You are currently viewing ସ୍ୱାଧୀନତାର ସ୍ୱାଦ
ସ୍ୱାଧୀନତାର ସ୍ୱାଦ

ସ୍ୱାଧୀନତାର ସ୍ୱାଦ

ସ୍ୱାଧୀନତା ରଙ୍ଗ ସବୁଠୁ ନିଆରା
ମୁକ୍ତ ଆକାଶ ରଙ୍ଗସମ
ମୁକ୍ତ ନିଃଶ୍ୱାସ ମୁକ୍ତ ଜୀବନ ବୁଣେ
ନୂଆ ପ୍ରାଣ ସଞ୍ଚାରଣ ।

କିଏ ଭଲ ନପାଏ ମୁକ୍ତ ଆକାଶେ
ଉଡ଼ିବାକୁ ଗୀତଗାଇ?
ବନ୍ଦୀ ଜୀବନ କି ଜୀବନରେ ଗଣା
ଚୋରାବାଲି ସମ ସେହି ।

ଭାରତମାତା ବି ମୋର ହେଇଥିଲା ବନ୍ଦୀ
ଗୋରାଙ୍କ ଅତ୍ୟାଚାର କରାଗାରେ
ମାଆ ବନ୍ଦୀ ହେଲେ ସନ୍ତାନ କି ସହିବ
ତଡ଼ି କରିଲେ ଗୋରାଙ୍କୁ ସାତଦରିଆ ପାର ।

ସେହିଦିନ ଥିଲା ଅଗଷ୍ଟ ପନ୍ଦର ନୂଆ
ସୁରୁଜ ପ୍ରକାଶ ନୂଆ ସକାଳର
ଭାରତମାତା ତା’ ପଣତ ବିଛେଇ
କୋଳାଗ୍ରତ କରିଥିଲା ଗାଇ ଗୀତ ମୁକ୍ତିର ।

ମୁକ୍ତ ହେଇଥିଲା ଏ ନଦୀ, ଝରଣା
ଏ ମାଟି ଆଉ ଆକାଶ
ନୂଆ ଡେଣା ସତେ ପତଙ୍ଗ ପାଇଲା
ତରୁ ସଞ୍ଚିଲା ନୂଆ ନିଃଶ୍ୱାସ !

ସନ୍ତାନେ ଜୟଗାନ କରି କମ୍ପାଇଲେ
ଆଖିରୁ ଢାଳି ସୁଖ ଲୋତକ
କେତେ ପୁଅ ପରା ତା’ ସୁଖ ଲାଗି
ପ୍ରାଣଢାଳି ଛାଡ଼ିଗଲେ ପ୍ରେମପ୍ରତୀକ ।

ରଖିଗଲେ ଯଶ କାଳ କାଳ ପାଇଁ
ଦେଶପ୍ରେମର ସନ୍ଦେଶ ଦେଇ
ମାଟି ପାଇଁ ନିଜ ଜୀବନ ଦେବାକୁ
କୁଣ୍ଠାବୋଧ ହେ କରିବ ନାହିଁ !

ଏଇ ମାଟି ପରା ଏ ଜାତିର ଗର୍ବ
ଏ ପରା ମାଆ ଆମର
ପ୍ରାଣଯାଉ ପଛେ ମୁକ୍ତେ ହସୁଥାଉ
ପରଝାଡ଼ି ହେଇ ବିଭୋର ।

ମୁକ୍ତ ବିହଙ୍ଗସମ ଘୂରି ବୁଲୁଥାଉ
ଏ ସନ୍ତାନ ଜୀବନରୁ ଖୁସି ନେଇ
ପ୍ରାଣ ଥିବା ଯାଏଁ ହୋଇବୁ ତା’ କବଚ
ଭାରତମାତା ସନ୍ତାନ ବୋଲାଇ ।

ଯୁଗେ ଯୁଗେ ଉଡ଼ୁଥାଉ ତ୍ରିରଙ୍ଗା
ଗାଇ ତ୍ୟାଗ, ଦେଶପ୍ରେମର ଗାଥା
ଫରଫର ଉଡ଼ି ଭାରତୀୟ କାନେ
ବୁଣୁ ସ୍ୱାଧୀନତା ସ୍ୱାଦର ବାର୍ତ୍ତା ।

ଜୟ ହିନ୍ଦ୍ 🙏
ଭାରତ ମାତା କି ଜୟ ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।