କିଛି ଖରା
ଯାହା ତୋ ଅଗଣାରେ ବିଞ୍ଚି ଦେଲା ପରେ,
ବଳକା ଅଇଁଠା ଆଲୁଅ ଯେତେ
ମୋ ଝରକା ମୁଣ୍ଡରେ ସୁରୁଜ ଛାଡ଼ିଦେଇଯାଏ
ତାକୁ ହି ତୋ ସ୍ପର୍ଶ ଭାବି
ଦେହସାରା ମୁଁ ବୋଳି ହେଇଯାଏ !
କିଛି କୁହୁ
ଯାହା ତୋ ଗୀତର ତାଳେ ତାଳେ
କୋଇଲିଟି ହଜେଇ ଦେଇ
ଆସି ମୋ ଅଗଣା ଆମ୍ବ ଡାଳରେ ସକେଇ ହେଇଯାଏ
ତାକୁ ହି ତୋ ସ୍ୱର ଭାବି
ତୋ ଅନୁପସ୍ଥିତିକୁ ମୁଁ ଭୁଲିଯାଏ !
କିଛି ସ୍ୱପ୍ନ
ଯାହା ମୋ ନିଦରୁ ତୋ ନିଦକୁ ଡିଆଁ ମାରନ୍ତି
ନୀରବରେ, ମୋ ବିନା ଅନୁମତିରେ
ସେମାନେ ଯେବେ ନିରାଶ ହେଇ ପୁଣି ମୋ ପାଖେ ଫେରନ୍ତି
ମୁଁ ତାଙ୍କୁ ହି ତୁମ ଉପହାର ଭାବି
ପୁଣି ପଲକ ତଳେ ସାଇତି ନିଏ !
କିଛି ପ୍ରେମ
ଯାହା ଆମ ଭିତରେ କେବେ କିଞ୍ଚିତ ବି ଥିଲା ବୋଲି
ତୁମେ ଆଜି ମାନିବାକୁ ଅରାଜି
ସେଇ କାହାଣୀର ଘଟଣାକୁ କେବେ ଗଳ୍ପଟିଏ କରି
କେବେ କବିତାଟିଏ ବୁଣି
ମୁଁ ଲେଖକ ବୋଲାଏ, ମୁଁ କବି ବୋଲାଏ !
– ମାନସ ରଞ୍ଜନ ଦାଶ