜିଲା ମାଟିର ଶୁଖିଲା ମୁହଁରେ ମଳିନ ହସର ଖୋଳ ।

ଚାଷୀ ଜଗିଥିଲା ଉଜୁଡ଼ା କ୍ଷେତକୁ, ସେନା ଜଗିଥିଲେ ସୀମା
ଦୁହିଁଙ୍କ ଭୋକିଲା ପେଟର ଦରଦ ଖୋଲିଦେଲା ମୋ ଚଷମା ।

ନିରୀହ ମୁଖାଟେ ପିନ୍ଧି କିଛି ନେତା ରଚାଉଥିଲେ ଯେ ଧ୍ଵଂସ
ଶାଗୁଣା ସଦୃଶ ଖୁମ୍ପି ଖାଉଥିଲେ ଗରିବ ପ୍ରଜାଙ୍କ ମାଂସ ।

କାଖେ ଶିଶୁ ଧରି ମାଆ ଖଟୁଥିଲା, ସେ ଦୃଶ୍ୟ ଅତି ଦାରୁଣ
ଫୁଲଠୁ କୋମଳ ହାତରେ ଧରିକି ତତଲା ନିଆଁର ନିହାଣ ।

ଦେଶର ପତାକା ଫର ଫର ହେଇ ଉଡ଼଼ୁଥିଲା ଗରବରେ
ପତାକା ବିକିକି ପିଲାଟିଏ କିନ୍ତୁ ଶୋଇଥିଲା ଉପାସରେ ।

ଫର୍ଚ୍ଚା ଆକାଶରେ ଖିଲି ଖିଲି ହେଇ ଜହ୍ନ ଉଙ୍କି ମାରୁଥିଲା
ରାକ୍ଷସ ହାତରେ ଆଜିବି ନାରୀଟେ ଇଜ୍ଜତ ହରେଇଥିଲା ।

ରକ୍ତର ଦଲାଲ ଦିଶିଲେ ସବୁଠି ମାରିବାକୁ ଜୀଉଁଥିଲେ
ଦିନରେ ସପନ ସଉଦା, ରାତିରେ ନିଦ ନିଲାମ କରୁଥିଲେ ।

ପୂଜୁଥିଲେ ଲୋକ ପଥର ଦିଅଁଙ୍କୁ ଗୋଇଠା ମାରି ବ୍ରହ୍ମକୁ
ହଜି ଯାଉଥିଲା ମଣିଷ ପଣିଆ ମାରୁଥିଲା ବିବେକକୁ ।

ତଥାପି ସକାଳୁ ନିଇତି ଆକାଶ ନୂଆ ସୂର୍ଯ୍ୟୋଦୟ ନେଇ
ଆଶା ବାନ୍ଧୁଥିଲା ଅଙ୍କୁରିତ ହେବ ଏ ଦେଶର ଫଟା ଭୂଇଁ ।

ଉପରେ ଥାଇ ସେ ସୁଖେ ଥିବ ନିଶ୍ଚେ ଭାବିଥିଲି ଆକାଶକୁ
ଜାଣି ମୁଁ ପାରିଲି ସଂସାରର କଷ୍ଟ କରିଥିଲେ ଜଡ଼ ତାକୁ ।

ବିଚରା ଆକାଶ ବଖାଣି କହିଲା ତା’ ହୃଦୟ ଦୁଃଖ ଦଶା
ଅବୋଧ ମୁଣ୍ଡରେ ବୁଦ୍ଧି ମୋ ପଶିଲା ବେଶି ନୁହେଁ ମୋ ଦୁର୍ଦ୍ଦଶା ।

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।