You are currently viewing ପରିଚୟ
ପରିଚୟ

ପରିଚୟ

ଉଷା ଆଗରୁ,
କେଉଁଠି ଥାଏ ସୂର୍ଯ୍ୟ?
କିଏ କହିପାରିବ ତା’ର ଠିକଣା?
ଆଉ ମୁଁ କେଉଁଠି ଥିଲି,
ଏ ଦେହରେ ମୂର୍ତ୍ତ ହେବା ଆଗରୁ?
ଏ ପ୍ରଶ୍ନର ଉତ୍ତର ମିଳେନା,
ମନ ଧନ୍ଦିହୁଏ,
“ମୁଁ କିଏ?”ର ଉତ୍ତର ଖୋଜିବା ପରି ।
ମୁଁ ହୁଏତ ଥିଲି,
ଏକ ସମ୍ଭାବନା ଭାବେ,
କିମ୍ବା ଅଦେଖା ଏକ ସ୍ୱପ୍ନ ରୂପେ,
ଗୁପ୍ତ ହୋଇ କେଉଁ ଶୁପ୍ତ ଆଖିରେ ।
କିମ୍ବା ମୋ ଠିକଣା,
ସେହି ମହାଶୂନ୍ୟ,
ଜନ୍ମ ମୃତ୍ୟୁ ଉର୍ଦ୍ଧ୍ୱର ନୀରବତା,
ଚେତନାର ଅସୀମ ପରିଧି ଛାଡ଼ି,
ଆବୋରିଛି ମୁଁ ଏ ସସୀମତା ।

କାହାକୁ ପଚାରିବି ଏ ପ୍ରଶ୍ନ?
କିଏ ବା ଦେବ ମୋତେ ଉତ୍ତର?
ଏଠାରେ ତ’ ଖାଲି ମୁଁ ଓ ମୁଁ
ଅନ୍ତହୀନ ଆବରଣରେ
ଅନ୍ତହୀନ ରୂପରେ ।
ମୁଁ ଠିକଣା ଶୂନ୍ୟ, ପରିଚୟ ହୀନ,
ଚିରନ୍ତନ ପୁଣି ନିତ୍ୟ ନୂତନ,
ମୁଁ ନିର୍ବାଣ ଓ ଜୀବନ,
ସୀମାବଦ୍ଧ ବାସ୍ତବତା କେବେ,
କେବେ ଅନନ୍ତ ଅସୀମ ।
ଆଉ ମୋ ଠିକଣା?
ସେ ତ’ କେବଳ ଏକ ଉଦ୍ଭଟ ପ୍ରଶ୍ନ !

ବିକାଶ ଓଝା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିକାଶ ଓଝା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।