ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ

Odia Story Sandhya - A Pure Love Story (ସନ୍ଧ୍ୟା, ଏକ ନିସ୍ତବ୍ଧ ପ୍ରେମ କାହାଣୀ) by Deepankar Panda

ଆମ୍ବ ସହିତ ବସନ୍ତ ଋତୁର ନିବିଡ଼ ସମ୍ପର୍କ, ନୁହେଁ କି? ଏମିତିରେ ଫଗୁଣରୁ ଆମ୍ବର ଆଭାସ ଆସିଯାଏ ଯେବେ ବଉଳ ଆସେ । ବଉଳର ସେ ମୃଦୁ ମୃଦୁ ମହକ ଅତି ମନମୁଗ୍ଧକର । ଯେବେ ବସନ୍ତରେ ମଳୟ ପବନ ବହେ, ଆମ୍ବ ଗଛର ଆନନ୍ଦ କହିଲେ ନସରେ ! ଭିନ୍ନ ଭିନ୍ନ ପ୍ରକାରର ବିହଙ୍ଗମାନେ ଯେବେ ତୋଟାରୁ ତୋଟା, ଗଛରୁ ଗଛ ଉଡ଼ି ବୁଲନ୍ତି, ତା’ ମଧ୍ୟରୁ ମନେ ପଡ଼େ ହଳଦୀବସନ୍ତମାନଙ୍କ କଥା… ଆଃ ! କି ପରମ ଆନନ୍ଦର ଅନୁଭୂତି !!

ପ୍ରଶାନ୍ତ, ତୁଳସୀ ଦୁଇ ପତ୍ରରୁ ବାସିଲା ଭଳିଆ ପିଲାଟି ଦିନରୁ ବହୁ ପ୍ରତିଭାବାନ ଥିଲେ । ଗାଁ’ର ଛୋଟ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ି ମଧ୍ୟ ବୃତ୍ତି ପାଇଁ ମନୋନୀତ ହେଇଥିଲେ । ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ଥିଲେ ମଧ୍ୟ ତାଙ୍କ ଗାଁରେ ଭଲ ହାଇସ୍କୁଲ ନଥିବାରୁ ସେ ପିଉଷୀଙ୍କ ଘରେ ରହି ପାଠ ପଢ଼ୁଥିଲେ । ପିଉଷୀ ଓ ପିଉଷା ପ୍ରଶାନ୍ତଙ୍କୁ ବହୁତ ସ୍ନେହ ଦେଉଥିଲେ କାହିଁକି ନା ତାଙ୍କର ଗୋଟିଏ ବୋଲି ଝିଅ, ଯିଏ ସହରରେ ହଷ୍ଟେଲରେ ରହି ପି.ଜି. କରୁଥିଲେ । ଘରେ କେହି ନଥିବାକୁ, ସ୍ୱାମୀ ସ୍ତ୍ରୀଙ୍କ ପାଇଁ ପ୍ରଶାନ୍ତ ତାଙ୍କ ଘରେ ପୁଅ ଭଳିଆ ରହିଥିଲେ ।

ଚାହୁଁ ଚାଁହୁ ପ୍ରଶାନ୍ତଙ୍କ ଦଶମ ଶ୍ରେଣୀ ହେଇଗଲା । ପାଠ ସହିତ ଖେଳ କୁଦରେ ବି ପ୍ରଶାନ୍ତଙ୍କର ଖ୍ୟାତି ବଢ଼ୁଥାଏ । କବାଡ଼ି ଖେଳରେ ବିଶେଷ ରୁଚି ଥିବାରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭଲ ନାମ ଥିଲା ତାଙ୍କର । ଏସବୁ ଭିତରେ କିନ୍ତୁ ପ୍ରଶାନ୍ତଙ୍କ ମନରେ ତାଙ୍କର ଏକ ସହପାଠିନୀଙ୍କ ପ୍ରତି ତୀବ୍ର ଆକର୍ଷଣ ସୃଷ୍ଟି ହେଇଆସୁଥିଲା । ସନ୍ଧ୍ୟା – ସେଇ ଗାଁରେ ତାଙ୍କ ଘର । ଦୁହେଁ ସ୍କୁଲ ପାଖ ଆମ୍ବ ତୋଟାରେ ଦିନେ ଠିଆ ହେଇଥାନ୍ତି ଏମିତି ଏକ ବସନ୍ତ ବେଳାରେ । ପ୍ରାତଃ ସମୟର ମୃଦୁ ମନ୍ଦ ଶୀତଳ ସମୀର ଯେମିତି ଦେହକୁ ଥରାଇ ଦେଇ ଯାଉଥାଏ ! ସ୍କୁଲର ବାର୍ଷିକ ମହୋତ୍ସବ, ଅତିରିକ୍ତ ଜିଲ୍ଲାପାଳ ଆସିଥାନ୍ତି ମୁଖ୍ୟ ଅତିଥି ହେଇ । ବୃକ୍ଷରୋପଣ ସମାରୋହ ଚାଲିଥାଏ, ପ୍ରଶାନ୍ତ ଓ ସନ୍ଧ୍ୟା ପାଖାପାଖି ଥାଇ ନିଜ ନିଜର ବୃକ୍ଷରୋପଣରେ ବ୍ୟସ୍ତ । ସନ୍ଧ୍ୟାଙ୍କୁ ଏତେ ପାଖରେ ପାଇ ପ୍ରଶାନ୍ତଙ୍କ ମନ ଅଥୟ ହେଉଥାଏ ।

ବର୍ଷେ ପୂର୍ବର କଥା । ସନ୍ଧ୍ୟା ନବମ ଶ୍ରେଣୀରେ ଭଲ ପ୍ରଦର୍ଶନ କରି ସେକ୍ସନ ଏରେ ସ୍ଥାନ ପାଇବାଠାରୁ ପ୍ରଶାନ୍ତଙ୍କ ମନରେ ଯେପରି ଘର କରି ଯାଇଥିଲେ । ସନ୍ଧ୍ୟା ଆଉ କାହା ସାଙ୍ଗରେ କଥା ହେଲେ କି ମିଶିଲେ ପ୍ରଶାନ୍ତ ଅସହିଷ୍ଣୁ ହେଇ ପଡ଼ନ୍ତି । ସନ୍ଧ୍ୟାଙ୍କର ସାନ୍ନିଧ୍ୟ ପାଇବା ପାଇଁ ସବୁବେଳେ ପାଖ ବେଞ୍ଚରେ ବସିବାକୁ ମନ ହୁଏ ତାଙ୍କର । କ୍ଲାସ ମଧ୍ୟରେ ବହିର ପୃଷ୍ଠା, ଶିକ୍ଷକଙ୍କ ଲେକ୍ଚର ଓ ମନର କଳ୍ପନା ଭିତରେ ସୃଷ୍ଟି କରୁଥିଲା କେବଳ ସନ୍ଧ୍ୟାଙ୍କର ପ୍ରତିଛବି । ବହୁଥର ଲେକ୍ଚର ସମୟରେ ଅନ୍ୟମନସ୍କ ହେଇ, ଶିକ୍ଷକଙ୍କ ଆଶା ବିପରୀତ ଭୁଲ ଉତ୍ତର ଦେଇ ଗାଳି ବି ଖାଇଛନ୍ତି ପ୍ରଶାନ୍ତ । ସେହି କ୍ଷଣରେ ସନ୍ଧ୍ୟାଙ୍କ ମୁଖରେ ଥିବା ବିଷାଦର ଭାବ ଦେଖି, ତାଙ୍କୁ ମନେ ମନେ ନିଜର ଭାବି ନେଇଥିଲେ ପ୍ରଶାନ୍ତ । ହେଲେ କେବେ ନିଜ ମନର ଭାବନା ପ୍ରକାଶ କରି ପାରିନଥିଲେ କାଳେ ସେ ପ୍ରତ୍ୟାଖାନ କରିବେ, ଏହି ଭୟରେ । ଶ୍ରେଣୀରେ ପ୍ରଥମ ହେଉଥିବାରୁ ପ୍ରଶାନ୍ତଙ୍କର ସନ୍ଧ୍ୟାଙ୍କ ସାଙ୍ଗରେ ମିଳାମିଶା କରିବା ବେଶୀ କଠିନ କାର୍ଯ୍ୟ ନଥିଲା । ପାଠ ପଢ଼ାପଢ଼ିରେ କେବେ କିନ୍ତୁ ପ୍ରଶାନ୍ତ ସନ୍ଧ୍ୟାଙ୍କୁ ସହାୟତା କରିବାର ଆବଶ୍ୟକତା ପଡ଼ିନଥିଲା । ମନରେ ବହୁ ସଙ୍କୋଚ ରଖି ପ୍ରଶାନ୍ତ କେବେ କେମିତି ସନ୍ଧ୍ୟାଙ୍କ ସାଙ୍ଗରେ କଥା ହୁଅନ୍ତି । ଦିନେ ସନ୍ଧ୍ୟା ସ୍କୁଲ ନଆସିଲେ ପ୍ରଶାନ୍ତ ଯେପରି ଅଧୀର ହେଇ ପଡ଼ନ୍ତି ! ଏମିତି ଦିନ ଗଡ଼ୁଥାଏ, ସଭିଏଁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଆନ୍ତି । ଥରେ କିଛିଦିନ ପାଇଁ ସନ୍ଧ୍ୟା ସ୍କୁଲ ଆସିବା ବନ୍ଦ କରିଦେଲେ ଆଉ ପ୍ରଶାନ୍ତଙ୍କ ମନ ଯେପରି ଅଶାନ୍ତିରେ ଭରିଗଲା । ମନର ଆଶଙ୍କାକୁ ଦୂର କରିବା ପାଇଁ ସାହସ ଜୁଟାଇ ସନ୍ଧ୍ୟାଙ୍କ ଘର ଆଡ଼େ ଥରେ ଯାଇ ବୁଲି ଆସିଲେ । ହେଲେ ଘରେ ଯାଇ କିଛି ପଚାରିବାକୁ ସାହସ ନକରି ଫେରି ଆସିଲେ ।

କିଛି ଦିନ ଉପରାନ୍ତେ ସନ୍ଧ୍ୟାଙ୍କୁ ସ୍କୁଲରେ ଦେଖି, କୁଆଡ଼େ ଯାଇଥିଲ ବୋଲି ପଚାରିଲେ ଓ ନିରବ ହେଇ ଉତ୍ତର ପ୍ରତୀକ୍ଷାରେ ସନ୍ଧ୍ୟାଙ୍କ ମୁହଁକୁ ଚାହିଁଥାନ୍ତି ପ୍ରଶାନ୍ତ । ମନ ଟିକେ ବିଷାଦ ଭରା ହେଇ ଯାଇଥିଲା ଆଉ ପ୍ରଶ୍ନରେ ଥିଲା ଟିକେ ବିରକ୍ତିଭାବ । ସତେ ଯେମିତି ପ୍ରଶାନ୍ତଙ୍କର ଅଧିକୃତ ସମ୍ପତ୍ତି, ଯେମିତି ତାଙ୍କୁ ନ ପଚାରି ସନ୍ଧ୍ୟା କୁଆଡ଼େ ଯାଇ ପାରିବେନି !! ସନ୍ଧ୍ୟା ତାଙ୍କ ଆଡ଼କୁ ନ ଚାହିଁ କହିଲେ ଯେ ପଣାସଂକ୍ରାନ୍ତିରେ ସେ ନିଜ ମାମୁଁଙ୍କ ଘରକୁ ବୁଲି ଯାଇଥିଲେ । ଏହା ପରେ ପ୍ରଶାନ୍ତଙ୍କ ମୁହଁ ଲଜ୍ୟାରେ ନଇଁଗଲା । ହେଲେ ସନ୍ଧ୍ୟା ମୁରୁକି ହସି ଦେଇ ଆସୁଛି ବୋଲି କହି ଚାଲିଗଲେ । ବିଷାଦଗ୍ରସ୍ତ ମନ ନେଇ ପ୍ରଶାନ୍ତ ଘରକୁ ଫେରିଛନ୍ତି କି ନାହିଁ ଦେଖିଲେ ସନ୍ଧ୍ୟା ତାଙ୍କ ସାନ ଭାଇ ସାଙ୍ଗରେ ଆସି ପିଉଷୀଙ୍କ ଘରେ ପ୍ରଶାନ୍ତଙ୍କୁ ଅପେକ୍ଷା କରିଛନ୍ତି । ଚା’ ଦେଉ ଦେଉ ପିଉଷୀ ନାନୀ କହିଲେ, “ଛୁଟିରେ ଥିବାରୁ କିଛି ନୋଟସ୍ ନେବାକୁ ଆସିଛନ୍ତି ।” ପ୍ରଶାନ୍ତ କିଛି ପ୍ରତିକ୍ରିୟା ନ ଦେଇ ଘରୁ ଆଣି ଖାତା କିଛି ଦେଲେ ଓ ସନ୍ଧ୍ୟା ଧନ୍ୟବାଦ ଦେଇ ଫେରିଗଲେ । ସତେ ଯେମିତି ପ୍ରଶାନ୍ତଙ୍କ ମନ ହୃଦୟ ସବୁ ସ୍ଥିର ହେଇଗଲା ! ଯେମିତି ଘରର କାନ୍ଥ ପୁରାପୁରି ନିସ୍ତବ୍ଧ ହେଇ ଠିଆ ହେଇଥାନ୍ତି ! ଏମିତି ବହୁଥର ପ୍ରଶାନ୍ତ କିଛି କହିବାକୁ ଚେଷ୍ଟା କରି ମଧ୍ୟ କହି ପାରିନଥାନ୍ତି । ସନ୍ଧ୍ୟାଙ୍କ ମନରେ ପ୍ରଶାନ୍ତଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଥିଲା । ତେଣୁ ଦୁହିଁଙ୍କ ମଧ୍ୟରେ ଯେମିତି ଏକ ସୂତାଖିଅ ପରି ସୀମା ଏକ ବିଶାଳ ପର୍ବତ ହେଇକି ରହିଯାଇ ଥାଏ । ଏସବୁ ଭାବୁ ଭାବୁ “ପ୍ରଶାନ୍ତ…” ଡାକ ଶୁଣି ଚମକି ପଡ଼ିଲେ ପ୍ରଶାନ୍ତ । ସନ୍ଧ୍ୟା ହସି ହସି କହୁଥିଲେ, “କୁଆଡ଼େ ହଜି ଗଲ ନା କ’ଣ ଯେ !?”

ଆଜି ସ୍କୁଲର ବାର୍ଷିକ ମହୋତ୍ସବରେ ପ୍ରଶାନ୍ତଙ୍କ ନଜରରେ ସନ୍ଧ୍ୟା ଯେପରି ତାଙ୍କର ସ୍ୱପ୍ନସୁନ୍ଦରୀ ପରି ଦେଖା ଯାଉଥାନ୍ତି । ହେଲେ ଏତେ ପାଖରେ ଥାଇ ମଧ୍ୟ ନିଜର ଭାବ ବିନିମୟ କରିପାରୁ ନଥାନ୍ତି । ଦୁହିଁଙ୍କ ମଧ୍ୟରେ ଥିବା ସେଇ ସୂତା ଖିଅଟି ଯେପରି ଲକ୍ଷ୍ମଣରେଖା ପାଲଟି ଯାଇଥାଏ । ଦୁହେଁ ପ୍ରତିଦିନ ଆସନ୍ତି ସେହି ସ୍କୁଲ ପାଖ ଆମ୍ବ ତୋଟାକୁ ନିଜ ନିଜର ଆମ୍ବ ଗଛର ଯତ୍ନ ନେବା ବାହାନାରେ ସେଇ ପର୍ବତ ପାଦରେ ଥିବା ଆମ୍ବ ବୃକ୍ଷମୟ ତୋଟାର ଅପୂର୍ବ ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ । ହେଲେ ପ୍ରଶାନ୍ତ ତ ଆସନ୍ତି ଏକମାତ୍ର ଆଶା ନେଇ । ଟିକେ ତାଙ୍କ ପ୍ରେୟସୀ ପ୍ରିୟତମାର ମୁହଁଟିକୁ ଦେଖିବାକୁ । ସୌଭାଗ୍ୟକୁ କେବେ କେବେ ଦେଖା ବି ହେଇଯାଏ ।

ଚାହୁଁ ଚାହୁଁ ଫଗୁଣ ବିତିଗଲା । ଗଛମାନଙ୍କରେ ବଉଳ ହେଇକି ଫଳ ବି ଧରିଲା । ବିଶାଳ ଦ୍ରୁମମାନଙ୍କ ଛତ୍ରଛାୟାରେ ପ୍ରଶାନ୍ତ ଓ ସନ୍ଧ୍ୟାଙ୍କର ସେଇ କ୍ଷୁଦ୍ର ଆମ୍ବ ବୃକ୍ଷ ଯୋଡ଼ିଏ ବଢ଼ି ଚାଲିଲେ । ବୋର୍ଡ଼ ପରୀକ୍ଷା ସରିଲା, ସମସ୍ତଙ୍କର ଆଶାନୁରୂପେ ପ୍ରଶାନ୍ତ ବହୁ ଭଲ ଅଙ୍କରେ କୃତକାର୍ଯ୍ୟ ହେଲେ । ସନ୍ଧ୍ୟା ବି ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେଲେ । ଦୁହେଁ ପରସ୍ପରକୁ ଦେଖାକରି ସମ୍ବର୍ଦ୍ଧନା ଜଣେଇଲେ । ପ୍ରଶାନ୍ତଙ୍କ ନୟନ ଯୁଗଳରୁ ପଲକମାନଙ୍କ ବନ୍ଧ ଡେଇଁ ବୋହି ଆସିବାକୁ ଚେଷ୍ଟା କରୁଥିଲା ଦୁଇଟି ଧାରା । ସେଦିନ କିନ୍ତୁ ସନ୍ଧ୍ୟା ଠିକ ଲକ୍ଷ୍ୟ କରିନେଲେ ଆଉ ପଛକୁ ଫେରି ଘରମୁହାଁ ହେଲେ । ପ୍ରଶାନ୍ତ ଆଜି ବି କିଛି କହି ନପାରିବାର ଘୋର ବିଷାଦରେ ଦଗ୍ଧ ହୋଇ ନିଜକୁ ଅତି ନ୍ୟୁନ ମନେ କରୁଥିଲେ ସେଇଠି ଠିଆହୋଇ ।

ଏକଥାକୁ ବହୁ ବର୍ଷ ହେଇଗଲାଣି । ପ୍ରଶାନ୍ତ କାହିଁ ଦୁନିଆର କୋଉ କୋଣରେ ଏକ ବାତାନୁକୂଳ କୋଠରୀରେ ବସି ପୁରୁଣା ଅଭୁଲା ସ୍ମୃତିକୁ ମନେ ପକେଇ ଝୁରୁଛନ୍ତି ତ ସନ୍ଧ୍ୟା ବି ଦିଗନ୍ତର ସେପାରିରେ ଦୁନିଆର ଅନ୍ୟ ଏକ କୋଣରେ । ହେଲେ, ସବୁବେଳେ ପ୍ରଶାନ୍ତ ସେଇ ଦୁଇଟା ଆମ୍ବ ଗଛ ବିଷୟରେ ଭାବୁଥାନ୍ତି । ଏପରି ହୁଅନ୍ତା କି, ସେ ଆଉ ସନ୍ଧ୍ୟା ସେଇ ଦୁଇଟା ଆମ୍ବ ଗଛ ସଦୃଶ ହେଇଥାନ୍ତେ, ପାଖାପାଖି ତ ରହିଥାନ୍ତେ, ଏକା ସଙ୍ଗେ ବଢ଼ିଥାନ୍ତେ !! ପର ମୁହୂର୍ତ୍ତରେ ସେ ପୁଣି ନିଜ ବର୍ତ୍ତମାନକୁ ଫେରିଯାଆନ୍ତି । ୟା ଭିତରେ ପ୍ରଶାନ୍ତଙ୍କ ପିଉଷୀଙ୍କ ଝିଅ ମେଘା ନାନୀଙ୍କ ବାହାଘର ହେଇ ଯାଇଛି । ତାଙ୍କର ପୁଅଟେ । ବେଳେ ବେଳେ ଛୁଟିରେ ଆସନ୍ତି ପିଉଷୀଙ୍କ ଘରକୁ । ହେଲେ, ପ୍ରଶାନ୍ତ ଯୁଆଡ଼େ ବି ଥିଲେ ଛୁଟିରେ ଘରକୁ ଆସିଲେ ଥରେ ପିଉଷୀ ନାନୀଙ୍କ ଘରକୁ ଯିବା ଅନିବାର୍ଯ୍ୟ । ପୁଅ ପରିକା ମାନନ୍ତି ସେମାନେ ପ୍ରଶାନ୍ତଙ୍କୁ । ବଡ଼ଦିନ ନୂଆବର୍ଷ ସମୟରେ ଛୁଟିରେ ପ୍ରଶାନ୍ତ ଆସିଛନ୍ତି ପିଉଷୀ ନାନୀଙ୍କ ଘରକୁ । ଖାଇସାରି ପହଞ୍ଚିଗଲେ, ତାଙ୍କର ଚିର ପରିଚିତ ସେଇ ଆମ୍ବ ତୋଟାରେ, ଦେଖିବାକୁ ତାଙ୍କ ଲଗେଥିବା ଗଛଟିକୁ । ଏ କ’ଣ, କିଛି ବର୍ଷ ମଧ୍ୟ୍ୟରେ ବୃକ୍ଷ ଯୋଡ଼ିକ ଏତେ ବଡ଼ ହେଇଗଲେଣି, ବଉଳ ବି ଧରିବା ସମୟ ଆସିଗଲାଣି ! ସେଇ ଅପୂର୍ବ ମହକ, ଆଃ… ଆଜି ପୁଣି ସେଇ ପିଲାଦିନ କଥାସବୁ ମନେ ପଡ଼ିଯାଉଥାଏ । କିଛି ସମୟ ସେଇ ଗଛ ମୂଳରେ ବସିଥାନ୍ତି । ପୁରୁଣା କଥା ସବୁ ଝଲସି ଉଠୁଛି ଆଖି ଆଗରେ । ଏ କ’ଣ, ହଠାତ ତାଙ୍କର ନଜର ପଡ଼ିଲା ଗୋଟିଏ ଛୋଟିଆ ଆମ୍ବ ଗଛ ଉପରେ । ସନ୍ଧ୍ୟା ଲଗେଇଥିବା ଗଛ ପାଖରେ । ବାଉଁଶ କଣିରେ ଘେରା ବୁଲା ହେଇଛି ଗାଈ ଗୋରୁଙ୍କଠୁ ରକ୍ଷା କରିବା ପାଇଁ । ଏମିତି କିଛି ଭାବୁ ଭାବୁ ହଠାତ ପ୍ରଶାନ୍ତ ଦେଖିଲେ ବଳିଆ ଭାଈଙ୍କୁ । “କିରେ ପ୍ରଶାନ୍ତ ତୁ କେତେବେଳେ ଆସିଲୁ ?” ବଳିଆ ଭାଈ ତାଙ୍କ ପିଉଷୀଙ୍କ ପଡ଼ୋଶୀ । ତାଙ୍କୁ ହିଁ ଦେଇ ଯାଇଥିଲେ ସେ ଆମ୍ବ ଗଛର ଦାଇତ୍ୱ । ସାଦରେ ପ୍ରଣାମ କଲେ ତାଙ୍କୁ ପ୍ରଶାନ୍ତ ଆଉ ହୃଦୟରୁ ଧନ୍ୟବାଦ ଦେଲେ ଗଛଗୁଡ଼ିକର ସଠିକ ଯତ୍ନ ନେଇଥିବାରୁ । ହେଲେ ବଳିଆ ଭାଈ କିଛି କହି କହୁ କହୁ ଅଟକି ଗଲେ ଆଉ ମନ ତାଙ୍କର ଟିକେ ଦୁଃଖ ହେଇଗଲା । ଟିକେ ସମୟ ଅଟକି ଯାଇ ପ୍ରଶାନ୍ତ ତାଙ୍କୁ ପଚାରିଲେ, “ଭାଈ ! ଏଇ ଛୋଟ ଗଛଟି ଭଲ ସୁନ୍ଦର ଭାବେ ଯତ୍ନ ନେଇକି ବଢ଼ା ହେଉଛି… କିଏ ଲଗେଇଛି କି?” ବଳିଆ ଭାଈ ହଠାତ ସାମାନ୍ୟ ଉଦାସ ହୋଇ କହିଲେ, “ସେଇଟା ସନ୍ଧ୍ୟା ଲଗେଇଛିରେ ।” ପ୍ରଶାନ୍ତ ଚମକି ପଡ଼ିଲେ !!

– “ହେଁ… ସନ୍ଧ୍ୟା ଏଇଠି ଅଛି କି?”
– “ସେ ଆଜିକାଲି ଏଇଠି ରହୁଛି ।”
– “କ’ଣ ହେଲା !? ମୁଁ ତ ଶୁଣିଥିଲି ତା’ର ବାହାଘର ଗୋଟେ ଭଲ ଜାଗାରେ ହେଇଗଲା ବୋଲି । ପୁଣି କ’ଣ ଅସୁବିଧା ହେଲା କି? ନା କିଛି ଅଘଟଣ??”
– “ମୁଁ କହିପାରିବିନିରେ, ତୁ ଯାଇକି ସନ୍ଧ୍ୟାକୁ ପଚାର । ସେ ତ ଏବେ ଘରେ ଥିବ । ସ୍କୁଲରୁ ଫେରି ଆସିବଣି ।”
– “ସ୍କୁଲରୁ ମାନେ??”
– “ତୁ ଜାଣିନୁ କି ପ୍ରଶାନ୍ତ? ସନ୍ଧ୍ୟା ପରା ତୁ ପଢ଼ୁଥିବା ହାଇସ୍କୁଲରେ ମାଷ୍ଟ୍ରାଣୀ ଅଛି ।”

ମନରେ ଗୁଡ଼ାଏ ପ୍ରଶ୍ନ ନେଇ ପ୍ରଶାନ୍ତ ଏକମୁହାଁ ହେଇ ଯେମିତି ଧାଇଁଗଲେ ସନ୍ଧ୍ୟାଙ୍କ ଘରକୁ । ସନ୍ଧ୍ୟା ସ୍କୁଲରୁ ଫେରି ପିଣ୍ଡାରେ ବସିଥିଲେ, ସାଙ୍ଗରେ ଥିଲେ ମାଉସୀ । ପ୍ରଶାନ୍ତଙ୍କୁ ଦେଖି ମାଉସୀ କହିଲେ, “ଏ ଝିଅ… ଦେଖ ତ କିଏ ଆସିଛି ! ପ୍ରଶାନ୍ତ ମାଉସୀଙ୍କୁ ନମସ୍କାର କଲେ । ପ୍ରଶାନ୍ତଙ୍କୁ ଦେଖି, ଯେମିତି ସନ୍ଧ୍ୟାଙ୍କ ମନରେ ଖୁସିର ଲହରୀ ଖେଳିଗଲା । ଆଜି ଏତେ ବର୍ଷ ପରେ ଦେଖା । ମାଉସୀ ଆଣି ଚେୟାର ଖଣ୍ଡେ ଦେଇ ପ୍ରଶାନ୍ତଙ୍କୁ କହିଲେ ତୁମେମାନେ କଥା ହୁଅ ମୁଁ ଆସୁଛି । ପ୍ରଶାନ୍ତ ସବୁ ଭଲମନ୍ଦ କଥା ପଚାରିଲେ ହେଲେ ସଙ୍କୋଚ କରି ସନ୍ଧ୍ୟା ବିଶେଷ କିଛି କହିଲେନି । ତା’ପରେ, ପ୍ରଶାନ୍ତ ସେଇ ଛୋଟ ଆମ୍ବ ଗଛ ବିଷୟରେ ପଚାରିବା ମାତ୍ରେ ସନ୍ଧ୍ୟା ଆଉ ଅନ୍ତରର କୋହ ସମ୍ଭାଳି ନପାରି ଭୋ ଭୋ କରି କାନ୍ଦି ପକେଇଲେ । କ’ଣ ହେଲା ବୋଲି କହି ମାଉସୀ କବାଟ ପାଖରେ ଆସି ଠିଆ ହେଇଥାନ୍ତି । ତାଙ୍କ ଆଖିରୁ ବି ଅଶ୍ରୁଧାରା ବହି ଯାଉଥାଏ । ଟିକେ ସମୟ ପରେ ତୁନି ହେଇ, ସନ୍ଧ୍ୟା ସବୁକଥା କହିଲେ । ବିବାହର କିଛି ବର୍ଷ ପରେ, ତାଙ୍କର ସନ୍ତାନ ହେବାର ଥିଲା । ସ୍ୱାମୀ ତାଙ୍କର ବହୁତ ଧ୍ୟାନ ରଖୁଥିଲେ । ସ୍ନେହ ଓ ପ୍ରେମ ମଧ୍ୟରେ ତାଙ୍କର ସଂସାର ଚାଲିଥିଲା । ହେଲେ ସେଇ କାଳରାତ୍ରିର ଝଡ଼, ବାହାରେ ଓ ଘରେ ସନ୍ଧ୍ୟାଙ୍କର ମନକୁ ଧ୍ୱସ୍ତବିଧ୍ଵସ୍ତ କରି ଦେଇଥିଲା ଯେତେବେଳେ ପରିବାର ଚାପରେ ଆସି ତାଙ୍କ ସ୍ୱାମୀ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । କାହିଁକି ନା, କୌଣସି ଏକ ସୂତ୍ରରୁ ସେ ସନ୍ଧ୍ୟାଙ୍କ ଅଗୋଚରରେ ଜାଣିବାକୁ ପାଇଥିଲେ ଯେ କନ୍ୟା ସନ୍ତାନଟିଏ ତାଙ୍କ ଗର୍ଭରେ ବଢ଼ୁଛି । ଏହା ଶୁଣି ସନ୍ଧ୍ୟାଙ୍କ ପାଦତଳୁ ଯେମିତି ପୃଥିବୀ କୁଆଡ଼େ ଅଦୃଶ୍ୟ ହେଇଗଲା । କେତେ କାକୁତି ମିନତୀ କଲେ, ନିଷ୍ପାପ ଶିଶୁଟିଏ, ବହୁ ପୁଣ୍ୟ ପରେ କନ୍ୟାଟିଏ ପ୍ରାପ୍ତ ହୁଏ । ଏହି ଦୁନିଆରେ ଆଖି ଖୋଲିବାରେ ତା’ର ସମସ୍ତ ଅଧିକାର ଅଛି । ଗର୍ଭପାତ ମହାପାପ । ହେଲେ କେହି ଗୋଟିଏ ଶୁଣିଲେନି । ଗର୍ଭପାତ ନକଲେ ଛାଡ଼ପତ୍ର ଦେଇ ଦେବେ ବୋଲି କହିଲେ ତାଙ୍କ ସ୍ୱାମୀ । ଆଉ ଏସବୁର କାରଣ କ’ଣ ଜାଣିବାକୁ ଚାହିଁ ଥିଲେ ସନ୍ଧ୍ୟା, ଉତ୍ତର ଆସିଲା ପରିବାରର ଅନ୍ୟ ଭାଈମାନଙ୍କର ସବୁ କନ୍ୟା ସନ୍ତାନ ଅଛନ୍ତି, ଆଉ ନୁହେଁ ! ବାଧ୍ୟରେ ସନ୍ଧ୍ୟାକୁ ନର୍ସିଙ୍ଗହୋମ ନିଆଗଲା । ତାଙ୍କ ପରିବାରର ଜଣାଶୁଣା ଡାକ୍ତରଙ୍କ ନିଜ ନର୍ସିଙ୍ଗହୋମ । ଗର୍ଭପାତର ସବୁ ପ୍ରସ୍ତୁତି ସରିଥାଏ । ହଠାତ କାନ୍ଥରେ ଟଙ୍ଗା ହେଇଥିବା ଗୋଟେ ଛୁଆର ଫୋଟୋ ଦେଖି ସନ୍ଧ୍ୟାଙ୍କ ଅନ୍ତରରୁ ଆସିଲା ଗୋଟେ ସ୍ୱର, “ମା… ସତରେ କ’ଣ ମୁଁ ଏ ଦୁନିଆ ଦେଖିବିନି?” ଏହା ଶୁଣି ସନ୍ଧ୍ୟାଙ୍କ ଆଖିରେ ଲୁହର ଗୋଟେ ପରଦା । ଯେପରି ସବୁ ଅନ୍ଧାର ! କାନ୍ଥରେ ଥିବା ଛୁଆଟି କ’ଣ ଆଉ ଦିଶୁନି? କଣ ଆନାସ୍ତେସିଆର ପ୍ରଭାବ କି? ଆଖି ପୋଛି ବେଡ୍‌ରୁ ଉଠିଲେ ସନ୍ଧ୍ୟା ଆଉ ତାଙ୍କ ସ୍ୱାମୀଙ୍କୁ କହିଲେ ସେ ଗର୍ଭପାତ କରିବେ ନାହିଁ । ତାଙ୍କ ଝିଅ ଦୁନିଆକୁ ଆସିବ ନିଶ୍ଚିତ । ଏହା ଶୁଣି କ୍ରୋଧରେ ତାଙ୍କ ସ୍ୱାମୀ ତାଙ୍କୁ ସେଠି ଛାଡ଼ି ଚାଲିଯାଉଥିଲେ । ତାଙ୍କୁ ଡାକିଡାକି ପଛରେ ଯାଉଯାଉ ସନ୍ଧ୍ୟା ଚେୟାର ଗୋଡ଼ରେ ଝୁଣ୍ଟି, ତଳ ମୁହାଁ ହେଇ ପଡ଼ିଗଲେ ।

ସଙ୍ଗେ ସଙ୍ଗେ ଡାକ୍ତର ନେଇଗଲେ ଓ.ଟି.କୁ । ନର୍ସିଙ୍ଗହୋମରେ ଜରୁରୀକାଳୀନ ବ୍ୟବସ୍ଥା ଥିବାରୁ ତତ୍କାଳ ଅପରେସନ ହେଇଗଲା । ସନ୍ଧ୍ୟାଙ୍କ ଉପରୁ ବିପଦ ଟଳିଗଲା ସିନା, ହେଲେ ଶିଶୁଟିର ଅବସ୍ଥା ବହୁତ ଶୋଚନୀୟ ଥିଲା । ୬ ମାସ ହେଇନଥିଲା ଗର୍ଭରେ, ଇନ୍କୁବେଟରରେ ରହିଲା ବହୁତ ଦିନ । ଡାକ୍ତର କହିଲେ ବଞ୍ଚିବାର ଆଶା କମ, ପ୍ରଭୁଙ୍କୁ ଡାକ । ହେଲେ “ରଖେ ହରି, ମାରେ କିଏ”, ପ୍ରାୟ ୨ ମାସ ଡାକ୍ତରଖାନାରେ ରହିଲାପରେ, ସନ୍ଧ୍ୟାଙ୍କ ଝିଅ ଆଖି ଖୋଲିଲା । କିଏ ଜାଣେ ସନ୍ଧ୍ୟାଙ୍କର ସେଇ ଶେଷ ମୁହୂର୍ତ୍ତରେ ନେଇଥିବା ନିଷ୍ପତ୍ତିର ପୁଣ୍ୟ ସମ୍ଭବତଃ ଶିଶୁଟିକୁ ଯିବାକୁ ଦେଲାନି ଏ ଦୁନିଆରୁ ! ଡାକ୍ତରଖାନାରେ ଏସବୁ ଘଟିଗଲା ପରେ, ସନ୍ଧ୍ୟା ଆଉ ତାଙ୍କ ସ୍ୱାମୀଙ୍କ ପାଖକୁ ଫେରିଲେନି କି ସେ ମଧ୍ୟ ନେବାକୁ ଆସିଲେନି । ଆସିଲା ତାଙ୍କର ଯୋଡ଼ିଏ ବ୍ୟାଗ, ଆଉ ସାଙ୍ଗରେ ଛାଡ଼ପତ୍ରର ନୋଟିସ ! ଠିକ ସେହି ସମୟରେ ଝୁଣ ଝୁଣ ଶବ୍ଦ ପ୍ରଶାନ୍ତଙ୍କ କାନରେ ଗୁଞ୍ଜି ଉଠିଲା । ଗୋରା ତକତକ ଗୁଲୁଗୁଲିଆ ଝିଅଟେ । ପାଦରେ ପାଉଁଜି ପିନ୍ଧି ଦୁଆର ବନ୍ଧ ଡେଇଁ ମାଡ଼ି ଆସୁଛି ତା’ ଜନ୍ମଦାତ୍ରୀ, ତା’ ଚଳନ୍ତି ଈଶ୍ୱରୀଙ୍କ କୋଳକୁ ! ଏହା ଦେଖି ପ୍ରଶାନ୍ତଙ୍କ ଆଖି ଖୁସିର ଲୁହରେ ଛଳ ଛଳ ହେଇ ଆସୁଥାଏ ।

ଏ ସବୁ ଶୁଣି ପ୍ରଶାନ୍ତଙ୍କ ମନ ଭରିଗଲା କେବଳ ଆଉ କେବଳ କ୍ରୋଧରେ । ହେଲେ ସେଇ କୁନି ନିଷ୍ପାପ ଶିଶୁଟିର ହସ ଦେଖି, ସବୁ କ୍ରୋଧ ଭୁଲି, କୋଳେଇ ନେଲେ ତାକୁ ପ୍ରଶାନ୍ତ । ଦେଖୁ ଦେଖୁ ସନ୍ଧ୍ୟା ହେଇ ଆସିଲାଣି, ଘରକୁ ବାହାରିବେ ବୋଲି ପ୍ରଶାନ୍ତ ବିଦାୟ ନେଉଛନ୍ତି । ସନ୍ଧ୍ୟା କହିଲେ ଟିକେ ରହିଯିବା ପାଇଁ । କାହିଁ କେମିତି ପ୍ରଶାନ୍ତଙ୍କୁ ନିଜର ନିଜର ଅନୁଭବ ହେଲା । ସନ୍ଧ୍ୟା କହିଲେ, “ଜୀବନରେ ଏମିତି କିଛି ନିଷ୍ପତ୍ତି ସମୟ ଥିବା ସମୟରେ ନନେଲେ, ସାରା ଜୀବନ ଅନୁତପ୍ତ ହେଇ ବିତେଇବାକୁ ପଡ଼େ ଆଉ ଜୀବନ ଦୁର୍ଭାଗ୍ୟପୂର୍ଣ୍ଣ ହେଇଯାଏ ।” ପ୍ରଶାନ୍ତ କିଛି ବୁଝି ନପାରି ପରିଚାରିଲେ, “ଏହାର ଅର୍ଥ?” ସନ୍ଧ୍ୟା ଉତ୍ତର ଦେଇ କହିଲେ, “ସେଇ ଶେଷ ଦେଖାରେ ଅନୁଭବ କରିଥିବା ତୁମ ଆଖିର ଲୁହ… ଘରକୁ ଫେରି ବହୁତ କାନ୍ଦିଥିଲି ସେଦିନ, କାହିଁକି ମନରେ ଥିବା କଥା ତୁମେ କହିଲନି? ତୁମ ମନରେ ଆଉ କ’ଣ କିଛି ଥିଲା କି?” ଏତିକି କହି ସନ୍ଧ୍ୟା ମନର କୋହ ସମ୍ଭାଳି ନପାରି କାନ୍ଦି ପକାଇଲେ ଚୁପି ଚୁପି । ପ୍ରଶାନ୍ତ ସବୁ ଶୁଣୁଥାନ୍ତି । ଯେମିତି ପଥର ପାଲଟି ଯାଇଥାନ୍ତି ସେ ! ଯଦି ସେଦିନ ନିଜ ଭାବନାକୁ ବ୍ୟକ୍ତ କରିଦେଇଥାନ୍ତେ ତା’ହେଲେ ପରିସ୍ଥିତି ବର୍ତ୍ତମାନ ବହୁତ ସୁନ୍ଦର ହେଇଥାନ୍ତା । ନିଜକୁ ସମ୍ଭାଳି ନେଇ କୁନି ଝିଅଟିକୁ କୋଳେଇ ନେଲେ ପ୍ରଶାନ୍ତ । ସନ୍ଧ୍ୟାକୁ ଚାହିଁ ପଚାରିଲେ, “ତେବେ ସେଇ ଛୋଟିଆ ଆମ୍ବ ଗଛଟି କ’ଣ ଇଏ? ସନ୍ଧ୍ୟା ମୁଣ୍ଡ ହଲେଇ ସହମତି ଦେଲେ ।

ପ୍ରଶାନ୍ତ କିଛି ସମୟ ନିରବ ରହି କହିଲେ, “ସନ୍ଧ୍ୟା ! ମୁଁ ତୁମର ଦୋଷୀ । ମତେ କ’ଣ ତୁମେ କ୍ଷମା କରିପାରିବନି?” ସନ୍ଧ୍ୟା ପ୍ରଶାନ୍ତଙ୍କ ମୁହଁରେ ହାତ ରଖି କହିଲେ, “ଛି ! ଏମିତି କ’ଣ କହୁଛ !” ପ୍ରଶାନ୍ତ ସନ୍ଧ୍ୟା ଓ ଝିଅକୁ କୋଳେଇ ନେଲେ । ଦୂରରୁ ଥାଇ ମାଉସୀ ସବୁ ଦେଖୁଥାନ୍ତି ଆଉ ତାଙ୍କ ଆଖିରୁ ବହି ଯାଉଥିଲା ଧାର ଧାର ଆନନ୍ଦର ଅଶ୍ରୁ !!!

– ଦୀପଙ୍କର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...