You are currently viewing ସାମ୍ପ୍ରତିକ ‘ଗଣତନ୍ତ୍ର’
Odia Poem Sampratika Ganatantra (ସାମ୍ପ୍ରତିକ 'ଗଣତନ୍ତ୍ର') by Prabhat Mishra

ସାମ୍ପ୍ରତିକ ‘ଗଣତନ୍ତ୍ର’

ପରୋକ୍ଷ ପରୋକ୍ଷ କରି ସତେକିରେ
ହୋଇଗଲୁ ଏତେ ପର,
ଜାଣିପାରୁ ନାହୁଁ ଏହି ଶାସନରେ
କିଏ ଅଟଇ ନିଜର ।

ସ୍ଵାଧୀନତା ପରେ ଦେଶ ସୁମରିଲା
ନୂଆ ଶାସନର ମନ୍ତ୍ର,
ଅଛପା ନୁହଇ ସାରା ଜଗତରୁ
ଅଟଇ ସେ ‘ଗଣତନ୍ତ୍ର’ ।

ସେହି ଶାସନର ପରୋକ୍ଷ ପନ୍ଥାକୁ
ଗ୍ରହଣ କଲାଯେ ଦେଶ,
ପ୍ରତିନିଧି ରୂପେ ଆମେ ଦେଖୁଅଛୁ
କେତେଯେ ବିଚିତ୍ର ବେଶ ।

କିଏ କହେ ଦାଦା, କିଏ କହେ ଭାଇ
କିଏ କହେ ଆପା ନାନୀ,
ନିର୍ବାଚନ ପରେ ସାକ୍ଷାତ ହୋଇଲେ
କହନ୍ତି ପାରୁନି ଜାଣି ।

ଗଣ ଶାସନର ପ୍ରକୃତ ଅରଥ
ବଦଳି ଯାଇଛି ଆଜି,
ନିର୍ବାଚନ ପରେ ପ୍ରତ୍ୟେକ କଥାରେ
ହେବାକୁ ପଡ଼େ ଯେ ରାଜି ।

ପ୍ରତ୍ୟକ୍ଷ ଶାସନ ପ୍ରତ୍ୟାହାର ପନ୍ଥା
ଆବଶ୍ୟକ ହୁଏ ଆଜି,
ତେବେ ଯେ ଜାଣିବ ଗଣ ଶାସନର
ପ୍ରକୃତ ଅରଥ ଗାଦି ।

ଗଣ ଅଧିକାର ପ୍ରକୃତ ଅର୍ଥକୁ
ବୁଝିବ ଯେବେ ଏ ଜାତି,
ସୁଶାସନର ଆଭାରେ ଜଳିବ
ଗଣ ଶାସନର ବତି ।

ସେହି ଆଲୁଅରେ ପ୍ରଜ୍ୱଳିତ ହେବ
ଅଦ୍ଭୁତ ତ ସେହି ମନ୍ତ୍ର,
ଉତ୍କୃଷ୍ଟ ଶାସନ ପରିଚିତି ପୁଣି
ଫେରି ପାଇବ ଯେ ଗଣତନ୍ତ୍ର ।

– ପ୍ରଭାତ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଭାତ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।