You are currently viewing ଉଷା
ଉଷା

ଉଷା

ଅଶାର ନୂତନ ପରିଭାଷା,
ସମ୍ଭାବନାର ଆଉ ଏକ ଆଶା ।
ଅନନ୍ତ ଜୀବନ ପୁଣି ଯାତ୍ରାର ଶୁଭାରମ୍ଭ,
ସୁବାସିତ ପାରିଜାତ ପ୍ରୀତି ତା’ର ସୁରଭିତ ଭ୍ରମ ।
ଅତୀତ ନାହିଁ ପୁଣି ଭବିଷ୍ୟତ ଅଦୃଶ୍ୟ,
ଦିଗ୍‌ବଳୟ ପାରି ତା’ ଆକଳନ,
ସମୁଦ୍ରର ଗଭୀରତା ଠୁ ବଳି ତା’ ରହସ୍ୟ ।
ତଥାପି ବର୍ତ୍ତମାନରେ ଅଜାଡ଼ି ଦିଏ ସର୍ବସ୍ୱ ।
ଦିବସର ଅନ୍ତୁଡ଼ିଶାଳ ସେ ରଜନୀର ଯବନିକା,
ମିଳନର ଅଭିସାରିକା ତ’ ବିଚ୍ଛେଦର ପୁଣି ବିଭୀଷିକା ।
ତମ ଆଗମନେ ଦୁର୍ବାର ମହକରେ
ଅଭିମାନୀ କୁଆଁ ତାରା ରଚିଯାଏ କେତେ କ’ଣ
ଅବୁଝା ଅଧୁରା ଚିଟାଉ ।
ଗଙ୍ଗା ଶିଉଳିର ମନ ନେଇ ତଲ୍ଲୀନ ହୋଇଯାଏ
ଝଡ଼ିଯିବା ପାଇଁ ସେ ସିକ୍ତ ବେଳ ପରେ…
ଚାହିଁ ବସିଥାଏ କେହି ପୁଣି ତୁମ ପଥ, ନିଶିର ପ୍ରାନ୍ତରେ…
ପକ୍ଷ ପଡ଼ ଫଡ଼ କରି ରବି ଉଠେ ପକ୍ଷୀ
କେଉଁ ଏକ ନିଛାଟିଆ ନୀଡ଼ ଉହାଡୁ,
ଅନ୍ତଃଶ୍ୱାଶ ଉଚ୍ଚାଟ କରି କ..କ.. ରଡ଼ିରେ
ଦୂର ଦୂରାନ୍ତର ଯାଏଁ ପହଞ୍ଚାଇବାର ପ୍ରୟାସ
କେଜାଣି କେତେ ଦୂର ହୁଏ ସେ
ତମ ସେ ଅଦୃଶ୍ୟ ପରସେ…
କାକ ପକ୍ଷୀ ଡାକି ଉଠେ ପ୍ରିୟ ପରିଜନ
ବୁଲି ବୁଲି ପ୍ରିୟ ଜନ ପଥ,
ଅଙ୍କା ବଙ୍କା ବାଟ ନଈ ତୁଠ..
ତୁମ ଆସିବାର ଅବ୍ୟବହିତ ସଙ୍କେତ ।
ନୂଆ ସକାଳକୁ ଚାହିଁ ବସିଛି ବିରହୀ କପୋତ
ଭୁଲି ଗଲେ କି ମୋ ଜୀବନ କାଣ୍ଡାରି
ଅବା ହୁଡ଼ିଲେ କି ବାଟ..
ସେ ଦିନୁ ଚାହିଁ ବସିଛି ଏ ଘାଟ ।
ସାଗର ବକ୍ଷକୁ ଧାଏଁ କ୍ଷିଣାଙ୍ଗୀ ସରିତା,
ମଧୁ ପାନେ ମତି ଭ୍ରମ ଭ୍ରମେ ମଧୁମିତା ।
ବୁଢ଼ା ପୂଜାରୀ ବି ଉଠିଲାଣି ମନ୍ଦିର
ବେଢ଼ାକୁ ହାତେ ଧରି ବେଲପତ୍ର, ଟଗର ଫୁଲ
ଆଶା ଓ ଅଭିଳାଷଙ୍କ ଲାଗି ଯିବ ଏଇନା ଗହଳ ।
ସିନ୍ଦୁରର ରକ୍ତିମ ଆଭା ଚଉଦିଗ ବିଛୁରିତ ହୋଇ
ଦିଗନ୍ତ ଉହାଡ଼େ ଦେଖ ଉଠିଲେଣି ରବି, ତନ୍ଦ୍ରା ତୁଟାଇ ।
ସତେ ଅବା କେଉଁ ଗୁପ୍ତ ଧନ ରଖିଥିଲା ଶାଶ୍ଵତୀ,
ତାମସାର ବୁକୁ ତଳେ ଅତି ସଯତନେ ସାଇତି ।
ଋତୁ ଆସେ ଋତୁ ଯାଏ, ନାହିଁ କେବେ ବୟସର ସ୍ପର୍ଶ
ନିତ୍ୟନିତ୍ୟ ନବାଗତ, ଛଳ ଛଳ ହସର ଉଛାସ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...