You are currently viewing ଯାଉଛି ରଥ ଦେଖି ମୁହିଁ
Odia Poem Jauchhi Ratha Dekhi Muhin (ଯାଉଛି ରଥ ଦେଖି ମୁହିଁ) by Sasmita Pradhan

ଯାଉଛି ରଥ ଦେଖି ମୁହିଁ

ଲୋ ଚାନ୍ଦମୁହିଁ
ଯାଉଛି ରଥ ଦେଖି ମୁହିଁ
ଯିବୁ ଯଦି ମୋ ସାଥିରେ
ଆ ବେଗି ବେଗି ହୋଇ
ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ…

ଆଷାଢ଼ ଶୁକ୍ଳପକ୍ଷ
ଗୁଣ୍ଡିଚା ଦିନ
କରିବେ ମହାପ୍ରଭୁ
ରଥାରୋହଣ
ଅପୂର୍ବ ସେ ରୂପକାନ୍ତି
ଭକ୍ତ ମନ ମୋହନ୍ତି
ଦେଖିଲେ ଲୀଳା ଖେଳା
ତରିବୁ ଭବ ଭେଳା
ଡେରି ତୁ କରନାହିଁ
ଖରା ମାଡ଼ି ଆସେ ଟାଇଁ ଟାଇଁ
ଲୋ ଚାନ୍ଦମୁହିଁ ଯାଉଛି ରଥ ମୁହିଁ…

ନନ୍ଦିଘୋଷ ରଥରେ
ଜଗତନାଥ
ଦେଖିଲେ ସ୍ୱଚକ୍ଷୁରେ
ହୁଏ ପବିତ୍ର
ତାଳଧ୍ୱଜେ ହଳଧର
ଦେଖ କେଡ଼େ ସୁନ୍ଦର
ଦେବ ଦଳନେ ସୁଭଦ୍ରା
ଦିଶନ୍ତି ମନଲୋଭା
ପଣ୍ଡାଙ୍କ ବେତ ମାଡ଼
ଭକ୍ତଙ୍କ ଖୋଳତାଳ
ଝାଞ୍ଜ ବାଜୁଥିବ ଝାଇଁ ଝାଇଁ
ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ…

ମାଉସୀ ମାଆର ସ୍ନେହ
ପାରୁନି ଭୁଲି
ପ୍ରତି ବର୍ଷ ରଥ ଚଢ଼ି
ଆସନ୍ତି ବୁଲି
ମାଉସୀର ପୋଡ଼ପିଠା
ଲାଗେ ସୁଆଦିଆ ମିଠା
ନଅ ଦିନ ଆନନ୍ଦରେ
କାଟନ୍ତି ମାଉସୀ ଘରେ
ବାହୁଡ଼ାରେ ମନ୍ଦିରକୁ
ଆସନ୍ତି ରଥ ବାହୁଡ଼ାଇ
ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ…

ଏ ମାୟା ସଂସାରରେ
କିଏ କାହାର
ଭାବ ଦିଆନିଆ ପରା
ଦୁଇ ଦିନର
ଦେହରୁ ଛୁଟିଲେ ଘଟ
କହିବେ ତୋତେ ଭୂତ
ବାହାରେ ଦେବେ ଶୋଇ
ଅଛୁଆଁ ଯିବୁ ହୋଇ
ମିଛେ କରୁଛୁ ଲୋଭ
କିଏ ତୋ ସାଥେ ଯିବ
କୋକେଇରେ ଯିବୁ ଶୋଇ ଶୋଇ
ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ ।।

– ସସ୍ମିତା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।