ବାଣ ପରେ ବାଣ ମାରି ଚାଲିଛି ସେ ଫନ୍ଦି ଫିକର ସେ ଜାଣେ
ବିଚିତ୍ର ବିନ୍ଧାଣୀ ଅବ୍ୟର୍ଥ ତା’ ଲକ୍ଷ, ତା’ର ସମ କେହି ନୁହେଁ ।
ସବୁ ଜାଣି ଶୁଣି କିଛି ନ ଜାଣିବା ଅଭିନୟ କରୁଥାଏ
କେତେ ପରୀକ୍ଷାର ଜାଲ ରେ ପକାଏ ଧୈର୍ଯ୍ୟ ପରୀକ୍ଷା ସେ କରେ ।
ପରୀକ୍ଷା ଜାଲରେ ବାନ୍ଧିଲା ବଳିକୁ ଚାପିଲା ତାକୁ ପାତାଳେ
ଗୋଟିଏ ପାଦରେ ମରତ ମାପିଲା ଆର ପାଦ ସ୍ଵର୍ଗ ପୁରେ ।
ସେଇ ପେଶିଥିଲା ସୁଦର୍ଶନ ଚକ୍ର ଉଦ୍ଧରିଲା ଗଜ ରାଜ
ପଶୁ, ପକ୍ଷୀ, ନର, ସଭିଙ୍କୁ ବାନ୍ଧେ ସେ ଦୟାର ସେନେହ ଭାବ ।
ନ ଜାଣିଲା ପରି ଗାଈ ଚରାଇଲା ଗୋପାଳ ମେଳେ ଅରଣ୍ୟେ
ଘୋର ବରଷାରେ ପର୍ବତ ଟେକିଲା ଆଶ୍ରୟ ଦେଲା ଶରଣେ ।
ସବ୍ୟସାଚୀ ରଥେ ସାରଥୀ ହୋଇଲା ମିଛ ଅଭିନୟ କଲା
ସବୁ ଯୋଦ୍ଧାଙ୍କୁ ସେ ଏକାକୀ ମାରିଲା ଚକ୍ର ବାଣ ଛାଡ଼ୁଥିଲା ।
ସବୁ ଦେଖୁଥାଏ ସବୁ ଶୁଣୁ ଥାଏ ନ ଜାଣିଲା ପରି ରହେ
ପରିସ୍ଥିତି ଯେବେ ଭୟାବହ ହୁଏ ମର୍ତ୍ତ୍ୟକୁ ଓହ୍ଲାଇ ପଡ଼େ ।
ସେ ଏକା ରଚିଲା ଗୀତା ଭାଗବତ, ତା’ରି ଲାଗି ରାମାୟଣ
ଅବ୍ୟର୍ଥ ବିନ୍ଧାଣୀ ଅଟଇ ସେ ପରା କି ବର୍ଣ୍ଣିବ ତା’ର ଗୁଣ ।
ମାତ୍ର ଦି’ଅକ୍ଷର ତୁଣ୍ଡେ ଉଚରିଲା ଦସ୍ୟୁ ହୋଇଗଲା ଶ୍ରେଷ୍ଠ
ସେ ନାମ ମାହାତ୍ମ୍ୟ ବୁଝୁଅଛି ଯିଏ ହେବ ନାହିଁ ଧୈର୍ଯ୍ୟ ଚ୍ୟୁତ ।
ଭିନ୍ନ ଏକ ପାଲା ରଚୁଅଛି ଆଜି ବଡ଼ ଦେଉଳରେ ବସି
କରୋନା ଭୂତାଣୁ ପାଲା ଲଗାଉଛି ଧୈର୍ଯ୍ୟ ପରୀକ୍ଷା କରୁଛି ।
ତା’ ସୃଷ୍ଟିର ଶ୍ରେଷ୍ଠ ହେ ମାନବ ଗଣ ଧୈର୍ଯ୍ୟରେ ଅପେକ୍ଷା କର
କରୁଣାର ବାଣ ନିଶ୍ଚେ ସେ ଛାଡ଼ିବ କଷଣ କରିବ ଦୂର ।
ପରିସ୍ଥିତି ଯେବେ ସୀମା ଟପି ଯାଏ ମର୍ତ୍ତ୍ୟେ ଓହ୍ଲାଇ ଆସିବ
ଅମୃତର ସ୍ପର୍ଶ ମିଳିବ ନିଶ୍ଚୟ କରୁଣା ମଧୁ ଝରିବ ।
– ରଶ୍ମିମୟୀ ପତି
Comments
ରଶ୍ମିମୟୀ ପତି ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ଅନେକ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହ ଅନେକ ସାହିତ୍ୟ ସଂସ୍ଥା ପକ୍ଷରୁ ତାଙ୍କୁ ଅତୀତରେ ସମ୍ମାନୀତ କରାଯାଇଛି ।