You are currently viewing ସକାଳ
ସକାଳ

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସମ୍ଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀ କାକଳି, କାରଖାନା ସାଇରନ୍‌ର ଶଂଖ ଧ୍ୱନି ସହିତ ଜୀବନରଣାଙ୍ଗନରେ ଆରମ୍ଭ ହୁଏ ଆଉ ଏକ ସଂଘର୍ଷ । ରାତ୍ରିର ଅବଚେତନରେ ସୁକ୍ଷ୍ମ ଦୃଷ୍ଟିକୋଣରୁ ଦେଖିଲେ ଏକ ମୃତ ଅବସ୍ଥାରୁ ପୁନର୍ବାର ଚେତନାପୂର୍ଣ୍ଣ ଜୀବନଧାରାକୁ ଆଗମନକରେ ଧରାପୃଷ୍ଠରେ ସକଳ ଜୀବନ ରାଶି । ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖିଲେ ମରଣଶୀଳ ଜୀବନରେ ଜନ୍ମ ମୃତ୍ୟୁର ଧୃବ ସ୍ଥିର ପୁନାର୍ଗମନର ଏହା ଏକ ନିଚ୍ଛକ ଦୈନନ୍ଦିନ ରୂପାନ୍ତରଣ ପ୍ରାୟ ।

ସଳଖ ସୁନ୍ଦର ନହେଲେବି ନିରବଚ୍ଛିନ୍ନ ଏହି ମଣିଷ ଜୀବନର ଘୋଷଯାତ୍ରା । ଘାତ ପ୍ରତିଘାତ, ନିନ୍ଦା ପ୍ରଶଂସା, ହାନୀ ଲାଭ ଦେଇ ବିବର୍ତ୍ତନର ଜୀବନଧାରା କେଉଁ ଏକ ଅଦୃଶ୍ୟ ଶକ୍ତିରେ ପରିଚାଳିତ ଆତ୍ମା ପରମାତ୍ମାର ମାରାଥନ୍ ଦୌଡ଼ରେ ଅଗ୍ରସର । ଇତିହାସ ସାକ୍ଷୀ ସେହି କଳଙ୍କିତ ସକାଳର ବିଭୀଷିକା, ରକ୍ତପିପାସୁ କ୍ରୁର ମାନବର ତାଣ୍ଡବଲୀଳା ଏବଂ ଦୈବଦୁର୍ବିପାକର ଅଶୋଭନୀୟ ଆର୍ତ୍ତନାଦ । ହେଲେ ଇତିହାସରୁ ଶିକ୍ଷା ନେଇ ବାସ୍ତବବାଦୀ ମାନବ, ନିଜ ଜ୍ଞାନ ବିଜ୍ଞାନର ସୁଦୂର ବିନିଯୋଗ କରି ବର୍ତ୍ତମାନକୁ ନିଜର ବିଜୟ ରଥର ସାରଥି କରିପାରିଛି । କହିବା ବାହୁଲ୍ୟ, ସଫଳତାର ପ୍ରାଚୁର୍ଯ୍ୟ ଭିତରେ ଦିଗହରା ମଣିଷ ବାସ୍ତବ ଆନନ୍ଦର କେତେଦୂର ସ୍ୱାଦ ଚାଖିପାରିଛି । ବସ୍ତୁବାଦୀ ସଭ୍ୟତାର ଚାକଚକ୍ୟ ହେଉ ଅବା ଅବଶେଷରେ ସୁକ୍ଷ୍ମ ଜୀବନର ଅନ୍ତଃକରଣ, ପ୍ରାପ୍ତକାମୀ ମାନବ ସ୍ଥୂଳ ଚକ୍ଷୁରେ ଅବହେଳିତ ନୈସର୍ଗିକ ଶକ୍ତିର ଇଙ୍ଗିତକୁ ହୃଦୟଙ୍ଗମ କରେ ଏବଂ ଆଶାବାଦୀ ହୋଇଉଠେ ଏକ ପରିବର୍ତ୍ତିତ ନୂତନ ଭବିଷ୍ୟତର ଅନ୍ୱେଷଣରେ ।

ସିନ୍ଦୁରା ଫାଟିଲେ, ସଦ୍ୟସ୍ନାତା ତାରୁଣ୍ୟର ପରିପ୍ରକାଶ ନେଇ ଆବିର୍ଭାବ ହୁଏ ସକଳ ଶକ୍ତିର ଉତ୍ସ ଦିବାକର । ସମୟର ସୁଅ ପରି ସକାଳରୁ ହୁଏ ମଧ୍ୟାହ୍ନ, ସତେ ଅବା ଯୌବନର ଉଦ୍ଦାମତା, ଅସାଧ୍ୟକୁ ସାଧନ କରିବାର ପରିପୂର୍ଣ୍ଣ ଆତ୍ମବିଶ୍ୱାସ । କ୍ରମଶଃ ସମୟ ସୁଅର ଭଟ୍ଟାପରି ଆଗତ ହୁଏ ଗୋଧୂଳି ଲଗନ, ବାର୍ଦ୍ଧକ୍ୟର ଅଭିସନ୍ଧି, ବାହୁମେଲି କାଳ ଅନ୍ଧକାର ଅଭିବାଦନ କରେ ଏକ ସମାପ୍ତିର ଅଢ଼ୁଆଳକୁ… ଚିରନ୍ତନ ମୃତ୍ୟୁ । ହେଲେ ସମାପ୍ତ ହୁଏନି ରଙ୍ଗମଞ୍ଚରେ ଜୀବନ ନାଟକ, ଅପେକ୍ଷା ରହେ ଆଉ ଏକ ଆରମ୍ଭର, ଆଉ ଏକ ନୂତନ ସକାଳ…

ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।