ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି

Odia Poem Bidyalaya Aji Kanduchi (ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି) by Mamata Sahu

ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି
ନିସଙ୍ଗ ତା’ର ଜୀବନ ।
ଛାତ୍ରଛାତ୍ରୀଙ୍କୁ ଝୁରି ଝୁରି ତା’ର
କାନ୍ଦି ଉଠେ ମନପ୍ରାଣ ॥

ବିଦ୍ୟାଳୟେ ଆଉ ବାଜୁ ନାହିଁ ଘଣ୍ଟି
ଶୁଭୁ ନାହିଁ କୋଳାହଳ ।
ଭକ୍ତିର ପ୍ରାର୍ଥନା କମ୍ପି ଉଠୁନାହିଁ
ଶୁଭୁନାହିଁ ସୁରତାଳ ॥

ବିତିଗଲା କେତେ ଦିନ ମାସ ବର୍ଷ
ତାଲା ଝୁଲେ ଫାଟକରେ ।
ସମୟ ଶ୍ରୋତ ଯେ ବଦଳି ଯାଇଛି
ବଦଳିଛି ବାସ୍ତବରେ ॥

କେବେ କିଏ ମନେ ଭାବି ତ ନଥିଲା
ଏମିତି ଏ ଦିନ ଆସିବ ।
ଶୂନ୍ୟସ୍ଥାନ ହେବ ବିଦ୍ୟାଳୟ କୋଳ
ବାହୁନି ସେ କାନ୍ଦୁଥିବ ॥

କଳାପଟା ଆଜି ନିରବେ ଝରାଏ
ବିରହ ଅଶ୍ରୁର ଧାର ।
ମହ୍ଲାର ଆଜି ମରୁଭୂମି ସାଜେ
ଭବିଷ୍ୟତ ଯେ ଅନ୍ଧାର ॥

ବିଦ୍ୟା ବିଦ୍ୟାର୍ଥୀ ହେଲେ ଛିନ୍ନ ଭିନ୍ନ
କରୁଣର ଚିତ୍ର ଦିଶେ ।
ଶବ୍ଦହୀନ ଆଜି ଅଗଣା ତାହାର
ଶୁନ୍ ଶାନ ଲାଗେ ସତେ ॥

ଖେଳ ପଡ଼ିଆରେ ନାହିଁ ପାଦଚିହ୍ନ
ନାହିଁ ଯେ ପ୍ରତିଯୋଗିତା ।
ଫିକା ଫିକା ଲାଗେ ଦିନ ମାନ ସବୁ
ଭାବିଲେ ଲାଗଇ ବ୍ୟଥା ॥

ସବୁଜ ଶ୍ୟାମଳ ପରିବେଶ ତା’ର
ନାନା ଜାତି ଫୁଲେ ଭରା ।
ଉଜୁଡ଼ିଗଲା ସେ ସବୁ ସୁନ୍ଦରତା
ଖାଲି ଖାଲି ଦିଶେ ଧରା ॥

ବିଦ୍ୟାଳୟ ପୁଣି ରହିଛି ଅନାଇ
ଛାତିକୁ ପଥର କରି ।
ଫେରି ପାଇବ ସେ ପୁରୁଣା ଦିନକୁ
ଅଗଣା ତା’ ଯିବ ଭରି ॥

ହସି ଉଠିବ ମନ ପ୍ରାଣ ତା’ର
ବିଦ୍ୟାର୍ଥୀଙ୍କ ଆଗମନେ ।
ବିଦ୍ୟା ବିଦ୍ୟାର୍ଥୀଙ୍କ ହୋଇବ ମିଳନ
ହସିବ ଆନନ୍ଦ ମନେ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...