ବାପା

ବାପା

ବାପା ତୁମେ
ମୋ ଜୀବନ ଜଞ୍ଜାଳର
ଉଦୁଉଦିଆ ଖରାରେ
ଗାଁ ମୁଣ୍ଡ ଝଙ୍କାଳିଆ ବରଗଛ ଛାଇ ।

ଥକ୍କାକୁ ଧକ୍କା ମାରିବାର
ତୁମେ ତ ସାହାସ
ଆତ୍ମବିଶ୍ୱାସରେ ଅସ୍ତିତ୍ଵହରା
ଆଶା ଆଶଙ୍କାର
ମୋ ଶୁଷ୍କ ମରୁଭୂମିରେ
ତୁମେ ମୋ ବିଶ୍ୱାସ ଭରସାର
କୁଳୁକୁଳୁ ପ୍ରବାହିତ ଚିରସ୍ରୋତା ନଈ ॥

ଆକାଶର ପରିସୀମାକୁ
ସୀମିତ କରି
ତୁମଛଡ଼ା କିଏ ଦେଇପାରିବ
ସୁରକ୍ଷିତ ଆଶ୍ରୟର
ବିଶାଳ ଛାତଟେ??
ଶୃଙ୍ଖଳା ଆକଟରେ
ତୁମେ ଭୟଙ୍କର ଅଶାନ୍ତ ଲହଡ଼ି ।

ହେଲେ ଗଭୀର ହୃଦୟରେ
ଥାଏ ତୁମ ସ୍ନେହ ପ୍ରେମର
ଧୀର, ସ୍ଥିର,ଶାନ୍ତ,ସୁନୀଳ ଜଳରାଶି ।

ତୁମେତ ଦୀପଶିଖା ଟିଏ,
ଜଳୁଥାଅ ଅହରହ
ମୋ ଅଜ୍ଞାନ ଅନ୍ଧକାରକୁ
ଆଲୋକିତ କରି ।

ମୋ ମଥାରେ ତୁମ ହାତ ଥିଲେ
ମୋ ଦୁର୍ବଳ ମନରେ
କେମିତି କେଜାଣି ଭରିଯାଏ
ଶତ ସିଂହର ଶକ୍ତି ।

ତୁମେ ଅଛ ବୋଲି
ମୁଁ ଆଜିଯାଏ ହାରିନାହିଁ
ଏବେ ବି ଅପରାଜେୟ ।
ବାପା ତୁମେ, ମୋ ପାଇଁ
ସୃଷ୍ଟିର ଶ୍ରେଷ୍ଠ ଆଶୀର୍ବାଦ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...