କୁଆଁର ପୁନେଇ ଜହ୍ନ

Odia Poem Kuanra Punei Janha (କୁଆଁର ପୁନେଇ ଜହ୍ନ) by Mamata Sahu

କୁଆଁର ପୁନେଇ ଜହ୍ନ ଗୋ
ଫୁଲ ବଉଳ ବେଣୀ
ଶରତ ଆକାଶେ ଜହ୍ନ ହସୁଥାଏ
କେଡ଼େ ଶୋଭା ଦିଶେ ପୁଣି ॥

କୁଆଁରୀ ମନରେ ଅପୂର୍ବ ଆନନ୍ଦ
ପୁଚି ଖେଳିବାକୁ ମନ
ଆହୁରି ସୁନ୍ଦର ସଜାଇ ହୁଅନ୍ତି
ପିନ୍ଧନ୍ତି ନୂଆଁ ବସନ ॥

ଚନ୍ଦନ କୁଙ୍କୁମ ଅଳତା ନାଇକି
ମିଳନ୍ତି ଚଉଁରା ମୂଳେ
ଝିଅ ବୋହୂ ମିଶି ହରସ ମନରେ
ଚଉଁରାରେ ଦୀପ ଜାଳେ ॥

ଚାନ୍ଦ ପୂଜା ପାଇଁ ସଜବାଜ ହୋଇ
ଆନନ୍ଦେ ଭୋଗ ବାଢ଼ନ୍ତି
ଜହ୍ନି ଓଷା ପାଇଁ ହସୁଛି କୁଆଁରୀ
ଜହ୍ନି ଫୁଲ ଚଢ଼ାଅନ୍ତି ॥

ଭାରି ଛନ ଛନ କୁଆଁରୀଙ୍କ ମନ
ମନରେ ଆସା ଭଉଁରି
ଆକାଶରେ ଜହ୍ନ ହସେ ଖିଲି ଖିଲି
ପାଦରେ ବାଜେ ପଇଁରି ॥

ମନ ବଗିଚାକୁ କିଏ ଚୋରିକରେ
ହୁଏ ନାହିଁ ଜମା ଜାଣି
ବୟସର ବଣେ ଆସେ କିଏ ଜଣେ
ଧୀରେ‌ ନେବ ମନ ଟାଣି ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...