ବିଦେଶୀ ବନ୍ଧୁ

Odia Story Bideshi Bandhu (ବିଦେଶୀ ବନ୍ଧୁ) by Santanu Kumar Rout

ଅମିତ, ବିଗତ ଦୁଇ ବର୍ଷ ହେଲା ଭୁବନେଶ୍ୱର ସ୍ଥିତ ଏକ IT କମ୍ପାନୀରେ ଚାକିରୀ କରନ୍ତି । ନିଜ ଘର କହିଲେ ସମ୍ବଲପୁର ବୁର୍ଲା ସହର ନିକଟସ୍ଥ ଏକ ଗାଁ । ବୁର୍ଲା ସହରରେ ପାଠପଢ଼ା ସମାପ୍ତ କରି ଏଇ କିଛି ବର୍ଷ ହେଲା ଭୁବନେଶ୍ୱରରେ ରୁହନ୍ତି । କେଉଁ ଶନି/ରବିବାର ଛୁଟି ହେଲେ ଗାଆଁକୁ ଯା’ନ୍ତି, ଆଉ କେବେ କେବେ ଭୁବନେଶ୍ୱରରେ ରହିଯାନ୍ତି ଓ ଦର୍ଶନୀୟସ୍ଥାନ ବୁଲିବାକୁ ଯାଆନ୍ତି ବା ବେଳେବେଳେ ଏକା ହିଁ ମାର୍କେଟିଙ୍ଗକୁ ବାହାରିଯାଆନ୍ତି । ଏହିଭଳି ଦିନେ ଏକ ଶନିବାର ପୂର୍ବାହ୍ନରେ ମାର୍କେଟ ବିଲଡ଼ିଂରେ ବୁଲୁ ବୁଲୁ ଦେଖିବାକୁ ପାଆନ୍ତି ଜଣେ ବିଦେଶୀଙ୍କୁ । ଅବଶ୍ୟ ଭୁବନେଶ୍ୱରରେ ବିଦେଶୀଙ୍କୁ ଦେଖିବା ଏକ ବଡ଼କଥା ନୁହଁ କିନ୍ତୁ ଅମିତ ସେ ଦିନ ନିଜ କୌତୁହଳତାକୁ ରୋକି ପାରିଲେ ନାହିଁ ଏବଂ ଚାଲିଗଲେ ସେ ଆଗନ୍ତୁକଙ୍କୁ ଭେଟିବା ପାଇଁ ।

କଥୋପକଥନରୁ ଜଣାଗଲା ଯେ, ସେ ବିଦେଶୀଙ୍କ ନାମ ହେଲା ଡାନିଏଲ (Daniel) ଓ ଘର ତାଙ୍କରି ପ୍ୟାରିସ ସହରରେ । ସେଠାକାର ଏକ ୟୁନିଭରସିଟିରେ ସେ ଇତିହାସ ବିଭାଗରେ ସ୍ମାତକୋତ୍ତର କରନ୍ତି ଓ ଓଡ଼ିଶା ଇତିହାସ ଏବଂ ସଂସ୍କୃତି ପ୍ରତି ନିଜର ଗଭୀର ଜିଜ୍ଞାସା ପାଇଁ ଓଡ଼ିଶା ଭ୍ରମଣରେ ଆସିଛନ୍ତି । ଯେହେତୁ ଓଡ଼ିଶାରେ ତାଙ୍କରି ବିଶେଷ ପରିଚୟରେ କେହି ନାହାନ୍ତି, ତେଣୁକରି ସେ କେବଳ ଭୁବନେଶ୍ୱର ଭ୍ରମଣ କରି ଫେରିଯିବେ । ଅମିତ ଚିନ୍ତା କଲେ ଯେ ଏଭଳି ଜଣେ ବିଦେଶୀ ଅତିଥିଙ୍କୁ ଏକୁଟିଆ ଛାଡ଼ିବା ଠିକ ନୁହଁ, ତେଣୁକରି ସେ ନିଜଆଡ଼ୁ ପ୍ରସ୍ତାବ ଦେଲେ ଯେ ସେ ଡାନିଏଲଙ୍କୁ ସାହାଯ୍ୟ କରିବେ ଓ ଏଥିରେ ଡାନିଏଲ ବି ରାଜି ହୋଇଗଲେ । ଅମିତ ଡାନିଏଲଙ୍କୁ ନିଜ ଗାଡ଼ିରେ ବସେଇ ବୁଲେଇ ନେଲେ ଭୁବନେଶ୍ୱର ସହର । ଖଣ୍ଡଗିରିରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର, ଇସ୍କନରୁ ଆରମ୍ଭ କରି ଶିଖରଚଣ୍ଡୀ; ବିଭିନ୍ନ ଜାଗା ବୁଲେଇ ଦେଖାଇଲେ । ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ବି ଚଖାଇଲେ ଡାନିଏଲଙ୍କୁ ।

ମଣିଷ ଅଧିକାଂଶ ସମୟରେ ନିଜ ମନକଥା ନିଜ ମନରେ ଲୁଚାଇ ରଖେ । ଅନ୍ୟ କେହି ଜାଣିଲେ କାଳେ ଖରାପ ଭାବିବେ, ଏହି ଡରରେ ନିଜ ମନ କଥା ମଣିଷ କୁହେ ନିଜର ଅତି ନିକଟତର ମଣିଷଙ୍କୁ ଯିଏ ଆମ ମନକଥା ଜାଣିପାରିବ ଅବା ଏକ ଅଜଣା ମଣିଷ ପାଖେ କୁହେ ଯୋଉଠି କୌଣସି ଡର ନଥାଏ ଯେ ସାମ୍ନାରେ ଥିବା ଲୋକ କ’ଣ ଭାବିବେ । ସେହି ନ୍ୟାୟରେ ଉଭୟ ଅମିତ ଓ ଡାନିଏଲ ନିଜ ନିଜ ମନ କଥା କହିବସନ୍ତି । କିଛି କଥାରେ ଉଭୟ ହସନ୍ତି ଓ କିଛି କଥାରେ ଉଭୟଙ୍କ ଆଖି ଓଦା ହେଇଆସେ । ଏଇ କିଛି ଘଣ୍ଟା ମଧ୍ୟରେ ସେମାନଙ୍କ ବନ୍ଧୁତା ଗଢ଼ିଉଠେ ।

ଯେହେତୁ ଓଡ଼ିଶା ସଂସ୍କୃତି ପ୍ରତି ଡାନିଏଲଙ୍କ ଉତ୍କଣ୍ଠା ଅଧିକ ଅଛି, ତେଣୁ ଅମିତ ତାଙ୍କୁ ଏକ ଓଡ଼ିଶୀ ନୃତ୍ୟ ସମାବେଶକୁ ଯିବାକୁ ପ୍ରସ୍ତାବ ଦିଅନ୍ତି, ଯାହାକି ଏକ ପ୍ରସିଦ୍ଧ ମଣ୍ଡପରେ ଅନୁଷ୍ଠିତ ହେବାକୁ ଥାଏ । ଡାନିଏଲ ମଧ୍ୟ ଏଥିରେ ରାଜି ହୁଅନ୍ତି କିନ୍ତୁ ଏକ ସର୍ତ୍ତ ରଖନ୍ତି ଯେ ଅମିତକୁ ବି ଆସିବାକୁ ପଡ଼ିବ । ଅମିତଙ୍କୁ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ନଥିଲେ ସୁଦ୍ଧା ନିଜ ଅତିଥିଙ୍କ ଆଗ୍ରହକୁ ଏଡ଼ାଇପାରନ୍ତି ନାହିଁ ଓ ଉଭୟ ଯାଆନ୍ତି ସେହି ସମାବେଶକୁ । ସେଠି ଯାଇ ଜାଣିବାକୁ ପାଆନ୍ତି ଯେ ଏହି ସମାବେଶକୁ ଯିବା ପାଇଁ ଗେଟ୍‌ପାସ୍ ଦରକାର, କିନ୍ତୁ ତାହା ତ ଅମିତଙ୍କ ପାଖେ ନାହିଁ, କ’ଣ କରାଯିବ ତାହେଲେ? ଅମିତର ମନେପଡ଼ିଲା ଯେ ତାଙ୍କରି ଗାଁ’ର ଜଣେ ମାଉସୀ ଏହି ମଣ୍ଡପରେ ଚପରାସି କାମ କରନ୍ତି । ଅମିତ ତୁରନ୍ତ ତାଙ୍କୁ ଫୋନ୍ କରେ ଓ ସେ ମାଉସୀ ଉଭୟଙ୍କ ପାଇଁ ପାସ୍‌ର ବ୍ୟବସ୍ତା କରିଦିଅନ୍ତି । ଅନ୍ତତଃ ଉଭୟେ ପହଞ୍ଚନ୍ତି ଓଡ଼ିଶୀ ନୃତ୍ୟ ସମାବେଶରେ । ଡାନିଏଲ ଏହାକୁ ବସି ଉପଭୋଗ କରନ୍ତି କିନ୍ତୁ ଅମିତକୁ ଏହା ବିରକ୍ତିକର ଲାଗେ । ସେ କିଛି ସମୟ ପାଇଁ ବାହାରକୁ ଆସିଯାଆନ୍ତି ଓ ନିଜ ମୋବାଇଲ ଘାଣ୍ଟିବାରେ ଲାଗନ୍ତି । ଏହି ଭଳି ବୁଲି ବୁଲି ସେ ମଣ୍ଡପ ପାଚେରୀ ପାଖାପାଖି ଆସିଯାଆନ୍ତି । ହଠାତ ଏକ ବହୁତ ବଡ଼ ଶବ୍ଦ ହେଲା ଓ ଚାରିଆଡ଼ ଆଲୋକମୟ ଦେଖାଗଲା । ଅମିତ ପଛକୁ ବୁଲି ଦେଖେ ତ, ମଣ୍ଡପ ଭିତରେ ବୋମା ଫୁଟିଛି ।

ଚାରିଦିଗ ଅନ୍ଧାର ଦେଖାଗଲା ଅମିତକୁ, ସେ କିଛି ବୁଝିପାରୁନଥାଏ କ’ଣ ହେଲା, କିଛି ସମୟ ଯାଇଁ ସେ ଅବାକ ହୋଇ ରହିଗଲା । ସତେ ଯେମିତି ସେ ମୂର୍ଚ୍ଛା ହୋଇଯାଇଛି କିନ୍ତୁ ସବୁ ଦେଖିପାରୁଛି । ଚାରିଆଡ଼ୁ ଲୋକଙ୍କ ଚିତ୍କାର ଶୁଭୁଥାଏ, ଆରେ ରଖ ରଖ, ଆରେ ନିଅ ନିଅ, କ’ଣ ହେଲା… କ’ଣ ହେଲା… ଏ ସବୁ ଶବ୍ଦ ଭିତରେ ଯେବେ ଅମିତ ନିଜକୁ ପ୍ରକୃତିସ୍ଥ କରେ ସେତେବେଳେ ଜାଣିବାକୁ ପାଏ ଯେ ୟା ଭିତରେ ୨ ଘଣ୍ଟା ବିତିଗଲାଣି ଓ ସେ ମୂର୍ଚ୍ଛିତ ଅବସ୍ଥାରେ ଥିଲେ । ଅମିତ ଦୌଡ଼ିଗଲା ମଣ୍ଡପ ଭିତରକୁ, କିନ୍ତୁ ସେତେବେଳକୁ ପୋଲିସ, ଦମକଳ କର୍ମୀ, ସ୍ୱାସ୍ଥ୍ୟ କର୍ମୀ ସଭିଏଁ ସେଠି ରୁଣ୍ଡ ହୋଇଥାନ୍ତି ଓ କାହାକୁ ଭିତରକୁ ଛାଡ଼ୁନଥାନ୍ତି । ଯାହାର ଅଳ୍ପ କିଛି ହୋଇଥାଏ, ସେମାନଙ୍କୁ ସେଇଠି ହିଁ ଆଶୁଚିକିତ୍ସା କରାଯାଉଥାଏ ଓ ଯାହାର ଗଭୀର ଆଘାତ ଲାଗିଥାଏ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଉଥାଏ । ଅମିତ ବାହାରେ ଅପେକ୍ଷା କଲା, କାଳେ ଡାନିଏଲର କିଛି ଖବର ମିଳିଯିବ । ଅମିତ ସେମିତି ସାରା ରାତି ସେଠି ବସି ରହିଲା । ଗୋଟିଏ ଗୋଟିଏ କରି ସମସ୍ତ ଲୋକଙ୍କୁ ବାହାରକୁ ଅଣାଗଲା କିନ୍ତୁ ଅମିତ କୋଉଠି ବି ଡାନିଏଲକୁ ଦେଖିବାକୁ ପାଇଲା ନାହିଁ । ଯେତେବେଳେ ଆସ୍ତେ ଆସ୍ତେ ଲୋକ ଖାଲି ହୋଇ ଆସିଲେ, ଅମିତ ଏକ ଭଙ୍ଗା ଝରକା ଡେଇଁ ମଣ୍ଡପ ଭିତରକୁ ପଶିଲେ । ସବୁ ଜାଗା ଖୋଜି ବୁଲିଲେ କିନ୍ତୁ କୋଉଠି ବି ଡାନିଏଲକୁ ଦେଖିବାକୁ ପାଇଲେ ନାହିଁ । କିଛି ବୁଝିପାରୁନଥାଏ ସେ, କୁଆଡ଼େ ଯିବେ କୋଉଠି ଖୋଜିବେ । ୟା ଭିତରେ ସୂର୍ଯ୍ୟ ଉଦୟ ହେଇ ଆସିଲେ । ହଠାତ ଅମିତର ମନେ ପଡ଼ିଲା ଯେ, ଯେଉଁ ହସ୍ପିଟାଲକୁ ସମସ୍ତଙ୍କୁ ନିଆଯାଇଛି ସେଠାରେ ଯାଇ ଦେଖି ଆସିବ । ସେଇଆ ଭାବି ସେ ଦୌଡ଼ିଗଲା ହସ୍ପିଟାଲ ଅଭିମୁଖେ ।

୪/୫ କି.ମି. ଦୌଡ଼ି ଦୌଡ଼ି ସେ ଯେତେବେଳେ ଯାଇ ପହଁଚିଲେ, ଦେଖନ୍ତି ତ ସେଠି ବି ଗହଳି ଲାଗି ରହିଛି । ଅମିତ ଦୌଡ଼ିଗଲେ ଭିତରକୁ, ଚାରିଆଡ଼େ ଖୋଜିବୁଲିଲେ, ଜଣେ ନର୍ସ ଦିଦିଙ୍କଠୁ ଖବର ନେଇ ଦୌଡ଼ିଲେ ସେ ବିଭାଗ ଆଡ଼କୁ ଯୋଉଠି କାଲିର ଆହତମାନଙ୍କୁ ରଖାଯାଇଛି । ସେପଟକୁ ଯାଉ ଯାଉ ଶୁଣିବାକୁ ପାଇଲେ ଯେ କିଛି ବିଦେଶୀ ପର୍ଯ୍ୟଟକ ଏହି ଘଟଣାରେ ନିହତ ହୋଇଛନ୍ତି । ଅମିତ ଗୋଡ଼ ତଳୁ ଯେମିତି ମାଟି ଖସିଗଲା । ସେ ବୁଝିପାରୁନଥାଏ ଯେ କ’ଣ ଶୁଣିଲା ଓ କ’ଣ ପ୍ରତିକ୍ରିୟା ରଖିବ ସେ । ଅମିତଙ୍କୁ ତଥାପି ମଧ୍ୟ ବିଶ୍ୱାସ ହେଲା ନାହିଁ, ସେ ପୁଣି ଖୋଜି ବୁଲିଲା । ଏମିତି ଖୋଜୁ ଖୋଜୁ ସେ ତାଙ୍କରି ଗାଁ’ର ମାଉସୀଙ୍କୁ ଦେଖିବାକୁ ପାଇଲା । ତାଙ୍କ ବାଁ ଗୋଡ଼ରେ ମାଡ଼ ହେଇଚି କିନ୍ତୁ ଡରିବାର କିଛି ନାଇଁ, ସେ କିଛି ଦିନରେ ଭଲ ହୋଇଯିବେ । ୟା ଭିତରେ ମାଉସୀ କହିଲେ ଯେ, “ଦେଖୁନ ଆମେ ଏମିତି ଜେନେରାଲ୍ ୱାର୍ଡରେ ଗଡ଼ୁଛେ, ସେଠି ଉପର ମହଲାରେ ବିଦେଶୀମାନଙ୍କୁ ରଖା ହୋଇ ବିଶେଷ ଚର୍ଚ୍ଚା ହଉଛି, ଆରେ ଆମେ କଣ ମଣିଷ ନୁହଁ…” ଏମିତି ବହୁତ କିଛି କହୁଥିଲେ କିନ୍ତୁ ଅମିତ କାନରେ ଆଉ କିଛି ପଡ଼ିଲା ନାହିଁ । ସେ ଧୀରେ ଧୀରେ ଉପର ମହଲା ଆଡ଼େ ଉଠିଲା ।

ସେଠି ଯାଇ ଦେଖିଲା ଯେ ପ୍ରାୟ ୮/୧୦ ଜଣ ବିଦେଶୀଙ୍କ ଦେଖାଶୁଣା ଚାଲିଛି । କାହାର ଅବସ୍ଥା ଠିକ ଅଛି ତ ଆଉ କେହି ଭଲ ନାହାନ୍ତି । ୟା ଭିତରେ ସେ ଖୋଜି ପାଇଲା ଡାନିଏଲକୁ । ହାତ ଆଉ ମୁଣ୍ଡରେ ପଟି ଭିଡ଼ା ହୋଇଛି । ଅମିତକୁ ବିଶ୍ୱାସ ହେଲାନି, ସେ ସତରେ ଡାନିଏଲକୁ ଦେଖୁଛି ନା ଏକ ଭ୍ରମ । ଧୀରେ ଧୀରେ ଯାଇ ପହଁଚିଲା ଡାନିଏଲ ପାଖରେ । ଡାନିଏଲ ଆଖି ବନ୍ଦକରି ଶୋଇଥିଲେ ଓ ଅମିତ କିଛି ନ କହି ଚୁପଚାପ ପାଖରେ ବସିଗଲା । ସେଠି ଆଉ ଦୁଇ ଜଣ ବିଦେଶୀ ଥିଲେ, ଦେଖିବାକୁ କୌଣସି ଅଫିସର ଭଳି । ସେମାନଙ୍କ ଭିତରୁ ଜଣେ ଅମିତକୁ ନିଜ ପରିଚୟ ଦେଲେ । ସେମାନେ ଫ୍ରାନ୍ସ ଦୂତାବାସରୁ ଆସିଛନ୍ତି ଡାନିଏଲକୁ ନେବା ପାଇଁ, କିନ୍ତୁ ଡାନିଏଲର ଏକ ଜିଦ୍ ଯେ ସେ ଅମିତକୁ ନଭେଟି ଯିବ ନାହିଁ ଅମିତ ବି ନିଜ ପରିଚୟ ଦେଲେ । ୟା ଭିତରେ ଯେବେ ଡାନିଏଲ ଆଖି ଖୋଲିଲା, ପାଖରେ ଅମିତକୁ ପାଇ କୋହଭରା କଣ୍ଠରେ କାନ୍ଦି ଉଠିଲା । ଅମିତ ବି ନିଜକୁ ସମ୍ଭାଳିପାରିଲେ ନାହିଁ । ଉଭୟ ଉଭୟଙ୍କ ହାତ ଧରି କାନ୍ଦି ଉଠିଲେ । ଦୂତାବାସର ଅଫିସର କହଲେ, “ଏମିତି ବନ୍ଧୁତ୍ୱ ଆମେ ଜୀବନରେ କେବେ ଦେଖିନାହୁଁ, ଏଇ କିଛି ଘଣ୍ଟା ଭିତରେ କଣ ସତରେ ବନ୍ଧୁତ୍ୱ ଏତେ ନିବିଡ଼ ହୋଇପାରେ?” ଏ ପ୍ରଶ୍ନର ଉତ୍ତର ନା ଅମିତ ପାଖେ ଥିଲା ନା ତା’ର ବିଦେଶୀ ବନ୍ଧୁ ଡାନିଏଲ ପାଖେ ।

– ଅଶୋକ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...