You are currently viewing ସ୍ପର୍ଶ
Odia Poem Sparsha (ସ୍ପର୍ଶ) by Madhumita Mishra

ସ୍ପର୍ଶ

ଆଃ..
ଶିହରୀ ଉଠିଲା ଲତା
କାହାର ଏ ସ୍ପର୍ଶ..!!
ଏତେ ମାଦକତା ଭରା
ସତେ କାହାର ବା ଏ ସ୍ନିଗ୍ଧ ପରଶ??

ଏ ମଳୟର ସ୍ପର୍ଶ ନୁହେଁ
ମଳୟ ଯେ
ଏତେ ଉନ୍ମାଦନା ଆଣି ପାରେନା..!!
ତା’ ସ୍ପର୍ଶରେ ଲତା
ଏତେ ମାତ୍ରାରେ ତ ଶିହରୀ ଉଠେନା !

ଏ ସ୍ପର୍ଶ ନୁହେଁ ସୂର୍ଯ୍ୟାଲୋକର
ଯେ କି…
ଏତେ ନିବିଡ଼ କେବେ ହୋଇ ପାରେନା !!
ଯାହାର ସ୍ପର୍ଶ ପାଇ କେବେ
ଲତା ନିଜ ଆଖି ବନ୍ଦ କରି ଦିଏନା..!!

ନିଶ୍ଚୟ ନୁହେଁ ଏ ବାରିଧାରା
ସେ ତ…
କେବଳ ଟିକେ ଭିଜେଇ ଯାଇଥାଏ !
ତା’ ଛୁଆଁ କେବେ ଯେ
ଲତା ହୃଦୟକୁ ଭିଜେଇ ପାରେନା !

ନା… ଏ ଶିଶିର ବିନ୍ଦୁ ବି ନୁହଁ
ଯାହା ପାଇଁ
ଲତା ଏମିତି ଥରି ଉଠିବ !
ଯାହାର କେଉଁ ନିଶବ୍ଦ ସ୍ପର୍ଶଟିଏ
ଲତାକୁ ଏତେ ବିଚଳିତ କରି ପାରେନା !

ତେବେ… ଏ କାହା ସ୍ପର୍ଶ?
ଯାହା ଏତେ ଆପଣାର !
ଆଉ ବି ଏତେ ଚମତ୍କାର !
ଯାହା ପାଇବା ପରେ ଲତା…
ନିଜକୁ ନିଜେ ଆଉ ଖୋଜି ପାଏନା..!!

ପୁନଃ ଛୁଇଁଗଲା ସେ
ଟିକେ ହସି କହିଗଲା
ମୁଁ… ସେହି ପ୍ରକଣ୍ଡକାୟ ବୃକ୍ଷ..!!
ଯାହା ଛଡ଼ା ଆଉ କିଏ
ତୁମର ଏତେ ନିକଟତର ହୋଇ ପାରେନା..!!

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।