ଭାରି ଭଲଲାଗେ ଶୀତୁଆ ସକାଳ
କଅଁଳ ଖରାର ତାତି
ଭାରି ଭଲଲାଗେ କମଳ ରେଜେଇ
ଆଇ ମା’ ସହ ରାତି ॥
ଭାରି ଭଲଲାଗେ ମୁଆଁ ଖିଆ ଆଉ
ପୁଷ ପୁନେଇର ଜହ୍ନ
ମନ କିଣି ନିଏ ମୋ ମା’ର ଝୋଟି
ମାଣ ବସାର ସେ ଦିନ ॥
ଭାରି ଭଲଲାଗେ ଧାନ କଟା ଆଉ
ହଳଦୀ ପତ୍ରର ବାସ
ଭଲଲାଗେ ପୁଣି ଅଷ୍ଟମି ଏଣ୍ଡୁରୀ
ଅଳସୀ ଫୁଲର ଚାଷ ॥
ଭାରି ଭଲଲାଗେ ବନ୍ଧା, ଫୁଲ କୋବି
ବାଡ଼ି ଶାଗର ସେ ଭଜା
ଭଲଲାଗେ ପୁଣି ବଡ଼ଦିନ ଛୁଟି
ସାଙ୍ଗସାଥୀଙ୍କର ମଜା ॥
ମୋ ଗାଁରେ ଜେଜେ ନିଆଁ ଜାଳୁଥାନ୍ତି
ନିଇତି ସକାଳ ସଞ୍ଜେ
ମା’ ଘସି ଦିଏ ତେଲ ଆଉ
ଘିଅ ନାତି ନାତୁଣିଙ୍କୁ ଦମ୍ଭେ ॥
କେତେ ରଙ୍ଗଗ ଫୁଲ ଫୁଟିଯାଏ ପୁଣି
ମୋ ଗାଁ’ର ବୁକୁ ଚିରି
କେତେ ଜାତି ପକ୍ଷୀ ଉଡ଼ି ଆସୁଥାନ୍ତି
ଅଭିନନ୍ଦନକୁ ଧରି ॥
ଏସବୁ ଭିତରେ ନୁଆ ବରଷର
ନୂତନ ପରଷ ପାଇ
ମୋ ଗାଁ ଦାଣ୍ଡ ହସି ଉଠେ ପୁଣି
ଶୀତ ଋତୁ ଯାଏ ସରି ॥
ଭାରି ଭଲଲାଗେ ଏଇ ଶୀତଋତୁ
ଯେବେ ମୁଁ ଗାଁରେ ଥାଏ
ସହରରେ ଥାଇ ହିଟର ଲଗାଇ
ଶୀତଋତୁକୁ କି ପାଏ?
Comments
ଐଶ୍ୱର୍ଯ୍ୟା ଦାସ ଓଡ଼ିଆ ଭାଷାରେ ଗପ ଓ କବିତା ଆଦି ରଚନା କରିଥାନ୍ତି ।

