ଶିଶୁ ଶ୍ରମିକମାନଙ୍କ ହାତରେ, ଅସହାୟତାର ଇଟା
ହୀନମନ୍ୟତାର ସିମେଣ୍ଟ ବୁହାଯାଇ
ସଭ୍ୟ ସମାଜର ନିର୍ମାଣ କରାଯାଏ
ସେଇ ସଭ୍ୟତାରେ ପୁଣି, ଭବିଷ୍ୟତ
ରାସ୍ତା କଡ଼ ଅଳିଆ ଗଦାରେ ସଢ଼ୁଥାଏ
ତା’କୁ ମୁଁ ମୋର ସମାଜ କହେ ।
ଅସଂଖ୍ୟ ଶିକ୍ଷାନୁଷ୍ଠାନ: କୁଢ଼କୁଢ଼ ଡିଗ୍ରୀଧାରୀ ଶବ
ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତାକୁ ଜାବୁଡ଼ି ଧରି
ସଚ୍ଚୋଟତାର ମୁଖାପିନ୍ଧା ଚରିତ୍ରଗୁଡ଼ାକ ଏଠି
ନିଇତି ଏଣ୍ଡୁଅ ପରି ରଙ୍ଗ ବଦଳାଉଥାଏ
ତା’କୁ ମୁଁ ମୋର ସମାଜ କହେ ।
ନାରୀ ସେ ନାରାୟଣୀ, ଜଗତଜନନୀ
ଅଭୟ ସୁଖ ଦାୟିନୀ, ଶକ୍ତି ସ୍ୱରୂପିଣୀ
ତାକୁ ଯେ ତା’ର ସୀମା ସରହଦ୍ ଦେଖାଏ
ଅବଳା ବୋଲି ଯେ ଶିଖାଏ
ତା’କୁ ମୁଁ ମୋର ସମାଜ କହେ ।
ଅଗଣିତ ଆଖିର ଆଶା ଆକାଂକ୍ଷା ସ୍ୱପ୍ନ ଗୁଡ଼ାକୁ
ସେଇ ସାମାଜିକ ପରମ୍ପରାର ଶିକୁଳିରେ ବାନ୍ଧି
ମହାପାପର ଆଖ୍ୟା ଦେଇ ତଳିତଳାନ୍ତ କରିଦିଆଯାଏ
ସେଇ ସମାଜରେ ପୁଣି, ଜୀବନ
ଲୋକମାନଙ୍କ ଦ୍ୱାହି ଦେଇ ବଳି ପଡ଼ିଯାଏ।
ତା’କୁ ମୁଁ ମୋର ସମାଜ କହେ ।
ଲୋକେ କହିବେ: ହୀନମନ୍ୟତାର ନିଦର୍ଶନଟିଏ ।
ସମାଜ: ସେଇ ଲୋକମାନଙ୍କୁ ନେଇ ତିଆରି ହୁଏ ।
Comments
ସୋନାଲି ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।