ସୂର୍ଯ୍ୟାସ୍ତ

Odia Poem Surjyasta (ସୂର୍ଯ୍ୟାସ୍ତ) by Subhalaxmi Sahoo

ବୟସର ଅପରାହ୍ନରେ
ଦଣ୍ଡାୟମାନ ମୁଁ ଆଜି
ଚତୁର୍ଦ୍ଦିଗ ଅନ୍ଧକାର
ପାଏ ନାହିଁ ନିଜକୁ ଖୋଜି ।

କ୍ଷଣିକରେ ସାୟଂ କାଳ
ଅସ୍ତ ଯିବେ ରବି
କର୍ମମୟ ଜୀବନରୁ ଆଜି
ମୁହିଁ ବାହୁଡ଼ିବି ।

ଆସିବନି କାଲି ଆଉ
ସେପରି ସକାଳ
ଶୁଣିବାକୁ ନ ମିଳିବ
ପତ୍ନୀଙ୍କ ଗହଳ ।

ବାଜିବନି ୯:୦୦ରେ
ଟେବୁଲର ଘଡ଼ି
କର୍ମକ୍ଷେତ୍ର ଯିବି ନାହିଁ
ଚଢ଼ି ମୁଁ ଯେ ଗାଡ଼ି ।

ସକାଳର ସୁରୁଜ ଯେ
ଲାଗଇ ସୁନ୍ଦର
ସ୍ମରଣେ ମୁଁ ଶୈଶବର
ସଖା ସହୋଦର ।

ମଧ୍ୟାହ୍ନରେ ସେ ଭାସ୍କର
ଅଧିକ ଉତ୍ତପ୍ତ
ଅବସର ଜୀବନଟା
ଲାଗେ ଭାରି ସୁପ୍ତ ।

ଏହି କ୍ରମେ ଜୀବନରେ
ଅନେକ ପାହାଚ
ଚାଲିବାକୁ ହୁଏ ଏଠି
ମନ କରି ଉଚ୍ଚ ।

ଇତି ମଧ୍ୟେ କେତେ ଜନ
ନେଲେଣି ବିଦାୟ
ରହିବାକୁ ପଡ଼େ ଏଠି
ମନ କରି ଥୟ ।

ଆମ୍ଭର ପ୍ରେୟସୀ ଥିଲେ
ଯେ ତନୁପାତଳି
ସମୟର ସ୍ରୋତେ ଆଜି
ଯାଇଛନ୍ତି ଚାଲି ।

ପରିବାର ଛୋଟ ଥିଲା
ଥିଲୁ ଦୁଇ ପ୍ରାଣୀ
ଭରସା କରି ବଞ୍ଚିବି
କାହାକୁ ଆଶ୍ରା କରି ।

ବୃକ୍ଷ ମଧ୍ୟେ ଯେହ୍ନେ ଦିଶେ
ଥୁଣ୍ଟା ବରଗଛ
ଜଳ ଜୀବ ଶାଳେ ମୁଁ ଯେ
ଏକୁଟିଆ ମତ୍ସ୍ୟ ।

ଜୀବନର ବେଳାଭୂମି ଅଟେ
ଅସରନ୍ତି ପଥ
ତନୁଜା ସଙ୍ଗେ ଥିଲେ ବୋଧେ
ହୋଇଥାଆନ୍ତା ଛୋଟ ।

ବୟସର କୁରୁକ୍ଷେତ୍ରେ
ମୃତ୍ୟୁର ଶଙ୍ଖନାଦ,
ପ୍ରତିକ୍ଷଣେ ସ୍ପନ୍ଦନରେ
ଭରୁଛି ଆହ୍ଲାଦ ।

ଇତି ମଧେ ନିଶା ଆସେ
ଘଟେ ପ୍ରତୀକ୍ଷାର ଅନ୍ତ
ସମାପ୍ତ ହେଲା ମୋ କାଳ
ଆହେ ଜଗନ୍ନାଥ ।

– ଶୁଭଲକ୍ଷ୍ମୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...