ନୀଳ ଶୈଳ ଚୂଡ଼ାମଣି
ଘେନ ଦୀନ ଗୁହାରୀ ।
ମହା ସଙ୍କଟ ସିନ୍ଧୁରୁ
ବେଗେ କର ହେ ପାରି ॥
ଚାହୁଁ ଚାହୁଁ ଦୁଃଖ-ରାହୁ
ସୁଖ-ଶଶୀ ଗ୍ରାସଇ ।
ଚିନ୍ତା-ସାଗରେ ଜୀବନ-
ନଉକା ମୋ ଭାସଇ ॥
କୂଳେ ଲଗାଅ ତୁରିତେ
ଦୟା ଦୃଷ୍ଟିରେ ଚାହିଁ ।
ତୁମବିନା ଏ ସଂସାରେ
ତ୍ରାଣ କର୍ତ୍ତା କେ ନାହିଁ ॥
ମହା ମହା ବିପଦରୁ
କରି ଅଛ ଉଦ୍ଧାର ।
ସମଗ୍ର ସଂସାର ପାଇଁ
ବାରେ କରୁଣା କର ॥
କେତେ ନିଷ୍ପାପ ନିରୀହ
ଶାନ୍ତ ସରଳ ଜୀବ ।
ଆଖି ବୁଜି ଦେଉଛନ୍ତି
ଆହେ ନୀଳ ମାଧବ ॥
ଦୀନ ଜନ ବନ୍ଧୁ ବୋଲି
ହୁରି ପଡ଼େ ଜଗତେ ।
ପ୍ରାଣର ଠାକୁର ମୋର
ଦୟା କର କିଞ୍ଚିତେ ॥
ଜଗତର ନାଥ ଥାଉଁ
ଆମ୍ଭେ ହେଲେ ଅନାଥ ।
ରହିବ ତ ଯଶ ତବ
ପ୍ରଭୁ ଥରୁଟେ ଚିନ୍ତ ॥
କରୋନାର ଉତପାତ
ବଢ଼େ ଦିନକୁ ଦିନ ।
ରୂପ ବଦଳାଏ ବଡ଼
ଦାନବର ସମାନ ॥
ମାୟାବୀ ପରି ତା’ କାୟା
କରୁ ଅଛି ବିସ୍ତାର ।
ନୀଳ ଶୈଳ ଚୂଡ଼ାମଣି
ଏ କଷ୍ଟରୁ ନିସ୍ତାର ॥
– ଶ୍ରୀ ଗୁପ୍ତେଶ୍ୱର ଚାନ୍ଦ
Comments
କବି ଶ୍ରୀ ଗୁପ୍ତେଶ୍ୱର ଚାନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।