ସମ୍ପଦ କାଳେ ସର୍ବେ ସଖା

Odia Poem Sambada Bele Sarba Sakha (ସମ୍ପଦ କାଳେ ସର୍ବେ ସଖା) by Samar Ballav Bhoi

ମଣିଷର ମନ ଏମିତି ପ୍ରକାର
ଜାଣିଲେ ଲାଗଇ ଚିଡ଼ି ଚିଡ଼ା
ପାଇବାର ଆଶା ଥିବାଯାଏ ସିଏ
ଅତି ନିକଟରେ ହୋଇଥାଏ ଛିଡ଼ା ॥

ସତରେ ମଣିଷ କେତେ ସେ ଅଡ଼ୁଆ
ମନେ ଥାଏ ତା’ର କେତେ କଥା
କହିବ କହିବ କହି ତ ପାରେନା
ମନେ ରଖିଥାଏ ଅନେକ ବ୍ୟଥା ॥

ସମ୍ପଦ ଲୋଭରେ ମନ ବାଡ଼ୁଥାଏ
ସମ୍ପଦେ ଲାଗି ରହିଥାଏ ଲୋଭ
ସମୟ ସୁବିଧା ଦେଖି ସେ ମଣିଷ
କରନ୍ତି ବ୍ୟବହାର ସତେ ଦୁର୍ଲଭ ॥

ନିଜ କାମ ଛାଡ଼ି କରନ୍ତି ସେ କାର୍ଯ୍ୟ
ସତେ କି ଆପଣାର ଭାବ ରଖି
ପ୍ରତିଦିନ ତାଙ୍କ ଉପସ୍ଥିତ ଜାରି
ଧନ ସମ୍ପଦେ ରଖିଥାନ୍ତି ତାଙ୍କ ଆଖି ॥

ସମ୍ପଦର ଲୋଭ ଭାରି ସେ ଅଡ଼ୁଆ
ପାଇବାର ଆଶା ଗଲେ ଥରେ ପୂରି
ପାଖେ ନ ମିଳନ୍ତି ଦରକାର ବେଳେ
ଦେବାବାଲା ଭାବୁଥାଏ ଝୁରି ଝୁରି ॥

ମଣିଷ ପଣିଆ ହୃଦୟେ ନଥିଲେ
ଧନ ଲୋଭେ ମନଥାଏ ଲୋକଦେଖା
ସମ୍ପଦ କାଳେ ହୁଅନ୍ତି ସର୍ବେ ସଖା
ବିପଦେ ନ ଦିଅନ୍ତି କେବେ ଦେଖା ॥

– ସମର ବଲ୍ଲଭ ଭୋଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...