ବରଷକେ ଥରେ ରଥ ଯାତରା ଲୋ
ବଡ଼ ଦାଣ୍ଡ ଉଛୁଳୁଛି
ଶଙ୍ଖ ଘଣ୍ଟା ଧ୍ଵନି ମୃଦଙ୍ଗ ବାଜୁଛି
ତିନି ରଥ ସଜା ଅଛି ।
ତାଳଧ୍ଵଜ ରଥେ ବିଜେ ବଳଦେବ
ରାମ କୃଷ୍ଣ ବିରଜାନ୍ତି
ସାରଥୀ ମାତଳୀ ଦଉଡ଼ି ବାସୁକୀ
ସୌଭାଗ୍ୟ ମନେ କରନ୍ତି ।
ସୁଭଦ୍ରାଙ୍କ ରଥ ଦର୍ପ ଦଳନ ଲୋ
ସୁଦର୍ଶନ ବିରଜାନ୍ତି
ସାରଥୀ ଅର୍ଜୁନ ରଶି ସ୍ୱର୍ଣ୍ଣଚୂଡ଼
ଦେବତା ବୋଲି କହନ୍ତି ।
ଜଗନ୍ନାଥଙ୍କର ନନ୍ଦିଘୋଷ ସାଥେ
ବିଜେ ମଦନ ମୋହନ
ସାରଥୀ ଦାରୁକ ରଶି ଶଙ୍ଖଚୂଡ଼
ଷୋହଳ ଚକ ବିଦ୍ୟମାନ ।
ସାମ୍ୟ ମୈତ୍ରୀ ପ୍ରିତି ଏ ପର୍ବ ମହତ୍ତ୍ୱ
ବିଶ୍ୱରେ ପ୍ରସିଦ୍ଧ ମାନ
ପୁରୀ ଗଜପତି ଛେରା ପହଁରାରେ
ନିଜେ ହୁଅନ୍ତି ସମର୍ପଣ ।
ଧାଡ଼ି ପଦଣ୍ଡି ଶ୍ରୀଜୀଉ ଆସନ୍ତି
ଝୁଲି ଝୁଲି ଭକ୍ତ ମେଳେ
ପାପି ତାପୀ ମିଶି ଦର୍ଶନ କରନ୍ତି
ସ୍ୱର୍ଗ ସୁଖ ଭୂମଣ୍ଡଳେ ।
ତିନି ରଥେ ବିଜେ ତିନି ଠାକୁର ଲୋ
ନେତ୍ର ହୁଅଇ ପବିତ୍ର
ଚଳନ୍ତି ରଥକୁ ଛୁଇଁ ଦେଲେ ଟିକେ
ନିର୍ବାଣ ହୁଏ ପ୍ରପାତ ।
ଜୟ ଜଗନ୍ନାଥ ଆରତ ଭଞ୍ଜନ
ଜୟମା ସୁଭଦ୍ରା ଦେବୀ
ଦୀନ ଦୁଃଖି ମୁଁ ଯେ ଅଧମ ସନ୍ତାନ
ନିତି ତୋତେ ଡାକୁଥିବି ।
– ବାସନ୍ତୀ ଲତା ଜେନା
Comments

ବାସନ୍ତୀ ଲତା ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।