ମା’

Maa Odia Poem

“ମା” ଗାଡ଼ିଆ କି ପୋଖରୀ ନୁହେଁ
ନଈ ଆଉ ସମୁଦ୍ରଠାରୁ ବି ଆହୁରି ବିସ୍ତୃତ
ତା’ ପଣତର ଉପତ୍ୟକା ଏତେ ଲମ୍ବା
ଯାହା ଢାଙ୍କି ଦେଇପାରେ ଏ ବିଶାଳ ଜଗତ
ସେ ପଣତରେ ମଥା ରଖି ଶୋଇଗଲେ
ଏ ନଭଶ୍ଚୁମ୍ଭି ଗଗନ ବି ଲାଗେ ସତେ ଛୋଟ ।

ତା’ ଆଖିର ମମତା ଆକାଶର ପୂର୍ଣ୍ଣ ବାଦଲ
ଠାରୁ ଆହୁରି ଘନ ଆଉ ଆଚ୍ଛାଦିତ
ଯେତେ ବର୍ଷିଲେ ବି ନା କେବେ ଥକେ
ନା କେବେ ସରିବାର ଥାଏ ଅବଶୋଷ ।

ତା କୋମଳ ହାତର ସେ ସ୍ନେହର ପରଶ
ଲହୁଣୀଠାରୁ ବି ଆହୁରି ନରମ ଥାଏ
ତା’ ଦେହର ବାସ୍ନା ପାଖରେ ବି
ପ୍ରସ୍ଫୁଟିତ ଗଙ୍ଗଶିଉଳି ହାର ମାନିଯାଏ ।

ଯିଏ ପେଟର ଭୋକକୁ ଲୁଚାଏ
ଓଠର ହସରେ ଆଉ ମଧୁର କଥାରେ
ଦେହର ଲାଜକୁ ଲୁଚାଏ ଯିଏ
ତାଳିପକା ସାତ ସିଆଁ ଲୁଗାରେ ।

ଯିଏ ଜଳିପାରେ ଦୀପଟିଏ ପରି
ଜୀବନର ଘନ ଅନ୍ଧାରରେ
ଆଉ ଖୋଜିପାରେ ବାଟଟିଏ
ଆମପାଇଁ ସବୁ ଅବାଟ ମଧ୍ୟରେ
ସବୁ ଦୁଃଖ କଷ୍ଟକୁ ଛାତିରେ ଚାପି
ଯିଏ ମନ ଖୋଲି ହସି ପାରେ
ସେ ହିଁ କେବଳ ‘ମା’ ହୋଇପାରେ ।

– ପ୍ରଜ୍ଞା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...