ସ୍ୱପ୍ନ ରାଇଜର ପଥେ

Odia Poem Swapna Raijara Pathe (ସ୍ୱପ୍ନ ରାଇଜର ପଥେ) by Rashmibala Satapathy

ସ୍ୱପ୍ନ ରାଇଜର ମୁଁ ଯେ ରାଜକୁମାରୀ,
ମୋ ପାଇଁ ସ୍ୱପ୍ନ ଯେ ଚନ୍ଦ୍ରମାପରି ।
ନିଶି ଅନ୍ଧକାରେ ଆସେ ପାଦ ଚାପିକରି,
ଧୋକା ଦେଇ ଚାଲିଯାଏ ପ୍ରଭାତକୁ ଫେରି ॥

ହଜି ଯାଏ ମୁଁ ସେଇ ସ୍ୱପ୍ନ ନଗରୀରେ,
ଅସରନ୍ତି ସ୍ୱପ୍ନ ଭରି ମୋ ଦୁଇ ନୟନରେ,
ପିଲାଲିଆମୀ କି ପାଗଳାମି ବୁଝି ତ ହୁଏନା,
ବାସ୍ତବତାକୁ ଭୁଲିଯାଏ କାଇଁ ମୁଁ ଜାଣେନା ॥

ମୃଗତୃଷ୍ଣା ସମ ଧାଇଁ ଚାଲେ ସ୍ୱପ୍ନ ଆଡ଼କୁ,
ଧାଇଁ ଧାଇଁ ଥକି ପଡ଼େ ଦେଖି ମାୟାବୀକୁ ।
ମରୀଚିକାକୁ ବାସ୍ତବ ରୂପ ଦିଏ,
ମୋ ଭଳି ପାଗଳୀ କୁହ ଆଉ କିଏ ଥାଏ !!

ଆଶା ମୁଁ ଛାଡ଼ିନି ଆଜି ସ୍ୱପ୍ନ ବି ଛାଡ଼ିନି,
ଚେଷ୍ଟା ଅବିରତ କରେ ହୋଇ ମୁଁ ବନ୍ଦିନୀ ।
ଭରସା ଅଛି ନିଶ୍ଚେ ଆସିବ ସେ ଫେରି,
ପାହାନ୍ତି ତାରାର ତୀକ୍ଷ୍ଣ ଝଲକ ପରି ॥

କେବେ ପ୍ରତାରଣା କରିବନି ମୋତେ,
ଚନ୍ଦ୍ରମାର ରାଣ ଦେଉଛି ତତେ ।
ସ୍ୱପ୍ନର ସ୍ଵାଦ ଚାଖିବି ଦିନେ,
ସେଦିନର ଅନୁଭୂତି ରହିଯିବ ମନେ ॥

ବାସ୍ତବତାର ରୂପ ଦିନେ ଦେବି ମୁଁ ସ୍ୱପ୍ନକୁ,
ସ୍ୱପ୍ନର ମାନ ରଖିବି କଥା ଦେଉଛି ତୁମକୁ ।
ମେଘ ସବାରୀରେ ଦିନେ ସ୍ୱପ୍ନ ଆସିବ,
ରାଣୀ କରି ମୋତେ ତା’ ସାଥେ ନେଇଯିବ ॥

– ରଶ୍ମୀ ବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...