You are currently viewing ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
Odia Bhajan Biswa Prasidha Rathajatra (ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା) by Mamata Sahu

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି
ଉତ୍କଳେ ପାଳିତ ହୁଏ
ଉତ୍ସବ ମୁଖର ଚଳ ଚଞ୍ଚଳିତ
ବଡ଼ଦାଣ୍ଡ ହୋଇଥାଏ ॥

ଆଷାଢ଼ ଶୁକଳ ଦ୍ୱତୀୟା ତିଥିରେ
ପବିତ୍ର ଏ ରଥଯାତ୍ରା
ରଥରେ ଦର୍ଶନ ଦେବେ ପରବ୍ରହ୍ମ
ଦୀନବନ୍ଧୁ ବିଶ୍ୱକର୍ତ୍ତା ॥

ରତ୍ନ ସିଂଘାସନ ଛାଡ଼ି ଜଗନ୍ନାଥ
ଭକତ ମେଳରେ ରହି
ଟାହିଆ ହଲାଇ ମନ୍ଦ ମନ୍ଦ ହସି
ନିଏ ଭକ୍ତ ମନ ମୋହି ॥

ଦିବ୍ୟ ଚେତନାର ଭକତି ଆବୋରି
ଭକତଟି ଆସି ଥାଏ
ଚତୁର୍ଦ୍ଧା ମୁରତି କରିକି ଦର୍ଶନ
କୋଟି ପୁଣ୍ୟ ଲଭିଥାଏ ॥

ତିନି ଗୋଟି ରଥ ଦାଣ୍ଡେ ଶୋଭାପାଏ
ଶୁଭେ ଶୁଭ ଶଙ୍ଖ ଧ୍ୱନି
ଆଳଟ ଚାମର ଭଜନ କୀର୍ତ୍ତନ
ଘଣ୍ଟ ଘଣ୍ଟି ବାଜେ ପୁଣି ॥

ତାଳଧ୍ୱଜ ରଥେ ବଳିଆ ଠାକୁର
ସୁଭଦ୍ରା ଦର୍ପଦଳନେ
ନନ୍ଦିଘୋଷ ରଥେ କାଳିଆ ଠାକୁର
ବିରାଜି କେଡ଼େ ଯତନେ ॥

ଭକ୍ତ ପାଇଁ ପ୍ରଭୁ ଘୋଷଯାତ୍ରା କରି
ବାହାରି ବଡ଼ଦାଣ୍ଡରେ
ଭକ୍ତ ଭଗବାନ ମିଳନ ଏମିତି
ଖ୍ୟାତି ଅଛି ସଂସାରରେ ॥

ରଥର ଦଉଡ଼ି ଭିଡ଼ି ହସ୍ତ ଧରି
ଟାଣନ୍ତି କୋଟି ଭକତ
ଦେଖିଦେଲେ ତାହା ଆଖି ଲାଖିଯାଏ
ବରଷେ ଭକ୍ତି ଅମୃତ ॥

ବାର ମାସେ ତେର ଲୀଳା କଲବୋଲି
ପବିତ୍ର ଉତ୍କଳ ମାଟି
ସାରାବିଶ୍ୱ ଦେଖେ ରଥଯାତ୍ରା ତୁମ
ଗର୍ବିତ ଓଡ଼ିଆ ଜାତି ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।