ଅଭଦ୍ର ପଡ଼ୋଶୀ
ଅଭଦ୍ର ପଡ଼ୋଶୀ

ଅଭଦ୍ର ପଡ଼ୋଶୀ

ଗେରସ୍ତ ମୋହର ଭାରି ଡେଞ୍ଜର, ଲୋ କହିବାକୁ ଲାଗେ ଡର
ଚାକିରି କରୁଛି ଠିକା ଶିକ୍ଷକ ଯେ, ଦରମା ଦେଢ଼ ହଜାର
ସକାଳ ପାହୁଣୁ ଯାଉଚି ଇସ୍କୁଲୁ; ସଞ୍ଜକୁ ଆସୁଛି ଘର
ସଜ ଦେଖି ମେତେ ଲାଇନି ମାରଇ ଭେଣ୍ଡିଆ ପଡ଼ୋଶୀ ମୋର ।
ଏଡ଼େ ଅଲାଜୁକ ଆଖି ଦୁଇ ତା’ର, ବାଘ ମାମୁଁ ଭଳି ରଡ଼ି
ମାଆ-ଭଉଣୀକୁ ଉଡ଼ଉଚି ସଦା, ବବାଜି ଭଳିଆ ଦାଢ଼ି
କଲେଜ ପଢ଼ିକି ନଲେଜ ବଢ଼ିଛି, ମଦ-ପାଣି ଚାଲେ ଖାଲି
ଏଡ଼େ ଅଭଦ୍ର ପଡ଼ୋଶୀ ମୋର ଲୋ କହୁ କହୁ କହି ଦେଲି । (୧)

ସଞ୍ଜରେ ଛାତକୁ ଲୁଗା ଆଣିଗଲେ ଆଖି ମାରେ ହସି ହସି
ମାଙ୍କଡ଼ ପରାଏ ଦାନ୍ତ ଗୁଡ଼ା ତା’ର ବାଳଟା ନଡ଼ିଆ ରସି
କଲେଜରୁ ଆସି ଜଗି ବସେ ନିତି, ମାରୁଚି ଆହୁରି ସିଟି
ଘର ଲୋକେ ବୋଧେ ଶିଖେଇ ନାହାନ୍ତି, ପଡ଼ୋଶୀ ମାଇପ ଆଣ୍ଟି
କେତେ କହି ଥିଲି, ଭେଣ୍ଡିଆ ମେଳରେ ରହିବାନି ଆମେ ଯାଇ
ମୋ ଦୁଃଖ ପସରା ମୋତେ ସିନା ଜଣା ଘଇତା ବୁଝୁଛି କାହିଁ
ଏତେ ଦୂର ଆସି କହ ଲୋ ସଙ୍ଗାତ ଏଡ଼େ ଅପନ୍ତରା ହେଲି
ଏଡେ ଅଭଦ୍ର ପଡ଼ୋଶୀ ମୋର ଲୋ କହୁ କହୁ କହି ଦେଲି । (୨)

ବୟସ ଜମାରୁ ଉଣେଇଷି ହବ; ଭୋଓଟ ଦେଇ ନ ଥିବ
ଗାଲ ଚିପି ଦେଲେ ଦୁଧ ପଛେ ଝରୁ, ପର ଘରେ ଆଖି ଦବ
ତା’ରି ସକାଶେ ଝରକା ଖୋଲୁନି, ସହୁଛି ଗରମ ଝାଞ୍ଜୀ
କେମେତି କେଜାଣି ବାରବାର କିଆଁ ମୋ ଘରେ ପଡ଼େ ତା’ ଗଞ୍ଜି ।
କି ମନ୍ତର ସେ ମାରିଛି କେଜାଣି ସ୍ୱାମି ତା’ ଗାଉଛି ଗୁଣ
ଭଲ ପିଲା ଗୋଟେ ରହୁଛି ପାଖରେ ସର୍ବ ଗୁଣରେ ନିପୂଣ
ସପ୍ତାହକୁ ଥରେ ଛୁଟି ଦିନ ଦେଖି, ବୋତଲ ଖୋଲନ୍ତି ଡେଲି
ଏଡେ ଅଭଦ୍ର ପଡ଼ୋଶୀ ମୋର ଲୋ କହୁ କହୁ କହି ଦେଲି । (୩)

ସଅଳ ସକାଳୁ ବୃନ୍ଦାବତୀ ମୂଳେ ଥୋଇଯିବୁ ଯେବେ ଦୀପ
ଦେଖିବୁ ବାବୁଙ୍କ ଅଳସ ଭାଙ୍ଗୁଛି, ପାଟିରେ ନାଖିଛି ଛେପ
ଦଅଶ ବେଳକୁ ବରସ କରୁଛି, କେଜାଣି କି ପାଠ ପଢ଼ୁଛି
ଭାଣ୍ଡାମିରେ ବୋଧେ ସ୍ନାତକ କରୁଚି, ବୋପା ପଇସାକୁ ସାରୁଛି
ପାଉଁଶ ପାଉଁଶ ବାସୁଛି ଅଗଣା, ଧୂପ ବି କି କାମ ଦଉଚି
ପୋଡ଼ାମାଛ ପରି ଗନ୍ଧ ଚହଟୁଛି, କେଜାଣି କି ବିଡ଼ି ପିଉଛି
କେଉଁ ଜନମର ପାପ ଫଳ ବୋଧେ, ଏଠି ଆସି ଭୋଗ କଲି
ଏଡେ ଅଭଦ୍ର ପଡ଼ୋଶୀ ମୋର ଲୋ କହୁ କହୁ କହି ଦେଲି । (୪)

ଆସିବ ଆସିବ କହିକି ସତେଲୋ ଭଉଣୀ ମୋ ଅଳି କଲା
ବାହାସାହା ହେଲା ସ୍ତ୍ରୀକୁ ଛାଡ଼ୁନି ତା’କୁ କି ଛାଡ଼ିବ ଭଲା
ଦେଖେଇ ଶୁଣେଇ ହଲେଇ ଝୁଲେଇ ଭେଁ ଭେଁ ଗୀତ ଗାଉଚି
“ମେରି ସାମନେ ବାଲି ଖିଡ଼କୀ ମେ ଏକ ଚାନ୍ଦ କା ଟୁକୁଡ଼ା ରହୁଛି”
ଭଉଣୀ କହୁଛି ଏଇ ଟାଉନୁରେ କଲେଜ ପଢ଼ିବ ବୋଲି
ତା’ଠୁ ଭଲ ତ ଘରେ ବସି ଥାଉ ପାଠ ପଢ଼ା ଖାଉ ଚୂଲି
କେମିତି କଅଣ କରିବି କେଜାଣି, ଭାବିକି କହିବୁ କାଲି
ଏଡ଼େ ଅଭଦ୍ର ପଡ଼ୋଶୀ ମୋର ଲୋ କହୁ କହୁ କହି ଦେଲି । (୫)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu