ସୀମା ଆଉ ମୋ ବାହାଘରର ୨ ବର୍ଷ ପୂରିବାକୁ ଆସିଲାଣି ହେଲେ ଗୋଟେ ଦିନ ବି ସାମାନ୍ୟ ମନାନ୍ତର ହେଇନି ଆମ ଭିତରେ । ଆଜି ସକାଳୁ କିନ୍ତୁ ଘରେ ମହାଭାରତ ଯୁଦ୍ଧ । ଲାଗୁଚି ବିବାହ ପରି ଗୁରୁତର ନିଷ୍ପତ୍ତି ନେବାରେ ବହୁତ ଭୁଲ କରିଦେଇଛି ମୁଁ । ଯିଏ ନିଜ ଜୀବନସାଥୀର ସାମାନ୍ୟତମ ଭାବପ୍ରବଣତା ସମ୍ପର୍କରେ ଦାୟିତ୍ୱହୀନ ହେଇପାରୁଛି ଆଗକୁ ଏତେ ବଡ଼ ରାସ୍ତା ତା’ ସହ କିପରି ଚାଲିବ? ମୋ ବୋଉ ଖାଲି କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇଛି । ମୁଁ ପାଟି କରି ଚାଲିଛି ଆଉ ସୀମା ବି ଚୁପ ହଉନି; ଦୁହେଁ ନିଜ ଯୁକ୍ତିରେ ଅଟଳ ।
ଆଉ ସବୁଥିର ମୂଳ ଏକ ଏଣ୍ଡି ଚଦର । ଗୋଟିଏ ଜରାଜୀର୍ଣ୍ଣ ଏଣ୍ଡି ଚଦର ଯାହାର ଦେହରେ ଏତେ କଣା ଭର୍ତ୍ତି ଯେ ସେ ଆଉ ଚଦର ପଦବାଚ୍ୟ ନୁହେଁ । ତାକୁ ଆଲମାରୀରେ ସଯତ୍ନ ମୁଁ ରଖିଛି ବହୁତ ବର୍ଷ ହେଲାଣି । ଆଉ ଆଜି ସୀମା ଆସି ତା’ ଲୁଗା ରଖିବା ପାଇଁ ତାକୁ ବାହାର କରି ଅଳିଆବାଲାକୁ ଦେଇଦେଇଛି । କାରଣ ସେ ପୋଛାକନା ହେବାର ଯୋଗ୍ୟତା ବି ହରେଇ ବସିଥିଲା । ଅତ୍ୟଧିକ କ୍ରୋଧରେ ଘରୁ ବାହାରି ଅଫିସ ପାଇଁ ଚାଲିଆସିଲି । ପଛରୁ ଦୁଇ ଯୋଡ଼ା ଅସହାୟ ଆଖି ମୋ ପଛରେ ଦରଜା ଯାଏ ଆସିଲା । ଘୋର ମାନସିକ ଅଶାନ୍ତି ଭିତରେ ପଛ କଥାଗୁଡ଼ିକ ଗୋଟେ ପରେ ଗୋଟେ ମୋ ଆଖି ସାମ୍ନାରେ ନାଚୁଥାଏ । ଚଦରଟି ଥିଲା ମୋ ପ୍ରିୟ ବାପାଙ୍କର ଯାହାଙ୍କ ଜୀବନର ଅର୍ଦ୍ଧାଧିକ ସମୟ ଯୌଥ ପରିବାରର ଦାୟିତ୍ୱ ନେଉ ନେଉ ନିଃଶେଷ ହେଇଯାଇଥାଏ । ନିଜପାଇଁ ଚଦରଟିଏ କିଣିବାର ସାମର୍ଥ୍ୟ ବି ନଥିଲା । ଜେଜେବାପା ତାଙ୍କୁ ଦେଇଥିବା ଏଇ ଏଣ୍ଡି ଚଦରଟି ଖରା ବରଷା ଶୀତ ସବୁଥିରେ ତାଙ୍କ ସାଥି । ଚଦରଟିର ପ୍ରତିଟି ତନ୍ତୁରେ ବାପାଙ୍କର ବାସ୍ନା ଖୁନ୍ଦି ହେଇ ରହିଥିଲା । ଯେତେଟି କଣା ସେଥିରେ ଥିଲା ତା’ଠୁ ଅଧିକ ତ୍ୟାଗ ସେ କରିଥିଲେ ସମସ୍ତଙ୍କ ପାଇଁ । କ୍ରମେ ଅବସ୍ଥା ସୁଧୁରିଥିଲା କିନ୍ତୁ ବାପାଙ୍କର ସେ ଏଣ୍ଡି ଚଦର ପ୍ରତି ଥିବା ଦୁର୍ବଳତା ଅତୁଟ ରହିଥିଲା । ଆମେ ସବୁ ଭାଇ ଭଉଣୀ ମାଡ଼ଗୋଳ ଲାଗୁଥିଲୁ ସେ ଚଦର୍ ପାଇଁ । ସମସ୍ତେ ଘୋଡ଼େଇ ହଉଥିଲୁ କାହାର ଗୋଡ଼ ତ କାହାର ହାତ ସେ କଣା ସବୁ ଦେଇ ବାହାରକୁ ଆସିଯାଉଥିଲା ସକାଳୁ । ଘରେ ଅଜସ୍ର ଚଦର, କମ୍ୱଳ କିଣା ହେବା ପରେ ବି ଏଣ୍ଡି ଚଦର ତା’ ଜାଗାରେ ଅଟଳ । ବାପାଙ୍କ ମୃତ୍ୟୁ ପରେ ସବୁ ଭାଇଭଉଣୀଙ୍କୁ ବହୁତ ଅନୁରୋଧ କରି ଚଦରଟି ନିଜ ପାଇଁ ଆଣିଥିଲି ଆଉ ଆଜି ତା’ର ସୁରକ୍ଷା ନକରିପାରିବାରୁ ଅଳିଆ ହେଇଯାଇଥିଲା ଆଉ କାହା ପାଇଁ ସେ । ଆଖି ଲୁହରେ ଟଳମଳ ହେଇଯାଉଥାଏ । ଅଫିସରେ ଜମା ମନ ଲାଗିଲାନି ଜଲଦି ଫେରି ଆସିଲି । ମା’ ପାଇଁ ମନ ଦୁଃଖ ଲାଗୁଥାଏ । ସୀମାକୁ ତ ଯେମିତି ନିଜର ସବୁଠାରୁ ବଡ଼ ଶତ୍ରୁ ଲାଗୁଥାଏ ।
ଘରେ ପହଁଚିଲା ବେଳକୁ ସମସ୍ତଙ୍କ ଆଖି ଫୁଲିଯାଇଥାଏ କାନ୍ଦି କାନ୍ଦି ଆଉ ମା’ଠାରୁ ସବୁ ଜାଣିବା ପରେ ସୀମା ମୋତେ କ୍ଷମା ମାଗୁଥାଏ । ତାକୁ କିଛି ବି କହିଲିନି, ମୋ ଉପେକ୍ଷାରେ ସେ କାନ୍ଦି କାନ୍ଦି ଭିତରକୁ ଚାଲିଗଲା । ମା’ ମୋତେ ଅଭିମାନରେ କହିଲା ବାପାଙ୍କର ଏଣ୍ଡି ଚଦର ତ ସାଇତି ଦେଲୁ କିନ୍ତୁ ତାଙ୍କ ପରି ଧର୍ଯ୍ୟଭରା ହୃଦୟଟିଏ ତିଆରି କରି ପାରିଲୁନି । ଆଉ ହାତକୁ ଏକ ପ୍ୟାକେଟ ବଢ଼େଇ ଦେଲା । ଖୋଲିଲା ବେଳକୁ ସେଇ ଏଣ୍ଡି ଚଦର । ଚିରି ଯାଇଥିବା ସବୁ ଜାଗାକୁ ରଫୁ କରା ହେଇଥାଏ ନୂଆ ଟସର ଶାଢ଼ୀଟିଏ କାଟି । ସମ୍ପୂର୍ଣ୍ଣ ନୂଆ ରୂପ, ଭାରି ସୁନ୍ଦର ଦିଶୁଥାଏ । ବୋଉ କହିଲା, ଅଳିଆବାଲା ଫୋପାଡ଼ିଦେଇ ଯାଇଥିଲା ବେଶି ଚିରା ବୋଲି । ସୀମା ଖୋଜି ଖୋଜି ଗୋଟେଇକି ଆଣି ତାକୁ ସାରା ଦିନ ଲାଗି ସଜାଡ଼ିଚି । ଚଦରଟିକୁ ଛାତିରେ ଚାପି ଧରିଲି, ଲାଗିଲା ବାପାଙ୍କୁ ଚାପି ଧରିଛି ଆଉ ବାପା ମୋତେ କାନରେ ଧୀରେ ଧୀରେ ତାଙ୍କ ଗେହ୍ଲି ବୋହୂକୁ ଯାଇ କ୍ଷମା ଯାଚନା କରିବାକୁ କହୁଛନ୍ତି ।
– ସୌମ୍ୟା ପ୍ରିୟଦର୍ଶିନୀ ରଥ
Comments
ସୌମ୍ୟା ପ୍ରିୟଦର୍ଶିନୀ ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରିଥାନ୍ତି । ସେ ମୁଖ୍ୟତଃ ଭୂତ ଗପରେ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ଆଦୃତି ଲାଭ କରିଛି । ସେ ଭୂତ ଗପ ବ୍ୟତୀତ ପ୍ରେମ ଭର ଗପ ତଥା ସାମାଜିକ ଚଳଣୀକୁ ନେଇ କିଛି କିଛି କ୍ଷୁଦ୍ର ଗପ ମଧ୍ୟ ରଚନା କରିଥାନ୍ତି ।