You are currently viewing ମାଆ ଦୁର୍ଗା
ମାଆ ଦୁର୍ଗା

ମାଆ ଦୁର୍ଗା

ରମ୍ଭାସୁର ଦୃଢ଼ ତପସ୍ୟା ବଳରେ
ପ୍ରସନ୍ନ କରିଲେ ଅଗ୍ନି ଦେବଙ୍କୁ
କି ବର ମାଗୁଛ ମାଗ ତୁମେ ରମ୍ଭା
ପୂରଣ କରିବି ତୁମ ଇଚ୍ଛାକୁ ।

ଆମ କୋଳେ ଗୋଟେ ପୁତ୍ର ଜନ୍ମ ଦିଅ
ଦୟାର ସାଗର ଅଗ୍ନି ଦେବତା
ରମ୍ଭା ପତ୍ନୀ ଗର୍ଭେ ପୁତ୍ର ଜାତ କଲେ
ତଥାସ୍ତୁ କହିଲେ ଦୟାର ଦାତା ।

ରମ୍ଭା ପତ୍ନୀ କୋଳୁ ଜାତ ହେଲା ପୁତ୍ର
ନାମ ଥିଲା ତା’ର ମହିଷାସୁର
ତପସ୍ୟାର ବର ବ୍ରହ୍ମା ଦେଲେ ତାଙ୍କୁ
ଖୁସିରେ ବିଭୋର ହେଲା ଅସୁର ।

ବ୍ରହ୍ମା ବର ବଳେ ପରାକ୍ରମୀ ହେଲା
ଖଳାସୁର ସେହି ମହିଷାସୁର
ଦେବଲୋକେ ଯାଇ କଲା ଯେ ତାଣ୍ଡବ
ଅତ୍ୟାଚାର କଲା ସିଏ ପ୍ରଚୁର ।

ଦେବତାମାନଙ୍କୁ କରିଲା ସେ ବନ୍ଦୀ
କଲା ସିଏ ବହୁତ ଅତ୍ୟାଚାର
ଚିନ୍ତାର କାରଣ ହେଲା ସଭିଙ୍କର
ଦୁଷ୍ଟାସୁର ସେହି ମହିଷାସୁର ।

ଦେବତା ମାନଙ୍କ ଭାଳେଣି ପଡ଼ିଲା
ହେଲେ ସବୁ ସ୍ତବ୍ଧ ଦେବଲୋକରେ
ସଭିଏଁ ଧାଇଁଲେ ବିଷ୍ଣୁଙ୍କ ପାଖକୁ
ବିନତୀ କରିଲେ ତାଙ୍କ ପାଖରେ ।

ଶେଷ ହେଲା ପୁଣି ଦେବ ଆଲୋଚନା
ବାହାର କରିଲେ ସୁଉପଚାର
ସବୁ ଦେବ ମିଶି ଏକ କଲେ ଶକ୍ତି
ଗଠନ କରିଲେ ନାରୀବତାର ।

ଅସ୍ତ୍ରଶସ୍ତ୍ର ସବୁ ପ୍ରଦାନ କରିଲେ
ମାଆ ଦୁର୍ଗା ତାଙ୍କ ନାମ ରଖିଲେ
ସିଂହ ବାହାନରେ ବସେଇଲେ ତାଙ୍କୁ
ଅସୁର ନିବାସେ ପ୍ରବେଶ କଲେ ।

ଯୁଦ୍ଧ ପାଇଁ ପୁଣି ଡାକରା ମାରିଲେ
ଜଗତ ଜନନୀ ସେ ଦୁର୍ଗାଦେବୀ
ନାରୀ ସ୍ୱର ଶୁଣି କମ୍ପିଲା ଅସୁର
ସତେ ଯେ ଉଠିଲେ ପଶ୍ଚିମେ ରବି ।

ନାରୀ ବୋଲି କହି ଉପହାସ କଲେ
ଦୁଷ୍ଟ ଅସୁର ସେ ମହିଷାସୁର
ଅମର ବର ଯେ ପାଇଛି ବ୍ରହ୍ମାଠୁ
ତୁ କ’ଣ କରିବୁ ଏ ଅସୁରର ।

ଘମାଘୋଟ ଯୁଦ୍ଧ ହୋଇଲା ସେଠାରେ
ବଦ୍ଧ ହେଲା ପୁଣି ମହିଷାସୁର
ଦେବଲୋକେ କେତେ ଖୁସିର ଲହରୀ
ହେଲା ଦୁର୍ଗାଙ୍କ ଜୟ ଜୟକାର ।

ଦୁର୍ଗତିନାଶିନୀ ଦୁଷ୍ଟ ବିନାଶିନୀ
ଗନ୍ଦ ପୁଷ୍ପେ ପୁଣି ପାଇଲେ ପୂଜା
ସଙ୍କଟହାରିଣୀ ମହିଷାମର୍ଦ୍ଧିନୀ
ଜଗତେ ଉଡ଼ିଲା ବିଜୟ ଧ୍ୱଜା ।

– ପୂର୍ଣ୍ଣଚନ୍ଦ୍ର ରଣା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୂର୍ଣ୍ଣଚନ୍ଦ୍ର ରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।