ସମସ୍ତେ ମଲ୍ଲୀ, ମାଳତୀ ଫୁଲର ଗଜରା ଲାଗନ୍ତି ହେଲେ ସିଏ ଅପରାଜିତାର ଗଜରା ଲଗେଇବା ପାଇଁ ଜିଦ୍ କଲା । ଟାଉନ୍ ମାର୍କେଟରେ ମନ୍ଦିର ପାଖରେ ଗୋଟିଏ ହିଁ ଫୁଲ ଦୋକାନ, ଯେଉଁଠାରେ ପ୍ରାୟ ଫୁଲ ମିଳିଯାଏ ପୂଜା, ବ୍ରତଠାରୁ ଆରମ୍ଭ କରି ବାହାବେଦି ସଜାଇବା ପାଇଁ ଆଉ ତାହା ମତେ ଜଣା ନଥାଏ । ସେଠିକୁ ଯାଇ ପଚାରିଲି, “ଭାଇ ଅପରାଜିତା ଫୁଲର ଗଜରା ହେବ କି??”
ସିଏ କହିଲେ, “ହେଁ…” ବୋଧେ ସିଏ ଭୁଲ୍ ଶୁଣିଥିବେ ଭାବି ମୋ ଆଡ଼େ ଚାହିଁ ପଚାରିଲେ, “କେଉଁ ଫୁଲ ଗଜରା??”
ମୁଁ: ଭାଇ ଅପରାଜିତା ଫୁଲ ।
ସିଏ: ନା ମୋ ପାଖରେ ତ ନାହିଁ ।
ମୋ ମୁହଁ ଶୁଖିଗଲା । ମୋ ଶୁଖିଲା ମୁଁହ ଦେଖି ସିଏ ପଚାରିଲା, “କାହା ପାଇଁ ଏତେ ଆତୁର ହୋଇ ଖୋଜୁଛ?”
ମୁଁ କହିଲି, “ସ୍ୱାତୀ ପାଇଁ ଯିଏ କେବେ କିଛି ମାଗେନି । ଯିଏ ନିଃସ୍ଵାର୍ଥ ହୋଇ ମୋ ସ୍ୱାର୍ଥ ପୂରଣ କରିବାରେ ମୋତେ ସାହାଯ୍ୟ କରେ ।” କିଛି କ୍ଷଣର ନୀରବ ପରେ ପୁଣି ପଚାରିଲି, “ଭାଇ ମୋତେ ଏଇ ପାଖରେ ମିଳିବ କି ଅପରାଜିତ ଫୁଲ?”
ସିଏ କହିଲେ, “କୌଣସି ଦୋକାନରେ ତ ମିଳିବନି, ସେଇ ପୋଷ୍ଟ ଅଫିସ୍ ଗଳି ଭିତରେ ଜଣେ ଫୌଜୀ ରୁହନ୍ତି ତାଙ୍କ ଘର ପରିସର ପାଚେରୀରେ ଥାଏ ହେଲେ ସିଏ ଛୁଇଁବାକୁ ଦିଅନ୍ତିନି । ତାଙ୍କ ପାଖରୁ ଯଦି ନେଇ ପାରିବ ହେଲେ ଯାଆ ।”
ମୁଁ ବେଶୀ କିଛି ନଭାବି ସ୍କୁଟି ଷ୍ଟାର୍ଟ କରି ଆଗକୁ ବଢ଼ିଲି । ଯେହେତୁ ଏବେଏବେ ଏଇ ସହରକୁ ଆସିଛି, ରାସ୍ତାସବୁ ଠିକ୍ ଭାବରେ ଜାଣିନି । ସେଥିପାଇଁ ଗୁଗଲ୍ ମ୍ୟାପ୍ରେ ଲୋକେସନ୍ ଲଗେଇ ମୁଁ ବାହାରିଲି ପୋଷ୍ଟ ଅଫିସ ପାଖକୁ । କିଛି ଅଙ୍କାବଙ୍କା ରାସ୍ତା ଦେଇ ପୋଷ୍ଟ ଅଫିସ ପାଖରେ ପହଞ୍ଚିଲି ଏବଂ ସେଇ ପାଖରେ ସ୍କୁଟିକୁ ଲକ୍ କରି ରଖିଦେଲି । ଦେଖିଲି ସେ ଦୋକାନୀ କହିଥିବା ଭଳି ତାକୁ ଲାଗି ଗଳି ଅଛି । ସେଇ ଗଳି ଭିତରକୁ ଯିବା ଆରମ୍ଭ କଲି । କେଉଁ ଘର ହେଇଥିବ? ତାଙ୍କୁ ଫୁଲ ଦେବା ପାଇଁ ରାଜି କରିପାରିବି ତ? ମୋତେ ଫୁଲ ମିଳିବ ତ? ଏମିତି ଅନେକ ଦ୍ଵିଧା ନେଇ ଆଗକୁ ବଢ଼ିଲି, ହେଲେ ଅପରାଜିତା ଦେଖାଯାଉନି । ଫୁଲର ବାସ୍ନା ଥିଲେ ହେଲେ କିଛି ଦୂର ଆଗରୁ ଜଣାପଡ଼ିଯା’ନ୍ତା କିନ୍ତୁ ଏ ତ ବାସ୍ନାବିହୀନ ଫୁଲ କେମିତି ବା ଜଣାପଡ଼ିବ! ସେଥିପାଇଁ ସବୁ ଘରଗୁଡ଼ିକ ବାହାର କବାଟରୁ ଟିକେଟିକେ ଦେଖୁଥାଏ ଭିତରକୁ । ଲୋକଟିଏ ମତେ ଦେଖି ଇଏ କ’ଣ ଏମିତି ଦେଖୁଛି ଭାବିଲା । ମୁଁ ଜାଣିପାରିଲି, ଟିକେ ହସିଦେଇ ତାକୁ ପଚାରିଲି ଏଠି ଜଣେ ଫୌଜୀ ଅଛନ୍ତି ତାଙ୍କ ଘରଟା କଉଟା ଜାଣିଛନ୍ତି କି? ଏମିତି ତ ସହରରେ ନିଜ ପଡ଼ିଶାରେ କିଏ ଅଛନ୍ତି ତାହା ବି କେହି ଜାଣନ୍ତିନି କିନ୍ତୁ ଏଠି ତାଙ୍କୁ ଜାଣିଥିଲେ । ହାତ ବଢ଼ାଇ
କହିଲେ, “ଟିକିଏ ଆଗାକୁ ଯାଅ ଯେଉଁ ଘର ପାଚେରୀରେ ନୀଳ, ଧଳା ଅପତାଜିତା ଦେଖିବ ସେଇ ଘରଟା ତାଙ୍କର ।” ତାଙ୍କୁ ଧନ୍ୟବାଦ ଜଣାଇ ଖୁସି ହେଇ ଆଗକୁ ଗଲି ଆଉ ସାମ୍ନାରେ ଦେଖିଲି ଅପରାଜିତା ଭରା ପାଚେରୀଟିକୁ ।
ତାଙ୍କ କବାଟକୁ ବାଡ଼େଇ କିଏ ଅଛନ୍ତି କି ବୋଲି ପଚାରିଲି । କେହି ଶୁଣିଲେ ନାହିଁ । ହେଲେ ମୁଁ ଜୋର୍ରେ କୁକୁର ଭୁକିବା ସ୍ୱର ଶୁଣି ଡରିଯାଇ କବାଟରୁ ହାତ ଛାଡ଼ି ପଛକୁ ଘୁଞ୍ଚିଗଲି । ଘର ଭିତରୁ କାହାର ସ୍ୱର ଶୁଣାଗଲା, “ଷ୍ଟୋନି କ୍ୱାଇଟ୍ ।” ଯାହା ଶୁଣି କୁକୁରଟି ଭୁକିବା ବନ୍ଦ କଲା । ସିଏ ବାହାରି ଆସି ପଚାରିଲେ, କିଏ?
ମୁଁ ଡରିଡରି କବାଟ ପାଖକୁ ଯାଇ କହିଲି, “ସାର୍ ମୁଁ ସମ୍ପର୍କ । ଆପଣଙ୍କ ଠାରୁ କିଛି ଜିନିଷ ମାଗିବାର ଥିଲା । ଭିତରକୁ ଯାଇ ପାରିବି କି?”
ଠିକ୍ ଅଛି ଆସ ବୋଲି କହିଲେ ଏବଂ ମୁଁ ଭିତରକୁ କୁକୁରକୁ ଡରିଡରି ଗଲି । ସିଏ କହିଲେ, “ରିଲାକ୍ସ୍, ସିଏ କିଛି କରିବନି । କ’ଣ ଦରକାର କୁହ ।
ମୁଁ: ସାର୍ ଅପରାଜିତା ।
ସିଏ: କ’ଣ ପାଇଁ ପୂଜା ପାଇଁ ନା ଘର ସଜାଇବା ପାଇଁ?
ମୁଁ: ଗଜରା ପାଇଁ ।
ସିଏ: ସ୍ୱାତୀ ପାଇଁ?
ମୁଁ (ଆଶ୍ଚର୍ଯ୍ୟ ହୋଇ): ଆପଣ କେମିତି ଜାଣିଲେ?
ସିଏ: ନିଜ ପକେଟ୍ରୁ ପର୍ସ ବାହାର କରି ଗୋଟେ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋ ଦେଖାଇ ପଚାରିଲେ, ଇଏ ତ?
ମୁଁ: ଆଜ୍ଞା ।
ମତେ ବସିବାକୁ କହିଲେ ଏବଂ ଆଉ କିଛି ନ ପଚାରି ନିଜ ହାତରେ ଫୁଲସବୁ ତୋଳି ଆଣିଲେ ଏବଂ ଗଜରା ଗୁନ୍ଥିଲେ । ଘର ଭିତରୁ ଆଲମାରୀ ଖୋଲି ଗୋଟେ ଚିଠି ବାହାର କରି ଲଫାଫା ଭିତରେ ପୁରାଇ ତା’ ଉପରେ କେବଳ ଉତ୍ତର ଲେଖିଦେଇ ମୋ ହାତରେ ଦେଲେ ଆଉ କହିଲେ, “ତାକୁ ଦେଇଦେବ ।”
ମୁଁ ଅନେକ କିଛି ପ୍ରଶ୍ନ ସହ ଗଜରାକୁ ହାତରେ ଧରି ଫେରିଗଲି ।
– ସୁନିତା ପଟେଲ
Comments
ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।




