You are currently viewing ଥୁଣ୍ଟା ବରଗଛ
Odia Poem Thunta Baragachha (ଥୁଣ୍ଟା ବରଗଛ) by Sanjay Kumar Tripathy

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ ଶେଷ ଶ୍ରାବଣର
ବରଷା ଆସରା ନାହିଁ
କୋଉ କାଳୁ ସତେ ମୁଣ୍ଡ ଟେକି ଅଛି
କାହାକୁ ତ ଜଣା ନାହିଁ ।

ଯାନି ଜାତରାର ମୂକ ସାକ୍ଷୀ ସିଏ
ଦୃମ ମହା ସଂସ୍କୃତିର
ପିଲାଠାରୁ ବୁଢ଼ା ସଭିଙ୍କ ଆସରା
ଜନ୍ମଠାରୁ ମୃତ୍ୟୁର ପର ।

ସହସ୍ର ଦ୍ରୁମ ତା’ ଭୂତଳ ବ୍ୟାପୀ
ପହଞ୍ଚ ପାତାଳ ଛୁଆଁ
ଓହୋଳି ରହିଛି ଆଦିମ ପୁରୁଷୁ
ଦେଖି ଯେ ପୁରୁଣା ନୂଆଁ ।

କେତେ ଯେ ଗଲେଣି ତା’ ଆଖି ଆଗରୁ
ସାକ୍ଷୀ ସେ ଭୂତ ପୂର୍ବର
ସେ ଗ୍ରାମ୍ୟ ଜୀବନ ପଥ ବଦଳକୁ
ସାଉଁଟେ ନିଜ ଆଖିର ।

ଛଅଋତୁ ଆଉ ବାର ମାସଯାକ
ତା’ ପାଖେ ଲୋକଙ୍କ ଭିଡ଼
ସୁଖ ଦୁଃଖ ଆଉ ଭଲ ଅସାରକୁ
ତା’ ପାଖୁ ସବୁ ଯୋଗାଡ଼ ।

– ସଂଜୟ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଞ୍ଜୟ କୁମାର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।